ଆହୁରି ୨ଟି ବିଶ୍ବକପ୍‌ ଖେଳିବି : ଗେଲ୍‌

ଜାମାଇକା: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କୁ ୪୧ ବର୍ଷ ହୋଇଥିବା ବେଳେ ସେ କ୍ରିକେଟ୍‌ରୁ କେବେ ଅବସର ନେବେ ତାହାକୁ ନେଇ କେତେକ ମହଲରେ ଚର୍ଚ୍ଚା ଜାରି ରହିଛି। ତେବେ କ୍ରିକେଟ୍‌ରୁ ଅବସର ନେବାକୁ ତାଙ୍କର ବର୍ତ୍ତମାନ କୌଣସି ଯୋଜନା ନାହିଁ ବରଂ ୨୦୨୧ରେ ଭାରତ ଓ ୨୦୨୨ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବାକୁ ଯୋଜନା ରଖିଥିବା ଗେଲ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏକ ଗଣମାଧ୍ୟମକୁ ସୂଚନା ଦେଇ ଗେଲ୍‌ କହିଥିଲେ ସେ ଆଉ ୫ ବର୍ଷ କ୍ରିକେଟ୍‌ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ତେଣୁ ଅବସର ସଂପର୍କରେ ବର୍ତ୍ତମାନ କିଛି ଭାବୁ ନାହାନ୍ତି। ଭାରତ ଓ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବା ସହ ଏଥିରେ ଭଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଅଛନ୍ତି। ଶାରୀରିକ ଦୃଷ୍ଟିରୁ ସେ ବର୍ତ୍ତମାନ ସଂପୂର୍ଣ୍ଣ ଫିଟ୍‌ ଅଛନ୍ତି ତେଣୁ ଅବସର ଚିନ୍ତା କରିବାକୁ ତାଙ୍କ ନିକଟରେ ସମୟ ନାହିଁ ବୋଲି ଗେଲ୍‌ ସ୍ପଷ୍ଟ କରି ଦେଇଛନ୍ତି। ଆଗାମୀ ୨ଟି ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳିବା ପରେ ମଧ୍ୟ ସେ ଅନ୍ତର୍ଜାତୀୟସ୍ତରରେ କ୍ରିକେଟ୍‌ ଖେଳିବାକୁ ଯୋଜନା ରଖିଥିବା ଗେଲ୍‌ କହିଛନ୍ତି। ସୂଚନାଥାଉକି ୟୁଇଏରେ ଖେଳାଯାଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ଗେଲ୍‌ ୭ଟି ମ୍ୟାଚ୍‌ରୁ ୨୮୮ ରନ୍‌ ସଂଗ୍ରହ କରିଥ​‌ିଲେ। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୩୭.୧୪ ଥିବା ବେଳେ ସେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ।

Comments are closed.