ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ : ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର  : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସାମୁଦ୍ରୀକ ବାତ୍ୟାର ରୂପ ନେଇଛି । ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏହା ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଉଛି । ତେବେ ଆସନ୍ନ ବାତ୍ୟାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ଶନିବାର ବ୍ରହ୍ମପୁର ଟାଉନହଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ପୂର୍ବ ବର୍ଷା ଯୋଗୁ ବର୍ତ୍ତମାନ ନଦୀଗୁଡ଼ିକରେ ଜଳ ସ୍ତର ଉଚ୍ଚରେ ରହିଛି । ବିଭିନ୍ନ ଡ୍ୟାମରେ ମଧ୍ୟ ପାଣି ଉପରେ ରହିଛି । ଏଣୁ ଯଦି ବଡ଼ ବର୍ଷା ହୁଏ, ତେବେ ନଦୀରେ ଜଳ ସ୍ତର ବଢ଼ିବ । ଏହାର ପ୍ରଭାବରେ ନଦୀ ତଟ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଜିଲାପାଳ କୁଲାଙ୍ଗେ ପ୍ରକାଶ କରିଛନ୍ତି ।
ତାଙ୍କ କହିବାନୁଯାୟୀ ପୂର୍ବଅନୁମାନରୁ ଯାହା ଜଣାପଡ଼ୁଛି ପାତ୍ରପୁର ଓ ଚିକିଟି ଅଞ୍ଚଳରେ ବାତ୍ୟା ଓ ବର୍ଷାର ପ୍ରଭାବ ଦେଖାଦେବ । ଗଞ୍ଜାମ ଜିଲାକୁ ଲାଲ୍‌ ସତର୍କ ସୂଚନା ଜାରି ହୋଇଛି । ପାହାଡ଼ିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ରହ୍ମପୁର ଉପଜିଲାପାଳ ପଦକ୍ଷେପ ନେଉଛନ୍ତି । ଜିଲାର ସମସ୍ତ ବ୍ଲକରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସ୍ଥାନୀୟ ଥାନାର ଆଇଆଇସିଙ୍କ ସମେତ ଅନ୍ୟ ଅଧିକାରୀମାନେ ରହିଛନ୍ତି । ଜିଲା ସ୍ତରରେ ମଧ୍ୟ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ଗଛ କଟା ଯନ୍ତ୍ର, ଜେନେରେଟର, ପାନୀୟ ଜଳ ଆଦି ବ୍ୟବସ୍ଥା କରାଯାଉଛି । ଗର୍ଭବତୀମାନଙ୍କୁ ସୁରକ୍ଷିତ ପ୍ରସବ ପାଇଁ ନିକଟସ୍ଥ ସ୍ବାସ୍ଥ୍ୟାକେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଛି । ଗୋପାଳପୁର ବେଳାଭୂମି ଏବଂ ସୁନାପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ ପାଇଁ ରବିବାର ଏବଂ ସୋମବାର ଦୁଇ ଦିନ ବନ୍ଦ କରିଦିଆଯିବ । ସେହିଭଳି ବ୍ରହ୍ମପୁର ସହରରେ ମଧ୍ୟ ମୁକାବିଲା ପ୍ରସ୍ତୁତି ଚାଲିଛି । ତଳିଆ ଅଞ୍ଚଳ ଏବଂ ବସ୍ତି ଅଞ୍ଚଳରୁ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବାହାନା ନାଳ ଏବଂ ସାପୁଆ ନାଳରେ ଜଳସ୍ତର ବଢ଼ିଲେ ଆଖାପାଖ ଅଞ୍ଚଳକୁ ବିପଦ ରହିଛି । ଏହାର ମଧ୍ୟ ମୁକାବିଲା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.