ଟିକ୍ ଟକ୍ ଭିଡ଼ିଓ କରିବା ବେଳେ ନଦୀକୁ ଖସି ଛାତ୍ରୀ ମୃତ; ୩ ଜଣ ଉଦ୍ଧାର

ଜଗତସିଂହପୁର: ଚୀନ୍ ମୋବାଇଲ୍ ଆପ୍ ଟିକ୍ ଟକ୍ ବ୍ୟବହାର ନ କରିବା ପାଇଁ ଅନେକ ଦାବି ହେଉଛି । ଏପରିକି ଟିକ୍ ଟକ୍ ସୁଟିଂ କରିବା ବେଳେ ଅନେକ ଲୋକଙ୍କ ଜୀବନ ଯାଇଛି । ତଥାପି ଯୁବପିଢ଼ି ଚେତୁ ନାହାନ୍ତି । ଟିକ୍ ଟକ୍ ଭିଡ଼ିଓ ସୁଟିଂ କରିବା ବେଳେ ଜଗତସିଂହପୁର ଜିଲାର ଜଣେ ଛାତ୍ରୀ ଆଜି ନଦୀକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି । ଘଟଣାଟି ଘଟିଛି ମାଛଗାଁ ଅଞ୍ଚଳରେ।

ସୂଚନା ଅନୁସାରେ ମଙ୍ଗପୁର ଗାଁର କିଛି ଛାତ୍ରଛାତ୍ରୀ ଟିକ୍ ଟକ୍ ଭିଡ଼ିଓ ସୁଟିଂ କରିବା ପାଇଁ ଦେବୀ ନଦୀ କୂଳକୁ ଯାଇଥିଲେ । ନଦୀ ଅତଡ଼ାରେ ସୁଟିଂ କରୁକରୁ ଜଣକ ପରେ ଜଣେ ନଦୀକୁ ଖସି ପଡ଼ିଥିଲେ । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ନଦୀରୁ ସେମାନଙ୍କୁ ଉଦ୍ଧାର କରିଥିଲେ ହେଁ ଜଣେ ଛାତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରି ନ ଥିଲା । ଗୁରୁତର ହୋଇଥିବା ଅନ୍ୟ ୩ ଜଣଙ୍କୁ ବାଲିକୁଦା ଓ ପରେ ଜଗତସିଂହପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ  ଜାନୁଆରୀ ମାସରେ ଟିକଟକ୍ ସୁଟିଂ ବେଳେ ଜଣେ  ଯୁବକ ମୋଟର ସାଇକେଲ ଧକ୍କାରେ ଜଗତସିଂହପୁର ଜିଲାରେ ପ୍ରାଣ ହରାଇଥିଲେ । ସେହିପରି ଗତ ଏପ୍ରିଲ ୧୭ ତାରିଖରେ ନୟାଗଡ଼ରେ ଟିକଟକ୍ ଭିଡ଼ିଓ କରିବା ବେଳେ ଦୁଇ ଜଣଙ୍କର ଜୀବନ ଯାଇଥିଲା ।

Comments are closed.