ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ଵର: ଖେଳ ଶିକ୍ଷୟିତ୍ରୀଙ୍କ ନିର୍ଯାତନା ସହି ନ ପାରି ଶେଷରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରାଜଧାନୀର ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଥିବା ଏକ ସରକାର ସ୍କୁଲରେ ଏହି ଘଟଣା ଘଟିଛି। ଛାତ୍ରୀ ଜଣକ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶନିବାର ଅଭିଭାବକମାନେ ଧାରଣା ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଉକ୍ତ ଶିକ୍ଷୟିତ୍ରୀ ଜଣକ ବାରମ୍ବାର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ନିର୍ଯାତନା ଦେଇଆସୁଛନ୍ତି। ଛାତ୍ରୀମାନେ ଏ ସମ୍ପର୍କରେ ଘରେ ଜଣାଇବା ପରେ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ବାରମ୍ବାର ଶିକ୍ଷୟିତ୍ରୀଙ୍କଠାରୁ ନିର୍ଯାତିତ ହେବା ପରେ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments are closed.