‘ଗୋ ଏୟାର’ ନାମ ବଦଳି ‘ଗୋ ଫାଷ୍ଟ’ ହେଲା

୧୫ ବର୍ଷ ଉଡାଣ ପରେ ବିମାନ ଚଳାଚଳ ସଂସ୍ଥାର ନାମ ପରିବର୍ତ୍ତନ

ମୁମ୍ବଇ: ଦେଶର ଅନ୍ୟତମ ପ୍ରମୁଖ ବେସରକାରୀ ବିମାନ ଚଳାଚଳ କମ୍ପାନୀ ଗୋ ଏୟାର ନାମ ପରିବର୍ତ୍ତନ ହୋଇଛି। ଏଣିକି ଏହା ଗୋ ଫାଷ୍ଟ ନାମରେ ପରିଚିତ ହେବ। ୱାଡିଆ ଗ୍ରୁପ୍‍ ମାଲିକାନାରେ ଥିବା ଏହି କମ୍ପାନୀ ୧୫ ବର୍ଷ ବିମାନ ସେବା ଯୋଗାଇବା ପରେ ନିଜ ନାମ ପରିବର୍ତ୍ତନ କରିଛି। କୋଭିଡ ମହାମାରୀ ପାଇଁ ସମୁଦାୟ ବିମାନ ଚଳାଚଳ ସଂସ୍ଥା ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଗୋ ଏୟାର ଅତ୍ୟନ୍ତ କମ୍‍ ଖର୍ଚ୍ଚ ବିଶିଷ୍ଟ ବ୍ୟବସାୟିକ ଢାଞ୍ଚା ଆପଣେଇବାକୁ ଯାଉଛି। ସଂପ୍ରତି ଗୋ ଫାଷ୍ଟ ଅତି କମ୍‍ ଖର୍ଚ୍ଚରେ ଯାତ୍ରୀଙ୍କୁ ବିମାନ ସେବା ଯୋଗାଇବ ବୋଲି ଏହାର ସିଇଓ କୋଶିକ ଖୋନା କହିଛନ୍ତି। କମ୍ପାନୀ ତାହାର ସମ୍ପ୍ରସାରଣ କରିବାକୁ ପ୍ରାରମ୍ଭିକ ଅଂଶଧନ ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ଶ୍ରୀ ଖୋନା ଗୁରୁବାର କହିଛନ୍ତି। ଗତ ମାର୍ଚ୍ଚ ସୁଦ୍ଧା ବିମାନ ଯାତ୍ରୀ ପରିବହନ କ୍ଷେତ୍ରରେ ଏହାର ବଜାର ଅଂଶ ୭.୮ ପ୍ରତିଶତ ରହିଥିଲା। ପୂର୍ବରୁ ୨୦୧୪ ଜୁନ୍‍ରେ ମୁମ୍ବଇସ୍ଥିତ ଏହି ବିମାନ ଚଳାଚଳ କମ୍ପାନୀର ବଜାର ଅଂଶ ୧୦%କୁ ଅତିକ୍ରମ କରିଯାଇଥିଲା। ତେବେ ଗତବର୍ଷ ମହାମାରୀ ସଂକ୍ରମଣ ଆରମ୍ଭ ହେବା ପରଠାରୁ ଏହାର ବଜାର ଅଂଶ ୧୦ ପ୍ରତିଶତରୁ ସାମାନ୍ୟ କିଛି କମ୍‍ ରହିଆସୁଛି।

Comments are closed.