ଗଞ୍ଜାମ ରାଜନୀତିରେ କମ୍ପନ

ନେତା, ଅଧିକାରୀ, ଠିକାଦାର ଓ ବେପାରୀ ଛାନିଆ , ସ୍କାନରରେ ୩ ବିଧାୟକ !

ବ୍ରହ୍ମପୁର :  ଏକଦା ବିଜେଡିର ପ୍ରଭାବଶାଳୀ ନେତା ଭାବେ ପତିଆରା ସୃଷ୍ଟି କରିଥିବା ଗୋପାଳପୁର ନିର୍ବାଚନମଣ୍ଡଳୀ ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବିଦା କରିବା ପରେ ଗଞ୍ଜାମ ରାଜନୀତିରେ ହୃତକମ୍ପନ ସୃଷ୍ଟି ହୋଇଛି। ‘ପାଠକ ଚେର ଗଞ୍ଜାମକୁ ଲମ୍ବିଛି’ ସଂକ୍ରାନ୍ତ ‘ସମାଜ’ରେ ଖବର ପ୍ରକାଶ ପାଇବାର ୨୪ଘଣ୍ଟା ନପୁରୁଣୁ ଗୋପାଳପୁର ବିଧାୟକ ତଥା ପୂର୍ବତନମନ୍ତ୍ରୀ ଡ.ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯିବା ଘଟଣା ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଦଳବିରୋଧୀ କାର୍ଯ୍ୟ ପାଇଁ କୌଣସି ରାଜନେତା କିମ୍ବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ପ୍ରଥମ ଥର ପାଇଁ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରଦୀପଙ୍କୁ ବହିଷ୍କାର କରାଯାଇଛି। ପ୍ରଦୀପଙ୍କ ଉପରେ ବିଜେଡି ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରଳ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। କୌଣସି ନେତାଙ୍କୁ ପ୍ରଥମେ ନିଲମ୍ବିତ କରାଯାଇ ପରେ ଦଳରୁ ବହିଷ୍କାର କରାଯାଇଥାଏ। କିନ୍ତୁ ପ୍ରଦୀପଙ୍କକ୍ଷେତ୍ରରେ ଏହା କରା ନଯାଇ ତାଙ୍କୁ ବିଜେଡିର ପ୍ରାଥମିକସଭ୍ୟ ପଦରୁ ସିଧାସଳଖ ବହିଷ୍କାର କରାଯାଇଛି। ୩ ଥରର ବିଧାୟକ ତଥା ଏକଦା ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପ୍ରଦୀପଙ୍କ ବିରୋଧରେ ଏଭଳି ଅପ୍ରତ୍ୟାଶିତ କାର୍ଯ୍ୟାନୁଷ୍ଠାନ ଜିଲା ବିଜେଡି ମହଲରେ ହଇଚଇ ସୃଷ୍ଟି କରିଛି। ଏକଦା ଗଞ୍ଜାମ ରାଜନୀତିରେ ଗୋଟିଚାଳନା କରୁଥିବା ଏବଂ ଅନ୍ୟ
ବିଧାୟକଙ୍କ ପାଇଁ ଟିକଟ କରାଇଦେଉଥିବା ଗୋପାଳପୁର ବିଧାୟକଙ୍କ ବିରୋଧରେ ହାଇକମାଣ୍ଡଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଏକ ଭିନ୍ନ ସଂକେତ ଦେଉଥିବା ସ୍ପଷ୍ଟ ହୋଇଯାଇଛି। ଦଳରୁ ବହିଷ୍କାର ହେବା ପୂର୍ବରୁ କିଛିମାସ ହେଲା ପ୍ରଦୀପଙ୍କୁ ଦଳରେ କୋଣଠେସା କରି ରଖାଯାଇଥିଲା, ଯାହାକି ତାଙ୍କ ପ୍ରତି ଦଳୀୟ କର୍ତ୍ତୃପକ୍ଷ ଅସନ୍ତୁଷ୍ଟ ଥିବା ପ୍ରତୀୟମାନ ହୋଇଥିଲା। ପ୍ରଦୀପଙ୍କୁ ୨୦୧୨ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧିରୁ ବାଦ ଦିଆଯାଇଥିଲା। ୨୦୧୪ରେ ତାଙ୍କୁ ପୁଣି ଦଳୀୟ ଟିକଟ ମିଳିବା ସହ ମନ୍ତ୍ରୀ ପଦ ଦିଆଯାଇଥିଲା। ୨୦୧୭ରେ ଗଞ୍ଜାମ ଜିଲା ବିଜେଡି ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୨୦ ଫେବୃଆରୀରେ ତାଙ୍କୁ ଜିଲା ବିଜେଡି ସଭାପତି ପଦରୁ ବିଦା କରାଯାଇ ଡା. ରମେଶଚଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା। ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ମନୋନୟନରେ ପ୍ରଦୀପଙ୍କୁ ଉପେକ୍ଷା କରାଯାଇଥିବା ବେଳେ ତାଙ୍କ ସୁପାରିସ ଥିବା ବିଧାୟକଙ୍କ ନାମକୁ ମଧ୍ୟ ହାଇକମାଣ୍ଡ ଉପେକ୍ଷା କରି ପୋଲସରା ବିଧାୟକଙ୍କୁ ଏହି ଦାୟିତ୍ବ ଦେଇଥିଲେ। ଏହିସବୁ ଘଟଣାରୁ ପ୍ରଦୀପଙ୍କ ଉପରେ ଦଳୀୟ ହାଇକମାଣ୍ଡ ଅସନ୍ତୁଷ୍ଟ ଥିବା ଅନୁମାନ କରାଯାଉଥିଲା। କିଛି ମାସ ତଳେ ଓଡ଼ିଶା ମୋ’ ପରିବାର ରାଜ୍ୟ ସଂଯୋଜକ ଅରୁପ ପଟ୍ଟନାୟକ ଏଠାକୁ ଆସି ଗୋପାଳପୁର ନିର୍ବାଚନମଣ୍ଡଳୀରେ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ସେଥିରେ ପ୍ରଦୀପଙ୍କ ଦେଖା ମିଳି ନଥିଲା। କୋଭିଡ଼ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ପ୍ରଶାସନିକ ଅଧିକାରୀଙ୍କ ବଦଳରେ ରାଜନେତାଙ୍କୁ ଗୁରୁତ୍ବଦେବାକୁ ଦାବି କରିବା ଘଟଣା ଅଧିକ ଚର୍ଚ୍ଚିତ ହୋଇଥିଲା। ଶାସକଦଳର ଜଣେ ବିଧାୟକ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖିବା ଘଟଣା ରାଜନୈତିକସ୍ତରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା।
ପ୍ରଦୀପଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନକୁ ନେଇ ଗଞ୍ଜାମ ଜିଲାର କିଛି ରାଜନେତା, ଅଧିକାରୀ, ଠିକାଦାର ଓ ବେପାରୀ ଛାନିଆ ହୋଇପଡିଛନ୍ତି। ବିଧାୟକଙ୍କ ଲିଙ୍କ୍‌ରେ ଥିବା କିଛି ଅଧିକାରୀ, ନେତା ଓ ଠିକାଦାର ମଧ୍ୟ ଏବେ ଅଡୁଆରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଲାଣି। ପ୍ରଦୀପଙ୍କ ପରେ ଆଗାମୀ ଟାର୍ଗେଟରେ କିଏ ତାହାକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲାର କିଛି ଠିକାଦାର ଓ ଅଧିକାରୀ ପ୍ରଦୀପଙ୍କ ସୁପାରିସରେ ଏକାଧିକ ପ୍ରକଳ୍ପ ହାତେଇଥିବାରୁ ଏବେ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।
ପ୍ରଦୀପଙ୍କ ବିରୋଧରେ ଦଳୀୟ ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ପରେ ପରେ ଏବେ ତାଙ୍କର ଏକାନ୍ତ ଅନୁଗତ ପାଲଟିଥିବା ୩ ବିଧାୟକଙ୍କ ଉପରେ ଦଳୀୟ ଉଚ୍ଚ ମହଲ ନଜର ରଖିଥିବା ଆଲୋଚନା ହୁଏ। ଏହି ତିନି ବିଧାୟକଙ୍କୁ ଜଣ ଜଣ କରି କୁଆଡେ ଦଳର ଉଚ୍ଚ ମହଲ ଡକାଇ ଚେତାଇ ଦେଇଥିବା ନିର୍ଭରଯୋଗ୍ୟସୂତ୍ରରୁ ସୂଚନା ମିଳିଛି। ପ୍ରଦୀପଙ୍କ ପ୍ରତିଟି କାର୍ଯ୍ୟରେ ଏହି ତିନି ବିଧାୟକ ଛାଇ ଭଳି ରହୁଥିଲେ। ପ୍ରଦୀପଙ୍କ ସହଯୋଗ​‌େ​‌ର ଏମାନେ ଟିକଟ ହାତେଇଥିବାରୁ ତାଙ୍କ ପ୍ରତି କୁଆଡେ ଆନୁଗତ୍ୟ ପ୍ରଦର୍ଶନ କରି ଆସୁଥିଲେ। ଜନବିରୋଧୀ କାର୍ଯ୍ୟକଳାପରେ ପ୍ରଦୀପ ବିଜେଡିରୁ ବହିଷ୍କୃତ ହେବା ପରେ ଅନୁଗତ ୩ ବିଧାୟକ ନାନା ଆଶଙ୍କାରେ ରହିଛନ୍ତି।
