୧୦ ବର୍ଷ ଝିଅର କର୍କଟ ପୀଡ଼ିତଙ୍କୁ କେଶ ଦାନ

କୁନି ଝିଅଟେ, ବୟସ ମାତ୍ର ୧୦ ହେଲେ ସେ ସମଗ୍ର ମାନବଜାତିକୁ ଯଥା ଶିକ୍ଷାଟେ ଦେଇଛି। ସମ୍ପତ୍ତି, ଟଙ୍କା ଲୋଭରେ ଆମେ ବଡ଼ମାନେ ପରସ୍ପର ସହ କଳିଝଗଡ଼ା କରିବାବେଳେ ନିଜ ଲୋକଙ୍କୁ ମଧ୍ୟ ଖରାପ ବ୍ୟବହାର କରୁ। ମୃତ୍ୟୁ ଭଳି ଅକାଟ୍ୟ ସତକୁ ଗ୍ରହଣ ନ କରି, ହିତାହିତ ଜ୍ଞାନ ହରାଇ ପରିବାରଲୋକଙ୍କୁ କଟୁକଥା କହିଦେଉ, ଅନ୍ୟକୁ ସାହାଯ୍ୟ କରିବାର ସଦ୍‌ଗୁଣ ସମସ୍ତଙ୍କ ପାଖରେ ନ ଥାଏ। ଇଂଲଣ୍ଡର ସଫଲୋକ୍ ନିବାସୀ ଡୋନା ହେରମନ୍‌ଙ୍କ ୧୦ ବର୍ଷର ଝିଅ ମିଆ କିନ୍ତୁ ବଡ଼ମାନଙ୍କୁ ଭଲ ଶିକ୍ଷାଟେ ଦେଇଛି। ମାତ୍ର ୧୯ମାସର ହୋଇଥିବାବେଳେ ଏଇ କୁନି ଝିଅଟି ଦୂରାରୋଗ୍ୟ କର୍କଟରେ ଆକ୍ରାନ୍ତ ହେଲା। ଡାକ୍ତରଙ୍କ ଆପ୍ରାଣ ଚେଷ୍ଟାରେ ମିଆ ଏବେ ସୁସ୍ଥ ଅଛି, କର୍କଟରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହେବା ପାଇଁ ଆଉ କିଛି ସମୟ ଲାଗିପାରେ। ମିଆ ୫-୬ ବର୍ଷର ହେବାବେଳେକୁ ଧୀରେଧୀରେ ଏଇ ରୋଗର ଭୟାବହତା ଜାଣିପାରିଲା। ରୋଗର ବିଭିନ୍ନ ଚିକିତ୍ସା ସମୟରେ କେମାଥେରାପି, ରାଡିଏସନ୍ ଥେରାପି ଇତ୍ୟାଦି ଚାଲିବାବେଳେ ରୋଗୀ ଦୁର୍ବଳ ହେବା ସହ କେଶ ଝଡ଼ା ମଧ୍ୟ ହୁଏ। କେତେଜଣଙ୍କ ମୁଣ୍ଡରେ କେଶ ହିଁ ନଥାଏ, କର୍କଟର ଚିକିତ୍ସା ସମୟରେ ହୋଇଥିବା ମିଆ ଏସବୁ ଜାଣିପାରିଲେ। ବାପା-ମା’ ତାଙ୍କୁ ଦେଉଥିବା ପକେଟ୍‌ ମନିକୁ ସେ ସଞ୍ଚୟ କରି କର୍କଟ ରୋଗୀ ସହାୟତା ସଂସ୍ଥାକୁ ଦାନ କଲେ। ଏଇ ଚଳିତ ବର୍ଷ ଅଗଷ୍ଟ ମାସର ଘଟଣା, ମିଆ ନିଷ୍ପତ୍ତି ନେଲେ ତାଙ୍କ ଲମ୍ବା କେଶକୁ କାଟି ଛୋଟ କରିବେ। କର୍କଟ ପୀଡ଼ିତ ଶିଶୁଙ୍କ ୱିଗ୍ ପ୍ରସ୍ତୁତି ନିମନ୍ତେ ତାଙ୍କ କଟା କେଶକୁ ସେ ଏକ ସଂସ୍ଥାକୁ ଦାନ କରିଛନ୍ତି। କୁନି ପିଲାଟେ ହୋଇ ମଧ୍ୟ ସେ ବଡ଼ଙ୍କୁ ଉଚିତ୍ ଶିକ୍ଷାଟେ ଦେଇପାରିଛନ୍ତି।

Comments are closed.