ଇମ୍ରାନଙ୍କ ପାଇଁ ନୂଆ ସଙ୍କଟ ‘ବାଜୱା’: ଇସ୍ତଫା ଗ୍ରହଣ ନ କରିବା ପରେ ଦେଶବ୍ୟାପୀ ଅସନ୍ତୋଷ

 ବେଆଇନ ଓ ଅନୈତିକ ଭାବରେ ବିପୁଳ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପରାମର୍ଶଦାତା ପଦରୁ ଆସିମ୍ ବାଜୱା ଇସ୍ତଫା ଦେଇଛନ୍ତି । ଆସିମ ଓ ତାଙ୍କ ପରିବାର ଦେଶ ବିଦେଶରେ ବିପୁଳ ସମ୍ପତ୍ତି ଏକତ୍ରିତ କରିଥିବା ନିକଟରେ ଏକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଆସିମ୍ ବାଜୱା, ତାଙ୍କ ପତ୍ନୀ, ଭାଇ ଓ ଅନ୍ୟ ସଂପର୍କୀୟମାନେ ବିଭିନ୍ନ ଦେଶର ଶତାଧିକ କମ୍ପାନୀର ମାଲିକ ଥିବା ଏଥିରେ ଉଲ୍ଲେଖ ଥିଲା ।

ଇସଲାମାବାଦ: ଲକ୍ଷଲକ୍ଷ ଡ଼ଲାର ଅଘୋଷିତ ସମ୍ପତ୍ତିର ମାଲିକ ହୋଇଥିବା ସଂକ୍ରାନ୍ତ ଖବର ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିବାଦୀୟ ସ୍ବତନ୍ତ୍ର ପରାମର୍ଶଦାତା ତଥା ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଆସିମ୍ ସଲିମ ବାଜୱା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବାଜୱାଙ୍କ ଇସ୍ତଫାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଏହା ପରେ ଦେଶରେ ବାଜୱାଙ୍କୁ ନେଇ ସୃଷ୍ଟି ହୋଇଛି ବିବାଦ । ବିରୋଧୀଦଳଗୁଡ଼ିକ ବାଜୱା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆକ୍ଷେପ କରିଛନ୍ତି । ସୂଚନାଯୋଗ୍ୟ ଯେ ବାଜୱା କେବଳ ଇମ୍ରାନଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିଲେ, ମାତ୍ର ଚୀନ-ପାକିସ୍ତାନ ଇକୋନୋମିକ କରିଡ଼ର (ସିପେକ୍)ର ଅଧ୍ୟକ୍ଷ ପଦ ସେ ଛାଡ଼ି ନ ଥିଲେ । ତଥାପି ଇମ୍ରାନ ତାଙ୍କର ଇସ୍ତଫା ଗ୍ରହଣ କରି ନାହାନ୍ତି ।

ପାକିସ୍ଥାନ ସମ୍ବାଦପତ୍ର ‘ଡ଼ନ୍’ ଅନୁସାରେ  ବାଜୱା, ତାଙ୍କ ପତ୍ନୀଙ୍କ ନାଁରେ ପାକିସ୍ଥାନ, ଦୁବାଇ, ଆମେରିକା ଓ ଇଂଲଣ୍ଡରେ ବିପୁଳ ସମ୍ପତ୍ତି ଥିବା ଏକ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା । ସେହିପରି ଏକଦା ପିଜା ଡ଼େଲିଭରି କରୁଥିବା ତାଙ୍କର ଭାଇ ୯୯ଟି କମ୍ପାନୀର ମାଲିକ ଥିବା ଏଥିରେ ଉଳ୍ଲେଖ କରାଯାଇଥିଲା । ଏହାପରେ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା, ବିରୋଧୀଦଳମାନେ ତାଙ୍କୁ ବହିଷ୍କାର କରିବା ପାଇଁ ଇମ୍ରାନଙ୍କ ଉପରେ ଚାପ ପକାଇଥିଲେ । ମାତ୍ର ଏହି ସମୟରେ ବାଜୱା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ପୂର୍ବପରି ସିପେକର ଅଧ୍ୟକ୍ଷ ରହିଛନ୍ତି । ଯଦିଓ ସିପେକ ଅଧ୍ୟକ୍ଷ  ଏକ ପ୍ରଶାସନିକ ପଦ ଏବଂ ଏଥିରେ କେବଳ ଅଣସାମରିକ ଅଧିକାରୀ ଅଧ୍ୟକ୍ଷ ହେବାର ନିୟମ ରହିଛି । ଏଥିରେ କୌଣସି ସେନା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ପାରିବ ନାହିଁ ବୋଲି ନିୟମ ଥିବା ସତ୍ବେ ଇମ୍ରାନ ଖାଁ ବାଜୱାଙ୍କୁ ଏହାର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲେ ।

ଏକ ଟିଭିକୁ ସାକ୍ଷାତକାର ଦେଇ ବାଜୱା ତାଙ୍କ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ଓ ତାଙ୍କ ଉପରେ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି । ସେ ବା ତାଙ୍କ ପରିବାର କିଛି ଭୁଲ କରିନାହାନ୍ତି ବୋଲି ଉଲ୍ଲେଖ କରି ତାଙ୍କର ଭାବମୂର୍ତି କ୍ଷୁର୍ଣ୍ଣ କରାଯିବାକୁ ଷଡ଼ଯନ୍ତ୍ର କରାଯାଇଥିବା ସେ କହିଛନ୍ତି ।

ଆସିମ ସଲିମ୍ ବାଜୱା ପୂର୍ବରୁ ପାକିସ୍ଥାନୀ ସେନାର ମୁଖପାତ୍ର ଥିଲେ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହ ତାଙ୍କର ନିବିଡ଼ିତା ଯୋଗୁଁ ତାଙ୍କୁ ସୋପିକ୍ ଅଧ୍ୟକ୍ଷ ଭାବରେ ଇମ୍ରାନ ନିଯୁକ୍ତି ଦେଇଥିଲେ । ବାଜୱା ଓ ତାଙ୍କ ପରିବାର ଆମେରିକା ସମେତ ୪ ଦେଶରେ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀ ଓ ଭାଇଙ୍କର କମ୍ପାନୀ ସଂଖ୍ୟା ପ୍ରାୟ ୯୯ । ବାଜୱାଙ୍କ ପୁଅ ୫ ବର୍ଷ ପୂର୍ବରୁ ଆମେରିକା କମ୍ପାନୀରେ ଯୋଗ ଦେଇଥିଲେ । ତାଙ୍କ ନିକଟରେ ବିପୁଳ ସମ୍ପତ୍ତି ରହିଥିବା ଓ ସେ ଅନେକ କମ୍ପାନୀ ଗଢ଼ିଥିବା ଅଭିଯୋଗ ଆସିଛି ।

Comments are closed.