ଅତିରିକ୍ତ ପିସିସିଏଫ୍‍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଭିଜିଲାନ୍ସ ଜାଲରେ ଫସିବା ପରେ ପରେ ସନ୍ଦେହ ଘରକୁ ଆସିଥିଲେ ପାଠକଙ୍କ ସହ ନୂତନ ବନ୍ଧୁ ବାନ୍ଧିବାକୁ ଯାଉଥିବା ବିଧାୟକ। ରାଜ୍ୟସ୍ତରୀୟ ନେତାଙ୍କ ଘନଘନ ଗଞ୍ଜାମ ଗସ୍ତକାଳରେ ପ୍ରଦୀପଙ୍କୁ କେଉଁଠି ବି ଦେଖିବାକୁ ମିଳି ନଥିଲା। ଖୋଦ ତାଙ୍କ ନିର୍ବାଚନମଣ୍ଡଳୀରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁ ନଥିଲେ। କରୋନା ହଟସ୍ପଟସ୍ଥିତିରେ ଥିବା ସମୟରେ ଗଞ୍ଜାମ ଜିଲାକୁ ବହୁ ନେତା ଓ ପୂର୍ବତନମନ୍ତ୍ରୀଙ୍କ ସୁଅ ଛୁଟିଥିଲା। ନେତା ଓ ମନ୍ତ୍ରୀ ବୈଠକରେ ପ୍ରଦୀପ ଆଗଧାଡିରେ ରହୁଥିଲେ। ହେଲେ ତାହାର ଓଲଟା ଚିତ୍ର କୋଭିଡ ସମୟରେ ଦେଖିବାକୁ ମିଳିଥିଲା। ନିର୍ବାଚନ ପରେ ପ୍ରଥମ ଷ୍ଟ୍ରୋକ୍‍ ଥିଲା ଜିଲା ବିଜେଡି ସଭାପତି ପଦରୁ ଅବ୍ୟାହତି। ଜିଲାର କୌଣସି ସାଙ୍ଗଠନିକ କାର୍ଯ୍ୟରେ ତାଙ୍କୁ ଅନ୍ତର୍ଭୁକ୍ତ କରାଗଲା ନାହିଁ। କୋଭିଡ୍‍ ମୁକାବିଲା ସମୟରେ ବିଧାୟକଙ୍କ ନିର୍ବାଚନମଣ୍ଡଳୀରେ ଓଡ଼ିଶା ମୋ ପରିବାର ପକ୍ଷରୁ ବଡ଼ ଧରଣର ସମାବେଶ ଆୟୋଜନ କରାଯାଇଥିଲା। ସେଠାରେ ବିଧାୟକ ଅନୁପସ୍ଥିତ ଥିଲେ। କୁକୁଡ଼ାଖଣ୍ଡି ବ୍ଲକ୍‍ର କେତେକ ପଞ୍ଚାୟତ ଗୋପାଳପୁର ନିର୍ବାଚନମଣ୍ଡଳୀରେ ରହିଛି। ଗତ କିଛିଦିନ ଧରି କୁକୁଡ଼ାଖଣ୍ଡି ବ୍ଲକ୍‍ରେ ପଞ୍ଚାୟତ ପ୍ରତିନିଧିମାନେ ତାଙ୍କ ନିର୍ବାଚନମଣ୍ଡଳୀର ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିରୋଧରେ ତୁହାକୁ ତୁହା ବୈଠକ କରି ସମୂହ ଇସ୍ତଫା ଧମକ ଦେଇଛନ୍ତି। ତହସିଲଦାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଏହି କାର୍ଯ୍ୟରେ ଗୋପାଳପୁର ବିଧାୟକଙ୍କ ଇଙ୍ଗିତ ରହିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ଗତ ବିଧାନସଭା ନିର୍ବାଚନରେ ଖୁବ୍‍ କମ୍‍ ଭୋଟ ବ୍ୟବଧାନରେ ହାରୁ ହାରୁ ଜିତିଥିଲେ ପ୍ରଦୀପ । ଏଥିରେ ବିଚଳିତ ହୋଇ କୌଣସିକର୍ମୀଙ୍କୁ ସେ ପାଖ ମଡ଼ାଇ ଦେଉ ନଥିଲେ । ନିର୍ବାଚନ ବେଳେ ଗଜପତି ଜିଲାର ପ୍ରଭାରୀ ମଧ୍ୟ ଥିଲେ ଏବଂ ଗଜପତିର ୨ଟି ଯାକ ଆସନ ବିଜେଡି ହାତଛଡ଼ା କରିଥିଲା।

Comments are closed.