ଫୁଲ ନୁହେଁ ବହିଟିଏ ହିଁ ବାସ୍ତବତାର ଚିତ୍ର ଆଙ୍କିଦିଏ ମନରେ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଫୁଲ ପରିବର୍ତ୍ତେ ଉପହାର ପାଇଁ ପୁସ୍ତକ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରବର୍ତ୍ତୀ ପ୍ରଥମ ମନ କି ବାତ’ରେ ମୋଦୀ ପ୍ରଖ୍ୟାତ ହିନ୍ଦୀ ଲେଖକ ପ୍ରେମ୍‍ଚାନ୍ଦ୍‍ଙ୍କ କାହାଣୀ ସଂପର୍କରେ ସୂଚନା ଦେଇ ସେ ସବୁର ବାର୍ତ୍ତା ଏବେ ମଧ୍ୟ ପ୍ରାସଙ୍ଗିକ ବୋଲି କହିଛନ୍ତି। ଇଦ୍‍ଗା, ପୁଷ୍‍ କି ରାତ, ନସା ଆଦି ଗଳ୍ପରେ ସାମାଜିକ ବାସ୍ତବତାର ଚିତ୍ର ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଥିବା ବୋଲି ସେ କହିବା ସହ ସରଳ ଏବଂ ସାବଲୀଳା ଭାଷାରେ ମାନବିକ ଭାବାବେଗ କିପରି ପ୍ରକାଶ ପାଇପାରେ, ତାହା ସେଥିରେ ରହିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କେରଳର ଇଡୁକି ଜିଲ୍ଲା ଅନ୍ତର୍ଗତ ଏକ ବଣଜଙ୍ଗଲ ଘେରା ଗ୍ରାମରେ ଥିବା ଅକ୍ଷର ପାଠାଗାର ସଂପର୍କରେ ମଧ୍ୟ କହିଛନ୍ତି। ଜଣେ ପ୍ରାଥମିକ ଶିକ୍ଷକ ପି.କେ. ମୁରଲୀଧରନ୍‍ ଏବଂ ଜଣେ ଚା ଦୋକାନୀ ପି.ଭି. ଚିନାତାମ୍ପି ଅକ୍ଳାନ୍ତ ପରିଶ୍ରମ କରି ଏହି ପାଠାଗାରକୁ ତିଆରି କରିଛନ୍ତି। ଆଦିବାସୀ ପିଲାମାନଙ୍କ ପାଠପଢ଼ା କ୍ଷେତ୍ରରେ ଏହା ନୂଆ ରାସ୍ତା ଦେଖାଇଛି। ଦୈନିକ ଜୀବନରେ ପଠନ ଅଭ୍ୟାସ ଉପରେ ସେ ଗୁରୁତ୍ୱ ଦେବାକୁ କହିଛନ୍ତି।

Comments are closed.