ନରୱନେଙ୍କ ନେତୃତ୍ୱରେ ଭାରତୀୟ ସେନା ଶିଖରକୁ ଛୁଇଁବ – ଜେନେରାଲ୍‍ ବିପିନ ରାୱତ

ନୂଆଦିଲ୍ଲୀ: ପୂର୍ବତନ ସେନା ମୁଖ୍ୟ ଜେନେରାଲ୍‍ ବିପିନ ରାୱତ ଆଜି ସେବା ନିବୃତ୍ତ ହେବା ପରେ ତାଙ୍କ ତିନି ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ସମସ୍ତ ପ୍ରକାର ସମର୍ଥନ ଦେଇଥିବାରୁ ସମସ୍ତ ସେନା ଅଧିକାରୀ ଓ ତାଙ୍କ ପରିବାରକୁ କୃତଜ୍ଞତା ଜଣାଇଛନ୍ତି। ଜେନେରାଲ ରାୱତ ସେନାବାହିନୀର ପରମ୍ପରାକୁ ବଜାୟ ରଖି ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସମସ୍ତ ସୈନିକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଦେଶର ସୁରକ୍ଷାକୁ ପ୍ରାଥମିକତା ଦେଇ ଉତ୍ତର, ପଶ୍ଚିମ ଓ ପୂର୍ବ ଭାଗ ସୀମାରେଖା ଅଞ୍ଚଳରେ ଅତ୍ୟଧିକ ଶୀତ ଓ ବରଫ ଆଚ୍ଛାଦିତ ପବନ ଭଳି ପାଣିପାଗରେ କାର୍ଯ୍ୟ କରୁଥିବା ସୈନିକମାନଙ୍କୁ ଜେନେରାଲ ରାୱତ ସ୍ୱତନ୍ତ୍ର ଭାବେ ପ୍ରଶଂସା କରିଛନ୍ତି।

ବିଦାୟକାଳୀନ ଗାର୍ଡ ଅଫ୍‍ ଅନର ଦିଆଯିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଜେନେରାଲ୍‍ ରାୱତ କହିଛନ୍ତି ନୂଆ ସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍‍ ଏମ୍‍.ଏମ୍‍. ନରୱନେଙ୍କ ନେତୃତ୍ୱରେ ଭାରତୀୟ ସେନା ଶିଖରକୁ ଛୁଇଁବ। ସେ କହିଛନ୍ତି, ଜେନେରାଲ୍‍ ନରୱନେ ଜଣେ ଦକ୍ଷ ଓ ସମର୍ଥ ଅଫିସର। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଜେନେରାଲ୍‍ ରାୱତ କହିଛନ୍ତି, ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ସୁରକ୍ଷା ପ୍ରସଙ୍ଗର ମୁକାବିଲା ପାଇଁ ସେନା ପ୍ରସ୍ତୁତ ରହିଛି।

ଭାରତର ପ୍ରଥମ ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍ ଭାବେ ନିଯୁକ୍ତ ଜେନେରାଲ୍‍ ରାୱତ ନୂଆକରି ନବନିର୍ମିତ ପ୍ରତିରକ୍ଷା ବ୍ୟାପାର ବିଭାଗର ମଧ୍ୟ ମୁଖ୍ୟ ଭାବେ କାର୍ଯ୍ୟ କରିବେ। ସାଇବର ଓ ମହାକାଶ ସମ୍ବନ୍ଧୀୟ ସଂସ୍ଥା ମଧ୍ୟ ସି.ଡି.ଏସ୍‍. ଅଧୀନରେ ରହିବ ଏବଂ ସେ ନ୍ୟୁକ୍ଲିୟର କମାଣ୍ଡ ଅଥରିଟିର ସାମରିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ସି.ଡି.ଏସ୍‍. ପଦବୀରେ ନିଯୁକ୍ତି ପାଇବା ପରେ ତାଙ୍କ ପ୍ରାଥମିକତା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରାୱତ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେ ସେନା ମୁଖ୍ୟ ଭାବେ ତାଙ୍କ କାର୍ଯ୍ୟରେ ମନୋନିବେଶ କରିଥିଲେ ଏବଂ ନୂଆ କାର୍ଯ୍ୟାଳୟରେ ଯୋଗଦେବା ପରେ ସେ ତାଙ୍କ ନୂତନ କାର୍ଯ୍ୟ ସମ୍ପର୍କରେ ଚିନ୍ତା କରିବେ।

Comments are closed.