ଘର ଓଡ଼ିଶାରେ; ଆନ୍ଧ୍ରରେ ଡ଼ାକଘର

ପାତ୍ରପୁର(ରବୀନ୍ଦ୍ର ମିଶ୍ର): ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ  ଦୀର୍ଘବର୍ଷ ବିତି ଯାଇଛି। ଏବେ ବି ଓଡ଼ିଶାର କିଛି ଗ୍ରାମ ଆନ୍ଧ୍ର ପରିଚୟରେ ରହିଛି। ଓଡ଼ିଶା ପରିଚୟରେ ଥିବା ଆନ୍ଧ୍ର ଗ୍ରାମକୁ ନିଜ ପରିସରଭୁକ୍ତ କରିବାରେ ଆନ୍ଧ୍ର ସଫଳ ହେବା ସହ  ଅନ୍ୟ କେତକ ଓଡ଼ିଶା ଗ୍ରାମରେ ନିଜର ଉପସ୍ଥିତି ଜାହିର କରିବାକୁ ପ୍ରୟାସ ଜାରି ରଖିଛି।  ଅନ୍ୟପକ୍ଷରେ ଓଡ଼ିଶାରେ ରହିଥିବା କେତେକ ଗ୍ରାମ ଏବେ ବି ଆନ୍ଧ୍ରର ସେବା ଉପରେ ନିର୍ଭରଶୀଳ। ଡାକସେବା ଭଳି ଏକ ପ୍ରମୁଖ ସେବା ଓଡ଼ିଶାର କେତେକ ଗ୍ରାମ ଆନ୍ଧ୍ର ଦ୍ବାରା ପରିଚାଳିତ ହେଉଛି।  ଫଳରେ ଆନ୍ଧ୍ର ସୀମାନ୍ତରେ ରହିଥିବା ପାତ୍ରପୁର ବ୍ଲକର କେତେକ ଗ୍ରାମବାସୀ ଅସୁବିଧା ଭୋଗୁଛନ୍ତି।
ପାତ୍ରପୁର ବ୍ଲକର ବି.ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଶବରଦେଇପେଟା ଗ୍ରାମର ଡାକଘର ଆନ୍ଧ୍ର ଲୋଧାପୁଟି ଗ୍ରାମରେ ରହିଛି। ସେହିପରି ଗୁଡିପଦର ପଞ୍ଚାୟତର ସି.ବଳରାମପୁରର ଡାକଘର ଆନ୍ଧ୍ର ଧର୍ମପୁର ଗ୍ରାମରେ ରହିଛି। ବି.ନୂଆଗାଁ ଡାକଘର ଅଧୀନରେ ବି.ନୂଆଗାଁ ,ଜୟପୁର, ଟି.ବ୍ରହ୍ମପୁର, ପମଙ୍ଗା, ସରଧାପୁର ଏ, ବି ଓ ସି(ତିନୋଟି ଗ୍ରାମ) ସହିତ ଆନ୍ଧ୍ରର ପୁରୁଣାଶାସନ ଏବଂ ନୂଆଶାସନ ଗ୍ରାମ ରହିଥିଲା। ଏ ମଧ୍ୟରେ ଆନ୍ଧ୍ରର ପୁରୁଣାଶାସନ ଓ ନୂଆଶାସନ ଗ୍ରାମର ପୋଷ୍ଟ ଅଫିସକୁ ଆନ୍ଧ୍ରର ଅରଖପଦା ପଞ୍ଚାୟତ ଡାକଘରେ ସେଠାକାର ସରକାର ସାମିଲ କରିଛନ୍ତି। କିନ୍ତୁ ଓଡିଶା ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ନପାଇବାରୁ ଓଡ଼ିଶାର ତିନୋଟି ଗ୍ରାମ ଶବରଦେଇପେଟା, ଚିକିଟି ବଳମରାମପୁର ଓ ବଳରାମପୁର ଗ୍ରାମର ଡାକଘର  ପୂର୍ବ ଭଳି ଆନ୍ଧ୍ରପ୍ରଦେଶରେ ରହିଛି।
ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପାତ୍ରପୁର ବ୍ଲକର ଶବରଦେଇପେଟା ଗ୍ରାମରେ ପ୍ରାୟ ଦୁଇହଜାର ଏବଂ ଚିକିଟି ବଳରାମପୁର ଗ୍ରାମରେ ପ୍ରାୟ ୭୦୦ ଲୋକ ବସବାସ କରୁଥିବା ବେଳେ ଅନ୍ୟ ଏକ ଚିକିଟି ବଳରାମପୁର ଗ୍ରାମରେ ଓଡ଼ିଶାର କୋଡିଏ ପରିବାର ବସବାସ କରୁଛନ୍ତି। ସେହି ଗ୍ରାମରେ ଆନ୍ଧ୍ରର ଶହେରୁ ଅଧିକ ପରିବାର ରହୁଛନ୍ତି। ଏହିସବୁ ଗ୍ରାମର ଲୋକଙ୍କୁ ଆନ୍ଧ୍ର  ଠିକଣାରେ  ଚିଠି,  ଟେଲିଗ୍ରାମ ଆସୁଛି। ବେଳେ ବେଳେ ବି.ନୂଆଗାଁ ଏବଂ ଗୁଡିପଦର ଠିକଣାରେ ଚିଠି କିମ୍ବା ଅନ୍ୟ କୌଣସି ଡାକ ଆସିଲେ ତାହା ଆନ୍ଧ୍ର ଡାକଘରକୁ ପଠାଇ ଦିଆ ଯାଉଛି।  ଆନ୍ଧ୍ର-ଓଡ଼ିଶା ସୀମାନ୍ତ ପାତ୍ରପୁର ବ୍ଲକର  ଗୁଡିପଦର ଗୋଟିଏ ଗ୍ରାମ ପାଇଁ ଡାକଘର ରହିଛି। ଏହାର ପାର୍ଶ୍ୱରେ ଥିବା ସେହି ପାତ୍ରପୁର ବ୍ଲକର ଶବରଦେଇପେଟା ଏବଂ ଦୁଇ ବଳରାମପୁର ଗ୍ରାମକୁ ଆନ୍ଧ୍ର ଠିକଣାରେ ଚିଠିପତ୍ର ଆସୁଥିବାରୁ ଜରୁରୀ ସୂଚନା କିମ୍ବା ପାର୍ସଲ ଆଦି ପାଇବାରେ ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି। ଏହି ତିନିଗୋଟି ଗ୍ରାମକୁ ବଳରାମପୁର ଗ୍ରାମରେ ଥିବା ଡାକଘରେ ସାମିଲ କରିବାକୁ ବହୁବାର ଦାବି ହୋଇ ଆସୁଥିଲେ ହେଁ ସେଥିପ୍ରତି ଧ୍ୟାନ ଦିଆଯାଇନି।
ଆନ୍ଧ୍ରପ୍ରଦେଶର ଦୁଇଟି ଗ୍ରାମକୁ ଓଡ଼ିଶାର ଡାକଘରୁ ପ୍ରତ୍ୟାହାର କରି ନିଆଯାଇ ଆନ୍ଧ୍ର ଡାକଘରେ ସାମିଲ କରି ଦିଆଯାଇଥିବା  ବେଳେ ଓଡ଼ିଶାର ତିନୋଟି ଗ୍ରାମର ଡାକ ଠିକଣା ବଦଳି ପାରିନି। ସେହିପରି ଏହି ବ୍ଲକର ବୁତାତାଲ ପଞ୍ଚାୟତର ଗୁଡିଖଳା, ତୁମ୍ବା ପଞ୍ଚାୟତର କୁଲାଡ଼ି, ସାତପୁରୀ, ବାବନାସାହି, ସିଲେଇସିଙ୍ଗି ଆଦିବାସୀ ଗ୍ରାମର ଲୋକେ  ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ଠିକଣାରେ ଡାକ ସେବା ପାଉଛନ୍ତି।  ଗୁଡିଖଳା ଗ୍ରାମବାସୀ ଓଡ଼ିଶାର ପାତ୍ରପୁର ବ୍ଲକଠାରୁ ପ୍ରାୟ ୨୫ କିଲୋମିଟର ଦୂର ଅଣ୍ଡଅଣ୍ଡା ଏବଂ  ପାଞ୍ଚ କିଲୋମିଟର ଦୂର ଆନ୍ଧ୍ରର ବୁଡାରସିଂ ଡାକଘରୁ ସେବା ପାଉଛନ୍ତି। ସେହିପରି  କୁଲାଡି, ସାତପୁରୀ, ବାବନାସାହି ଏବଂ ସିଲେଇସିଙ୍ଗି ଗ୍ରାମବାସୀ ଓଡ଼ିଶାର ତୁମ୍ବା ଏବଂ ଆନ୍ଧ୍ରର ବାଦପୁରର  ଡାକଘରୁ ସେବା ପାଉଛନ୍ତି। ପାତ୍ରପୁର ବ୍ଲକର ତିନୋଟି ଗ୍ରାମରେ ଆନ୍ଧ୍ର ଠିକଣାରେ ଚିଠି ମିଳୁଥିବା ବେଳେ ପାଞ୍ଚଟି ଆଦିବାସୀ ଗ୍ରାମ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରର ଡାକସେବାରେ ସାମିଲ ହୋଇଛନ୍ତି।  ଏହି ୫ଟି ଗ୍ରାମକୁ ବିଦ୍ୟୁତ ସେବା ଠାରୁ ଆରମ୍ଭ କରି ରାସ୍ତା ନିର୍ମାଣ, ଆଧାର କାର୍ଡ, ଭୋଟ ପରିଚୟପତ୍ର ପ୍ରଦାନ,  ରେସନ କ।ର୍ଡ଼ରେ ସାମଗ୍ରୀ ଯୋଗାଣ  ଭଳି କାର୍ଯ୍ୟକ୍ରମ ଆନ୍ଧ୍ର ସରକାରଙ୍କ ତରଫରୁ  ଜାରି ରହିଛି। ସ୍ବତନ୍ତ୍ର ଓଡିଶା ପ୍ରଦଶେ ଗଠନର ଦୀର୍ଘବର୍ଷ ବିତି ଯାଇଥିଲେ ସୁଦ୍ଧା ଓଡ଼ିଶାର ଲୋକେ ଏବେ ବି ଆନ୍ଧ୍ର ଡାକଘର ଉପରେ ନିର୍ଭର କରୁଛନ୍ତି। ଏ ଦିଗରେ ପାତ୍ରପୁର ବ୍ଲକ ଏବଂ ଜିଲା ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

Comments are closed.