ନେତାଜୀ ଥିଲେ ସାଲିସ ବିହୀନ ସଂଗ୍ରାମର ମୂର୍ତ୍ତିମନ୍ତ ପ୍ରତୀକ

ଗୁରୁଡିଝାଟିଆ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ତ୍ୟାଗ, ତୀତିକ୍ଷା ଓ ଦେଶପ୍ରୀତିର ପଟାନ୍ତର ନାହିଁ। ତାଙ୍କର ଜୀବନ ଥିଲା ସଂପୂର୍ଣ୍ଣ ତ୍ୟାଗ ଉପରେ ପର୍ଯ୍ୟବସିତ। ସମଗ୍ର ଜୀବନ ବିତିଥିଲା ଭାରତ ମାଆର ସେବା କରିବାରେ। ଜାତୀୟତା ଭାବରେ ଉଦବୁଦ୍ଧ ହୋଇ ବିପ୍ଲବାତ୍ମକ ଚିନ୍ତା ଚେତନା ଓ କାର୍ଯ୍ୟପନ୍ଥାକୁ ଆପଣେଇ ନେଇ ଇଂରେଜ ବିରୋଧରେ ସଂଗ୍ରମା କରି ଦେଖାଇଦେଇଥିଲେ ନିଜର ଅପୂର୍ବ ବୀରତ୍ୱ ଓ ସାହସ ବୋଲି ମାଧବପୁରସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ଗୋପବନ୍ଧୁୂ ଚିକିତ୍ସାଳାୟ ଓ ନର୍ସିଂ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ରଥ ପ୍ରକାଶ କରିଛନ୍ତି। ନର୍ସିଂ କଜେଲର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ଶ୍ରୀ ରଥ କହିଥିଲେ ନେତାଜୀ ଥିଲେ ସାରଥୀ ବିହୀନ ଅର୍ଜୁନ, ଯିଏ ନିଜେ ନିଜର ବୀରତ୍ୱକୁ ସ୍ୱାଧୀନତା ସଂଗ୍ରାମରେ ଦେଖାଇଦେଇଥିଲେ। ଜୀବନକୁ ବାଜି ଲଗାଇଦେଇଥିଲେ ଦେଶମାତୃକାର ସେବାରେ। ବାସ୍ତବରେ ସେ ଥିଲେ ଭାରତମାତାର ଅପୂର୍ବ ସନ୍ତାନ। ତାଙ୍କର ଜୟନ୍ତୀ ଉତ୍ସବ ପାଳନ କରିବା ଓ ଜୀବନୀ ସଂପର୍କରେ ଆଲୋଚନା କରିବାରେ ପୂଣ୍ୟତା ମିଳିଥାଏ ବୋଲି ଶ୍ରୀ ରଥ କହିଛନ୍ତି।

ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ନେତାଜୀଙ୍କୁ ଉଚ୍ଚାଭିଳାଷୀ, ଦୃଢମନା ଓ ନିସ୍ୱାର୍ଥପର ଦେଶ ସେବକ ଭାବରେ ଅଭିହିତ କରିଥିଲେ। ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ଦୂରଦୃଷ୍ଟିତ୍ତଉତ୍ତମ ସମାଜ ଗଠନର ପରିକଳ୍ପନା, ଉଜ୍ୱଳ ବ୍ୟକ୍ତିତ୍ୱ ଓ ନାରୀ ସମାଜ ପ୍ରତି ସମ୍ମାନବୋଧ ସଂପର୍କରେ ଆଲୋକପାତ କରିଥିଲେ। ନର୍ସିଂଛାତ୍ରୀ ପ୍ରିୟଦର୍ଶିନୀ ତ୍ରିପାଠୀ, ଜ୍ୟୋତିମୟୀ ପଣ୍ଡା, ଅନନ୍ୟା ଖୁଣ୍ଟିଆ ଓ ଶୁଭସ୍ମିତା ପୃଷ୍ଟି ପ୍ରମୁଖ ନେତାଜୀଙ୍କ ଜୀବନୀ ସଂପର୍କରେ ଉଦ୍‌ବୋଧନ ଦେଇଥିଲେ। ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦ ନେତାଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ନର୍ସିଂ ବିଦ୍ୟାର୍ଥୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଅଧ୍ୟାପିକା ବି.କେ ଶୁଭଲକ୍ଷ୍ମୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ନେହାସିକ୍ତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.