ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିହତ

ପାରିବାରିକ ଶତ୍ରୁତାରୁ ହତ୍ୟା ସନ୍ଦେହ, ଅଭିଯୁକ୍ତଙ୍କୁ ଧରିବାକୁ ସ୍ବତନ୍ତ୍ର ପୁଲିସ ଟିମ

କୋଦଳା: ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ପାରିବାରିକ କଳହକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏଭଳି ଏକ ହାଇ ପ୍ରୋଫାଇଲ ହତ୍ୟା ଘଟଣାର ଖବର ପାଇ ଗଞ୍ଜାମ ଏସପି, ୨ଜଣ ଏସଡିପିଓ, ଜଣେ ଏଏସି ଓ ୩ଜଣ ଥାନା ଅଧିକାରୀ ସଦଳବଳେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ ଗଠନ କରାଯାଇଛି।

ମିଳିଥିବା ସୂଚନା ପ୍ରକାରେ କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁ ସୁମଣ୍ଡଳ ଛକର ଏକ ଚା’ ଦୋକାନରେ ଆଜି ସକାଳେ ଚା’ ପିଉଥିଲେ । ହଠାତ ଚାରିଜଣ ଦୁର୍ବୃତ୍ତ ଏକ କାରରେ ଆସି ଅତି ନିକଟରୁ ତାଙ୍କ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ। ଘଟଣାସ୍ଥଳରେ ହିଁ ଦେବରାଜ ଟଳି ପଡିଥିଲେ।

ଅନ୍ୟପକ୍ଷରେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବେଗୁନିଆପଡାଠାରୁ ଏକ କାର ସୁମଣ୍ଡଳ ଆସି ସାଙ୍କୁଡ଼ା ଅଭିମୁଖେ ଯାଇଥିଲା। ପୁନର୍ବାର ସେହି କାରଟି ସୁମଣ୍ଡଳ ଫେରି ଆସି ରାସ୍ତାକଡରେ ପାର୍କିଂ କରିଥିଲା। ୪ଜଣ ଦୁର୍ବୃତ୍ତ ଗାଡିରେ ଥିଲେ। ଗାଡି ଭିତରେ ଚାଳକ ଓ ଅନ୍ୟ ଜଣେ ଯୁବକ ରହି ଯାଇଥିଲେ। କାର ବାହାରକୁ ