ପ୍ରଦୂଷଣ ହ୍ରାସ ପାଇଁ ଡିଜେଲ ବଦଳରେ ଇଲେକ୍ଟ୍ରିକ ବସ୍‌ ଚଳାଇବାକୁ ପରୋକ୍ଷରେ ପରାମର୍ଶ ଦେଲେ ମର୍କେଲ

ନୂଆଦିଲ୍ଲୀ: ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ୨ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶନିବାର ସେ ରାଜଧାନୀ ନୂଆଦିଲ୍ଲୀ ଗସ୍ତ କରିବା ସହିତ ସହରରେ ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତରେ ସବୁଜ ସହର ଗତିଶୀଳତା ପାଇଁ ଜର୍ମାନୀ-ଭାରତ ମଧ୍ୟରେ ସହଭାଗିତା ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ଜର୍ମାନୀ ୧୦୦ କୋଟି ୟୁରୋ ଅର୍ଥାତ ପ୍ରାୟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି।

ଏହା ସହିତ ସେ ଆହୁରି କହିଥିଲେ ଯେ, ଜର୍ମାନୀ ତାମିଲନାଡୁରେ ବସ୍‌ ପରିବହନ ସେବା କ୍ଷେତ୍ରରେ ସୁଧାର ଆଣିବା ଲାଗି ୨୦ କୋଟି ୟୁରୋ ଅର୍ଥାତ ପ୍ରାୟ ୧୬୦୦ କୋଟି ଟଙ୍କା ଖର୍ଚ୍ଚ କରିବ। ଗତ ଶୁକ୍ରବାର ଦିଲ୍ଲୀରେ ପ୍ରଦୂଷଣକୁ ଯେଉଁମାନେ ଦେଖିଛନ୍ତି ସେମାନେ ପରିବହନ କ୍ଷେତ୍ରରେ ଡିଜେଲ ବସଗୁଡ଼ିକୁ ଇଲେକ୍ଟ୍ରିକ ବସରେ ପରିବର୍ତ୍ତନ କରିବା ପାଇଁ ଗୋଟିଏ ଭଲ ଯୁକ୍ତି ପାଇଯାଇଥିବେ ବୋଲି ମର୍କେଲ କହିଛନ୍ତି। ଅର୍ଥାତ୍‌ ମର୍କେଲ ପରୋକ୍ଷରେ ପ୍ରଦୂଷଣ ହ୍ରାସ କରିବା ଲାଗି ଡିଜେଲ ବସ ବଦଳରେ ଇଲେକ୍ଟ୍ରିକ ବସ୍‌ ଚଳାଚଳ କରିବାକୁ ପରାମର୍ଶ ଦେଇଛନ୍ତି।

Comments are closed.