ନାଗପୁର ଚାଲାଣ ବେଳେ ୫୦୦ କେଜି ଗଂଜେଇ ଜବତ ; ୨ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଏକ ଟ୍ରକରୁ ୫୦୦ କେଜି ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଏହି ଗଂଜେଇ ସବୁ ଗଂଜାମରୁ ନାଗପୁର ଚାଲାଣ ହେଉଥିବା ତଦନ୍ତରୁ ଜଣାପଡିଛି । ଗଞ୍ଜାମରୁ ବ୍ରହ୍ମପୁର ସହର ଦେଇ ନାଗପୁର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗୁଇନ୍ଦାଙ୍କୁ ସୂଚନା ମିଳିଥିଲା । ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ଆଦେଶ କ୍ରମେ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ ଖୋଡ଼ାସିଙ୍ଗ ମୁଖ୍ୟ ଛକ ନିକଟରେ ଗାଡି ଯାଞ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ଜାତୀୟ ରାଜପଥ ଆଡକୁ ଯାଉଥିବା ଏକ ଟ୍ରକ(ଏମ୍ଏଚ-୧୮-ବିଜି-୨୩୪୧)କୁ ଅଟକାଇ ଯାଞ୍ଚ କରାଯାଇଥିଲା । ସେହି ଟ୍ରକ ଡାଲାରେ କୌଣସି ଜିନିଷ ନଥିବା ବେଳେ ଡାଲାକୁ ଲାଗି ଥିବା ଏକ ଗୁପ୍ତ ଚେମ୍ବରରେ ବସ୍ତା ବସ୍ତା ଗଂଜେଇ ରଖା ଯାଇଥିଲା । ଓଜନ ପରେ ବସ୍ଥାଗୁଡିକରୁ ୫୦୦ କେଜି ଗଂଜେଇ ଜବତ ହୋଇଥିଲା । ଜବତ ଗଂଜେଇର ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି ।

Comments are closed.