ବିଶ୍ବ ପରିସ୍ଥିତି ଓ ଶ୍ରମିକ ଶ୍ରେଣୀ

ଜନାର୍ଦ୍ଦନ ପତି

୨୦୨୦ର ବିଶ୍ୱ ପରିସ୍ଥିତି ଏକ ଅସ୍ୱାଭାବିକ ପର୍ଯ୍ୟାୟ ଦେଇ ଗତି କରୁଛି। କରୋନା ଯୋଗୁଁ ସ୍କୁଲ, କଲେଜ ବନ୍ଦ ହେବା ଫଳରେ ୧୨୫ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଳ ହେବନାହିଁ। ମାନବ ବିକାଶ ଧାରା ବାଧାପ୍ରାପ୍ତ ହେବ। ଆନ୍ତର୍ଜାତିକ ଶ୍ରମ ସଂଗଠନ ପକ୍ଷରୁ କୁହାଯାଇଛି ଯେ ବିଶ୍ୱର ସମୁଦାୟ ଶ୍ରମଜୀବୀଙ୍କ ମଧ୍ୟରୁ ଅଧା କାମ ହରାଇବେ। ନୂଆ ନିଯୁକ୍ତି ମିଳିବ ନାହିଁ। ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ କହିଛି ଯେ, ବିଶ୍ୱ ନିଯୁକ୍ତି ବଜାରରେ ୧୫.୮ କୋଟିରୁ ୨୪.୨କୋଟି ପଦ କମିଯିବ। କେବଳ ଏସିଆ – ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏହି ସଂଖ୍ୟାର ୭୦ ଭାଗ ପଦ କମିବ। ବିଶ୍ୱ ସମୁଦାୟ କ୍ଷେତ୍ରରେ ଶ୍ରମଜୀବୀମାନଙ୍କ ରୋଜଗାର ୧୨୦ ଲକ୍ଷ କୋଟିରୁ ୧୮୦ ଲକ୍ଷ କୋଟି ଡଲାର କମିଯିବ। (୧ ଡଲାର ପ୍ରାୟ ୭୪ ଟଙ୍କା) ଅର୍ଥାତ୍‌ ୧୩୩ ଲକ୍ଷ କୋଟି ଟଙ୍କାର ରୋଜଗାର ହ୍ରାସ ପାଇବ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁଯାୟୀ ଇତି ମଧ୍ୟରେ, ୧୬୦ କୋଟି ଲୋକ ନିଜର ଜୀବିକା ହରାଇ ସାରିଛନ୍ତି।
ବିଡମ୍ବନାର ବିଷୟ ଯେ ୧୬୦ କୋଟି ଶ୍ରମଜୀବୀମାନେ ୧୩୩ ଲକ୍ଷ କୋଟି ଟଙ୍କା ରୋଜଗାର ହରାଇବା ସମୟରେ ବିଶ୍ୱର ଅତିକାୟ ୨୫ଟି ଧନାଢ୍ୟ ପରିବାରମାନଙ୍କ ସମ୍ପତ୍ତି ୨୫,୫୦୦ କୋଟି ଡଲାର ବୃଦ୍ଧି ଘଟିଛି। ଏହା କିପରି ସମ୍ଭବ ହେଉଛି? ସରକାରୀ ଅର୍ଥ ଶିଳ୍ପପତି ମାନଙ୍କ ହାତକୁ ହସ୍ତାନ୍ତର ପାଇଁ ସରକାରମାନେ ପଦକ୍ଷେପ ନେଇଛନ୍ତି। ୧୯୩୦ ଦଶକର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଓ ସଂକଟ ସମୟରେ ଅର୍ଥନୀତିଜ୍ଞ କେନ୍ସ ଓ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୁଜଭେଲ୍ଟ-ଆର୍ଥିକ ସଂକଟ ଦୂର କରିବାପାଇଁ ବିପୁଳ ପରିମାଣର ଅର୍ଥ ରାଜକୋଷରୁ ବ୍ୟୟ କରି ସଂକଟ ଟାଳିବାକୁ କହିଥିଲେ। ଏବେ ସମ୍ବାଦପତ୍ରର ସମ୍ପାଦକମାନେ ସେହି ରାସ୍ତା ନେବାକୁ ସରକାରମାନଙ୍କୁ ଉପଦେଶ ଦେଇଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଏକ ଜନସଭାରେ କହିଛନ୍ତି ଯେ ମୁଁ କମ୍ୟୁନିଷ୍ଟ ନହେଲେ ମଧ୍ୟ ସରକାରୀ ଅର୍ଥ ଅଧିକ ପରିମାଣରେ ବିନିଯୋଗ କରିବାକୁ ଚାହୁଁଛି। ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାପାଇଁ ସରକାରୀ ରାଜକୋଷରୁ ଖର୍ଚ୍ଚ ହେବା ଦରକାର।
ଧନୀ, ଦରିଦ୍ର ତାରତମ୍ୟ କମାଇଲେ ହିଁ ନବ୍ୟ ଉଦାରବାଦର ହିଂସ୍ର ଆକ୍ରମଣରୁ ଦାରିଦ୍ର୍ୟ ଓ ଶ୍ରମଜୀବୀମାନଙ୍କୁ ରକ୍ଷା କରିହେବ। ମାତ୍ର ପ୍ରାୟ ସମସ୍ତ ପୁଞ୍ଜିବାଦୀ ଦେଶଗୁଡ଼ିକରେ ସରକାରମାନେ କରୋନା ପରିସ୍ଥିତିର ସୁଯୋଗ ନେଇ ଶ୍ରମିକ ଓ କୃଷକମାନଙ୍କ ସ୍ୱାର୍ଥ ବିରୋଧରେ ଆଇନ ପ୍ରଣୟନ କରି ବୃହତ୍ ପୁଞ୍ଜିପତିମାନଙ୍କ ମୁନାଫା ବଢାଇବା ପାଇଁ ପଦକ୍ଷେପ ନେଉଛନ୍ତି। ଆମ ଦେଶରେ ମଧ୍ୟ ବିଶାଳକାୟ ବ୍ୟବସାୟୀଙ୍କ ପାଇଁ ଆଇନ୍ ପାସ୍‌ ହୋଇଛି। ଚଳିତ ମୌସୁମି ଅଧିବେଶନରେ କେନ୍ଦ୍ର ସରକାର କୃଷି ସମ୍ପର୍କିତ ତିନିଟି ବିଲ୍ ଆଣିଛନ୍ତି, ଯାହା ଚାଷୀ ଓ ଜନସାଧାରଣଙ୍କ ଅହିତ ସାଧନ କରିବ। ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫କୁ ସଂଶୋଧନ କରିଦିଆ ଯାଇଛି। ଏହା ବ୍ୟତୀତ ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ କମର୍ସ (ପ୍ରମୋସନ ଆଣ୍ଡ ଫାସିଲିଏସନ) ବିଲ୍-୨୦୨୦ ଏବଂ ଫାର୍ମର୍ସ (ଏମ୍ପାୱାରମେଣ୍ଟ ଆଣ୍ଡ ପ୍ରୋଟେକ୍‌ସନ୍)ଏଗ୍ରିମେଣ୍ଟ ଅନ୍ ପ୍ରାଇସ ଆସୁରାନ୍ସ ଆଣ୍ଡ ଫାର୍ମ ସର୍ଭିସ୍ ବିଲ୍ – ୨୦୨୦ ଗୃହୀତ ହୋଇଯାଇଛି। ଏହି ଆଇନ ଗୃହୀତ ହେବା ଫଳରେ ବଡ ବଡ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ ନିଜ ଇଚ୍ଛାନୁସାରେ ମୂଲ୍ୟ ଦେଇ ଖାଦ୍ୟଶସ୍ୟ ଖରିଦ କରିବେ। ଏହି ଆଇନ ବିରୋଧରେ ଦେଶର ଦୁଇଶହ କୃଷକ ସଂଗଠନ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଏତଦ୍‌ ବ୍ୟତୀତ ୨୩/୯/୨୦୨୦ ତାରିଖରେ କେନ୍ଦ୍ର ସରକାର ୪୪ଟି ଶ୍ରମଆଇନକୁ ସଂଶୋଧନ କରି ଚାରିଟି କୋଡ ପାର୍ଲାମେଣ୍ଟରେ ପାସ କରାଇଲେ। ମଜୁରି ସଂକ୍ରାନ୍ତ କୋଡ ଆଗରୁ ପାର୍ଲାମେଣ୍ଟରେ ଗୃହୀତ ହୋଇଯାଇଛି। ବାକି ତିନିଟି ବିଲ୍‌ ହେଲା ଇଣ୍ଡଷ୍ଟ୍ରିଆଲ ରିଲେସନ କୋଡ-୨୦୨୦, ଦି ଅକୁପେସନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ୱାର୍କିଂ କଣ୍ଡିସନସ୍ କୋଡ- ୨୦୨୦ ଏବଂ ସୋସିଆଲ ସିକ୍ୟୁରିଟି କୋଡ -୨୦୨୦। ଶିଳ୍ପ ସଂପର୍କ କୋଡ ଗୃହୀତ ହେଲାପରେ ଯେଉଁ କାରଖାନାରେ ୩୦୦ ଜଣରୁ କମ୍ ସଂଖ୍ୟକ ଶ୍ରମିକ କାମ କରୁଥିବେ, ସେଠାରେ ଶ୍ରମିକମାନଙ୍କୁ କାମରୁ ବାହାର କରିଦେଲେ ସରକାରଙ୍କର ଅନୁମତି ଆଉ ଦରକାର ହେବ ନାହିଁ। କାରଖାନା ମାଲିକମାନଙ୍କ ସ୍ୱାର୍ଥ ପାଇଁ ସରକାର ଏହି କୋଡ ପାସ୍ କରାଇଛନ୍ତି। ଏହିସବୁ ଆଇନ ଗୃହୀତ ହେବାପରେ ଦେଶର କୋଟି କୋଟି ଶ୍ରମିକଙ୍କ ସୁରକ୍ଷା ପାଇଁ କୌଣସି ଶ୍ରମ ଆଇନ ରହିବ ନାହିଁ। ଶ୍ରମିକମାନେ କ୍ରୀତଦାସରେ ପରିଣତ ହେବେ ଓ ମାଲିକଶ୍ରେଣୀ ଆଗରେ କୈାଣସି ପ୍ରତିବନ୍ଧକ ରହିବ ନାହିଁ।
