ଗିରିସୋଲା ହତ୍ୟାକାଣ୍ଡ ଘଟଣାରେ ୨ଗିରଫ

ଖଣ୍ଡା ଓ ଲୁହ ରଡ଼ ଜବତ

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଗିରିସୋଲା ଗାଁର ହତ୍ୟା ଘଟଣାରେ ପୁଲିସ ପକ୍ଷରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ପୁଲିସ ଗୋଟିଏ ଖଣ୍ଡା ଓ ଲୁହା ରଡ଼ ଜବତ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତ ମୃତକଙ୍କ ଶାଳକ ବୋଲି ଜଣାପଡ଼ିଛି। ଆଜି ଅଭିଯୁକ୍ତ ଦୁଇ ଶାଳକଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

 

ପୁଲିସର ସୂଚନା ଅନୁଯାୟୀ ଗିରିସୋଲା ଗ୍ରାମର ଡି. ଧର୍ମା ସେହି ଗ୍ରାମର ଡି. ରାବଣାମ୍ମାକୁ ବିବାହ କରିଥିଲେ। ଧର୍ମାଙ୍କ ଆର୍ଥିକ ସ୍ଥିତି ସ୍ଵଛଳ ନଥିବା ବେଳେ  ଚାରିବର୍ଷ ତଳେ ଧର୍ମାଙ୍କ ଶଶୁରଙ୍କ ମୃତ୍ୟୁ ଘଟିବା ପରେ ଶଶୁର ଘର ସହ ଧର୍ମା ଏବଂ ସ୍ତ୍ରୀ ରାବଣାମ୍ମାଙ୍କ ସମ୍ପର୍କ ନିବିଡ଼ ହେବା ସହ ଧର୍ମାଙ୍କୁ ଶ୍ବଶୁର ଘର ପକ୍ଷରୁ ସହାୟତା କରିଆସୁଥିଲେ । ଗତ ପ୍ରାୟ  ଏକ ବର୍ଷ ତଳେ ଧର୍ମାଙ୍କ ଦୁଇ ଶଳା ବି. ନାଗେଶ୍ୱର ଓ ବି. ତ୍ରିପତି ସମ୍ପତି ଓ ଟଙ୍କା ହଡପ ସନ୍ଦେହ କରି ଧର୍ମାଙ୍କୁ ଘରକୁ ନ ଆସିବା ପାଇଁ ବାରଣ କରିଆସୁଥିବା ବେଳେ ଗତ ଗୁରୁବାର ରାବଣାମ୍ମାଙ୍କ ମାଆ ଦେହ ଖରାପ ଯୋଗୁ ସେ ବାପ ଘରକୁ ଯାଇଥିଲେ । ସେଠାରେ କୌଣସି କଥାକୁ ନେଇ ୨ ଭାଇ ସହ ରାବଣାମ୍ମାଙ୍କ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣା ନେଇ ସେ ତାଙ୍କ ସ୍ବାମୀ ଧର୍ମାଙ୍କୁ ଫୋନ ଯୋଗେ କହିଥିଲେ। ଏହା ଶୁଣି ଧର୍ମା ଓ ତାଙ୍କ ଭାଇ ଜେଜାରାଓ, ତ୍ରିପତି ଙ୍କ ଘରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲେ। ଏହି ସମୟରେ ଦୁଇ ଶଳା ତ୍ରୀପତି ଓ ନାଗେଶ୍ବର ଧାରୁଆ ଖଣ୍ଡାରେ ଧର୍ମାଙ୍କୁ ଆକ୍ରମଣ କରିଥିଲେ। ଧର୍ମାଙ୍କୁ ସୁରକ୍ଷା ଦେବା ନିମନ୍ତେ ତାଙ୍କ ଭାଇ ଜେଜାରାଓ ଓ ସ୍ତ୍ରୀ ରାବଣାମ୍ମା ପ୍ରତିରୋଧ କରିବାରୁ ସେମାନେ ମଧ୍ୟ ଖଣ୍ଡା ଚୋଟରୁ ବର୍ତ୍ତି ପାରିନଥିଲେ। ଯଦ୍ବରା ତିନିଜଣ ଗୁରୁତର ହୋଇଥିଲେ। ଗୁରୁତର ଧର୍ମାଙ୍କ ସମେତ ରାବଣାମ୍ମ ଓ ଜେଜା ରାଓଙ୍କୁ ପରିବାରବର୍ଗ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସିତ ଅବସ୍ଥାରେ ଧର୍ମାଙ୍କ ବଡ ମେଡିକଲରେ ମୃତ୍ୟୁ ଘଟି ଥିଲା । ଏନେଇ ଗୋଳନ୍ଥରା ଥାନାରେ କେଶ ନମ୍ବର୭୭/୨୧ ରେ ଏକ ହତ୍ୟା ମାମଲା ରୁଜୁ କରି ୨ ଶଳାକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବାବୁଲି ନାୟକ ପ୍ରକାଶ କରିଛନ୍ତି।

Comments are closed.