କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିରୁ ବାଦ୍‌ ପଡିଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: କଂଗ୍ରେସର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ପୁନର୍ଗଠନ କରାଯାଇଥିବାବେଳେ ସେଥିରୁ ଗୁଲାମ ନବୀ ଆଜାଦଙ୍କୁ ବାଦ୍‌ ଦିଆଯାଇଛି । ଏହି କମିଟିର ସଦସ୍ୟ ସଚିବ ଥିବା ମୋତିଲାଲ ଭୋରାଙ୍କ ପରଲୋକ ପରେ କମିଟି ପୁନର୍ଗଠନ କରାଯିବା ଆବଶ୍ୟକ ଥିଲା । ପୁନର୍ଗଠିତ କମିଟିରୁ ଗୁଲାମ ନବୀଙ୍କ ସମେତ ପୂର୍ବତନ ଗୃହମନ୍ତ୍ରୀ ସୁଶିଲ କୁମାର ସିନେ୍ଦ ଏବଂ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଟ ମିଥିଙ୍କୁ ବାଦ୍‌ ଦିଆଯାଇଛି । ଏ କେ ଆଣ୍ଟୋନି କମିଟିର ମୁଖ୍ୟ ଥିବାବେଳେ ଏଥିରେ ଚାରି ନୂଆ ସଦସ୍ୟଙ୍କୁ ନିଆଯାଇଛି । ନୂଆ କମିଟିରେ କଂଗ୍ରେସର ସାଧାରଣ ସମ୍ପାଦକ ତାରିକ ଅନୱର ସଦସ୍ୟ ସଚିବ ଭାବରେ ଦାୟିତ୍ୱ ତୁଲାଇବେ । ଏଥିସହିତ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟା ଅମ୍ବିକା ସୋନି, ଦିଲ୍ଲୀର ବରିଷ୍ଠ କଂଗ୍ରେସ ନେତା ଜୟ ପ୍ରକାଶ ଅଗ୍ରୱାଲ ଏବଂ ପରମେଶ୍ୱରଙ୍କୁ ନୂଆ ସଦସ୍ୟ ଭାବରେ ନିଆଯାଇଛି । ସୂଚନାଯୋଗ୍ୟ ଯେ କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ କରିବାକୁ ସୋନିଆ ଗାନ୍ଧୀଙ୍କ ନିକଟକୁ ପତ୍ର ଲେଖିଥିବା ୨୩ ଜଣ ଦଳୀୟ ନେତାଙ୍କ ମଧ୍ୟରେ ଗୁଲାମ ନବୀ ମଧ୍ୟ ରହିଥିଲେ ।

Comments are closed.