ବିଶ୍ୱ ତାପମାତ୍ରା ବୃଦ୍ଧି କାରଣରୁ ସମୁଦ୍ରରେ ସୃଷ୍ଟି ହେଉଛି ଝଡ ବାତ୍ୟା

ନୂଆଦିଲ୍ଲୀ: ଅତି ଭୟଙ୍କର ସାମୁଦ୍ରିକ ଝଡ ତାଉ-ତେ ଦେଶର ପାଞ୍ଚରୁ ଅଧିକ ଉପକୂଳବର୍ତ୍ତୀ ରାଜ୍ୟରେ ତାଣ୍ଡବଲୀଳା ରଚିଥିବାବେଳେ ସମାନ ସମୟରେ ସଂଗୀତଜ୍ଞ ଗ୍ୟାରୀ ନୁମାନଙ୍କର ଏକ ଆଲବମ ‘ଇଂଟ୍ରୁଡର’ ଚଳିତ ମାସରେ ମୁକ୍ତିଲାଭ କରିଛି। ଏହି ଆଲବମର ମୂଳ ବିଷୟବସ୍ତୁ ହେଉଛି ପୃଥିବୀର ଦୃଷ୍ଟିକୋଣରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଯାହା ଜରିଆରେ ନୁମାନ୍‍ ଏଭଳି ଏକ ଗ୍ରହ ଦେଖିବାକୁ ପାଉଛନ୍ତି ଯେଉଁଠାରେ ଆଉ କିଛି ପ୍ରଯୁକ୍ତି ବାକିନାହିଁ ଏବଂ ସେହି ଗ୍ରହ ଜନମାନବଶୂନ୍ୟ ଆର୍ଦ୍ର ମରୁଭୂମି ପାଲଟିଛି।

ଦୁଇଟି ଘଟଣା ସମାନ ସମୟରେ ହେବା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ଯେ, ତାଉ-ତେ ଏକ ନିୟମିତ ସାମୁଦ୍ରିକ ଝଡ ନୁହେଁ। ଏହା ସମୁଦ୍ର ବକ୍ଷରେ ସୃଷ୍ଟି ହେଉଥିବା ଏକ ସାମୟିକ ପ୍ରଭାବ। କିନ୍ତୁ ସଂପ୍ରତି ତାଉ-ତେ ଯେଉଁଭଳି ଭାବରେ ବିପର୍ଯ୍ୟୟ ଆଣିଦେଇଛି ସେଥିରୁ ବିଶ୍ୱରେ ତାପମାତ୍ରା ବୃଦ୍ଧିର ପ୍ରଭାବ ସମୁଦ୍ରର ଜଳଭାଗ ଉପରେ କିପରି ପଡୁଛି ଏବଂ ଜଳ ସ୍ରୋତର ଗତିଶୀଳତା କିଭଳି ପରିବର୍ତ୍ତନ ହେଉଛି ଏବଂ ଉପକୂଳ ଅଞ୍ଚଳରେ ଥିବା ସହର, ଜନପଦଗୁଡିକ ଉପରେ ତାହାର କେତେ ପ୍ରତିକୂଳ ପ୍ରଭାବ ପଡୁଛି, ତାହା ଏଥିରୁ ସ୍ପଷ୍ଟ ଭାବେ ଜଣାଯାଉଛି। ପ୍ରାୟ ଏକଶହ ବର୍ଷରୁ ଅଧିକ କାଳ ଦରି ଅଧିକାଂଶ ସାମୁଦ୍ରିକ ଝଡ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଭାରତକୁ ପ୍ରଭାବିତ କରୁଥିବା ଅନ୍ୟୂନ ପାଞ୍ଚଟି ଝଡ ବାତ୍ୟା ମଧ୍ୟରୁ ଚାରିଟି ବଙ୍ଗୋପସାଗର ଏବଂ ଗୋଟିଏ ଆରବ ସାଗରରେ ସୃଷ୍ଟି ହୋଇଥାଏ। ସାଧାରଣତଃ ଏପ୍ରିଲରୁ ଜୁନ୍‍ ମଧ୍ୟରେ ଏହା ଦେଖିବାକୁ ମିଳେନାହିଁ।

କିନ୍ତୁ ଗତ ଚାରିବର୍ଷକୁ ଲକ୍ଷ୍ୟକଲେ ଏଥିରେ ବ୍ୟାପକ ପରିବର୍ତ୍ତନ ଘଟିଥିବା ଜଣାଯିବ। ଝଡ ବାତ୍ୟା ସୃଷ୍ଟିରେ ଧୀରେ ଧୀରେ ଏବେ ଆରବ ସାଗର, ବଙ୍ଗୋପସାଗରକୁ ଟପିବାକୁ ବସିଛି। ପାଞ୍ଚଟି ଝଡ ବାତ୍ୟା ଦେଶର ପଶ୍ଚିମ ଭାଗରେ ସୃଷ୍ଟି ହେଉଥିବାବେଳେ ତିନିଟି ପୂର୍ବପଟେ ସୃଷ୍ଟି ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଏହି ସମସ୍ତ ସାମୁଦ୍ରିକ ଝଡ ଅତି ଭୟଙ୍କର ସାମୁଦ୍ରିକ ଝଡ ବା ମହାବାତ୍ୟା ରୂପ ନେଉଛି।

ଦେଶ ସମ୍ମୁଖୀନ ହେଉଥିବା ଏତେ ସଂଖ୍ୟକ ଭୟଙ୍କର ଝଡବାତ୍ୟା ପାଇଁ ତାପମାତ୍ରା ବୃଦ୍ଧି ଦାୟୀ ବୋଲି ଜଣାଯାଇଛି। ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରଭାବ ସମୁଦ୍ରର ଜଳଭାଗ ଉପରେ ପଡୁଛି। ସମୁଦ୍ର ଜଳରାଶି ଅଧିକ ଉତ୍ତପ୍ତ ହୋଇ ତାହା ବାଷ୍ପ ଆକାରରେ ଯେତେ ଅଧିକ ପରିମାଣରେ ଉପରକୁ ଉଠେ, ଝଡବାତ୍ୟାଗୁଡିକ ସେଥିରୁ ସେତେ ଅଧିକ ବଳ ଜୁଟାଇଥାଏ।

Comments
Loading...