ଦେଶର ଆର୍ଥିକ ସଙ୍କଟ ତୀବ୍ର ବେଳେ କୌଣସି ଘରୋଇ କମ୍ପାନୀ ଋଣ କରି କାରଖାନା ଚଳାଇବ ନାହିଁ, କାରଣ କାରଖାନାର ଉତ୍ପାଦିତ ସାମଗ୍ରୀ ବିକ୍ରି ହେବାର ଗ୍ୟାରେଣ୍ଟି ନାହିଁ, ଅପରପକ୍ଷରେ ଶ୍ରମଜୀବୀ ଓ କୃଷକମାନଙ୍କ ପାଖରେ ଟଙ୍କା ନାହିଁ, କିଣିବାର କ୍ଷମତା ନାହିଁ। ଜିନିଷ ବିକ୍ରି ନହେଲେ ଲାଭ କିପରି ହେବ? ତେଣୁ ଲାଭ ବଢାଇବା ପାଇଁ ଜିନିଷ ବିକ୍ରି ନହେବାରୁ ଶ୍ରମିକଙ୍କ ମଜୁରି କମାଇ ସେଥିରୁ ମୁନାଫା ଅର୍ଜନ ପ୍ରକ୍ରିୟା ଚାଲିଛି। ମଜୁରି କମ୍, କମ୍ ସଂଖ୍ୟକ ଶ୍ରମିକଙ୍କୁ ନିଯୁକ୍ତିଭଳି ଅନେକ ଅନୈତିକ ବ୍ୟବସ୍ଥା କରାଯାଇଛି। ସେହି ଅର୍ଥନୀତିରେ ସଙ୍କଟର ପରିଣାମ ରାଜନୀତି କ୍ଷେତ୍ରରେ ପ୍ରତିଫଳିତ ହେଉଛି। ଆମେରିକା – ଚୀନ ମଧ୍ୟରେ ଅର୍ଥନୈତିକ ପ୍ରତିଯୋଗିତା, ଆମେରିକା -ୟୁରୋପିୟାନ ୟୁନିୟନ ଦେଶମାନଙ୍କ ମଧ୍ୟରେ ପ୍ରତିଯୋଗିତାର ମୂଳ ଲକ୍ଷ୍ୟ କିଏ କାହାକୁ ନିଃଶେଷ କରିବ। ଗୋଟିଏ ଦେଶ ଅନ୍ୟ ଦେଶକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ହେଉଛି। ଯେତେବେଳେ ସମଗ୍ର ବିଶ୍ୱବାସୀ ଏକ ଅଦୃଶ୍ୟ ମୃତ୍ୟୁକୁ ସାମନା କରୁଛନ୍ତି, ସେତେବେଳେ ସମୁଦାୟ ବିଶ୍ୱ ଏକତ୍ର ହୋଇ ବିଶ୍ୱବାସୀଙ୍କୁ ରକ୍ଷା କରିବା ପରିବର୍ତ୍ତେ କିଏ କାହାକୁ କେତେ ପରିମାଣରେ ଦୁର୍ବଳ ଓ ନିଃଶେଷ କରିପାରିବ, ଏହି ପ୍ରତିଦ୍ବନ୍ଦ୍ବିତାରେ ମାତିଛନ୍ତି। ପୁଞ୍ଜିବାଦୀ ବ୍ୟବସ୍ଥା କେବଳ ମୁନାଫା ପଛରେ ଦୌଡ଼େ ନାହିଁ, ମଣିଷ ସମାଜକୁ ଧ୍ୱଂସ ମୁହଁକୁ ଠେଲିଦିଏ। ଆର୍ଥିକ କ୍ଷେତ୍ରରେ କେବଳ ସଂକଟ ଘଟୁନାହିଁ, ଜଳବାୟୁ, ପରିବେଶ, ମୁକ୍ତ ପବନ, ସ୍ୱଚ୍ଛ ପିଇବା ପାଣି ମଧ୍ୟ ବିଶ୍ୱରେ ଆଉ ମିଳିବାର ଗ୍ୟାରେଣ୍ଟି ନାହିଁ। ମୁନାଫାର ତୃଷା ମଣିଷକୁ ତୃପ୍ତି କରି ପାରିନାହିଁ କି ପାରିବ ନାହିଁ। ଗାନ୍ଧିଜୀ କହିଥିଲେ- ବିଶ୍ୱର ସବୁ ମଣିଷଙ୍କ ଆବଶ୍ୟକତା ପୂରଣ ପାଇଁ ଏ ଧରିତ୍ରୀ ପାଖରେ ସବୁ ଅଛି, ମାତ୍ର ଜଣେ ବ୍ୟକ୍ତିର ଲାଳସା ପୂରଣ ଏ ଧରିତ୍ରୀ କରିପାରିବ ନାହିଁ।
ଭୁବନେଶ୍ବର

Comments are closed.