ଗୋ-ସୁଗମ ଆପ୍‍ ସଂପର୍କରେ କୃଷକ ସଚେତନତା

ଆଠଗଡ : ଆଠଗଡ କୃଷି ସୂଚନା ପରାମର୍ଶ କେନ୍ଦ୍ର ପରିସରରେ ଗୁରୁବାର ସରକାରଙ୍କର ନୂତନ ଗୋ-ସୁଗମ ଏବଂ କୃଷି ଓଡିଶା ନାମରେ ଦୁଇଟି ମୋବାଇଲ ଆପ୍‍ ସଂପର୍କରେ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର କୃଷକମାନଙ୍କ ବିକାଶ ପାଇଁ ଏବଂ ସେମାନଙ୍କୁ ଉତ୍ପାଦନ ବୃଦ୍ଧିଲାଗି ସହାୟତା କରିବାକୁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ନିକଟରେ ରାଜ୍ୟସରକାର କୃଷକମାନଙ୍କ ପାଇଁ ବିଭିନ୍ନ କୃଷି ସମ୍ବନ୍ଧିୟ ସୂଚନା ଦେବା ଏବଂ ସବୁକ୍ଷେତ୍ରରେ ସହାୟତା ଓ ରିହାତି ଦେବା ଲାଗି ଗୋ-ସୁଗମ ଓ କୃଷି ଓଡିଶା ନାମରେ ୨ଟି ମୋବାଇଲ ଆପ ପ୍ରଚଳନ କରିଛନ୍ତି । ଏହାର ସଦୁପଯୋଗ କଲେ କୃଷକମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିଲେ।

ବ୍ଲକ କୃଷି ଅଧିକାରୀ ଶ୍ରୀ ମିଶ୍ର ରାଜ୍ୟର ଚାଷୀମାନେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଗୋ-ସୁଗମ ଆପ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଆପ୍ ଜରିଆରେ ଚାଷୀମାନେ କୃଷି, ପଶୁପାଳନ, ମତ୍ସଚାଷ, ଆପିକଲ, ଉଠାଜଳସେଚନ, ସୌରଶକ୍ତି ବ୍ୟବସ୍ଥା, ବିଦ୍ୟୁତ ଓ ଜଳସେଚନ ସଂପର୍କୀତ ସମସ୍ତ କାର୍ଯ୍ୟକ୍ରମରେ ଭାଗନେଇ ପାରିବେ ଏବଂ କୃଷକମାନେ ବିଭିନ୍ନ ରିହାତି ପାଇବା ପାଇଁ ଏହି ଆପ୍‍ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ମିଶ୍ର କହିଥିଲେ । ଜଣେ ଚାଷୀ ତାର ଆଧାର ନମ୍ବର ଓ କୃଷକ ପଞ୍ଜିକରଣ ନମ୍ବର ଦ୍ୱାରା ରିଆତି କାର୍ଯ୍ୟକ୍ରମରେ ଭାଗନେଇ ପାରିବେ ଏବଂ ଚାଷ ପାଇଁ ଜମିର କିସମ ପରିବର୍ତ୍ତନ ପାଇଁ ମଧ୍ୟ ଏହି ଆପ ଜରିଆରେ ଆବେଦନ କରି ପାରିବେ। ଏହାଛଡା ଆଉ ଏକ ଆପ୍‍ କୃଷି ଓଡିଶା ମାଧ୍ୟମରେ ଚାଷୀ ନିଜର ପୂର୍ଣ୍ଣାଙ୍ଗ ବିବରଣୀ ଦେଇ ନାମ ପଞ୍ଜିକରଣ କରି ନିଜ ପାଇଁ ଏକ ପ୍ରୋଫାଇଲ ସୃଷ୍ଟି କରି ପାରିବେ। ନିକଟସ୍ଥ ଜନସେବା କେନ୍ଦ୍ର ମାଧ୍ୟମରେ ନାମ ପଞ୍ଜିକରଣ କରି ପଞ୍ଜିକରଣ ଖର୍ଚ୍ଚର ଶତକଡା ୫୦ପ୍ରତିଶତ ରିଆତି ନିଜ ବ୍ୟାଙ୍କ ଜମାଖାତା ମାଧ୍ୟମରେ ପାଇପାରିବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଏ ସଂପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲାଗି ଡାକବାଜି ଯନ୍ତ୍ର ସାହାଯ୍ୟରେ ସମଗ୍ର ବ୍ଲକ ଅଞ୍ଚଳରେ ପ୍ରଚାର ପ୍ରସାର କରାଯାଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ସନାତନ ବେହେରା ଏବଂ ବ୍ଲକ ବୈଷୟିକ ପରିଚାଳକ ଅନିଲ କୁମାର ମହାପାତ୍ରଙ୍କ ସମେତ ବହୁ କୃଷକ ଯୋଗଦେଇଥିଲେ।

Comments are closed.