ଠାକୁରାଣୀଙ୍କ ପାଦଚିହ୍ନ ନେଇ ପ୍ରଚାର ପରେ ଗେହ୍ଳାମା ମନ୍ଦିରରେ ଭକ୍ତଙ୍କ ଭିଡ

ବୌଦ୍ଧ  : ବୌଦ୍ଧ ଜିଲାପାଳଙ୍କ ବାସଭବନଠାରୁ ଅତି ନିକଟରେ ମହାନଦୀ କୂଳରେ ଥିବା ଗେହ୍ଲାମା ମନ୍ଦିରରେ ସକାଳୁ ଠାକୁରାଣୀଙ୍କ ପାଦଚିହ୍ନ ପଡିଥିବା ଖବର ପ୍ରଚାରିତ ହେବାପରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ସୋମବାର ସକାଳୁ ମହାଷ୍ଟମୀ ପୂଜା ବିଧି ପାଇଁ ପୂଜକ ମନ୍ଦିରରେ ପହଞ୍ଚିବା ପରେ ଚଟାଣରେ ଛୋଟ ଛୋଟ ପାଦଚିହ୍ନ ପଡିଥିବା ଦେଖିବାକୁ ପାଇଥିଲେ। ଏହା ମା’ଙ୍କ ଲୀଳା ବୋଲି ଭାବି ପୂଜକ ସେଠାରେ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ । ତୁରନ୍ତ ଏହି ଖବର ସହର ସାରା ପ୍ରଚାରିତ ହେବା ସହିତ ମନ୍ଦିରକୁ ଭକ୍ତମାନଙ୍କ ସୁଅ ଛୁଟିଥିଲା । ମନ୍ଦିର ଚଟାଣରେ ପାଦ ଚିହ୍ନ ସ୍ପଷ୍ଟ ବାରିହେଉଥିବାବେଳେ ଭକ୍ତମାନେ ସେଠାରେ ଧୂପ, ଦୀପ ଫୁଲ ଦେଇ ପୂଜା ଆରମ୍ଭ କରିଦେଇଥିଲେ । ଦିନ ତମାମ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗେହ୍ଲାମାଙ୍କ ମନ୍ଦିରରେ ପହଞ୍ଚି ଠାକୁରାଣୀଙ୍କ ପାଦଚିହ୍ନ ଦର୍ଶନ କରିଥିବା ଜଣାଯାଇଛି।

Comments are closed.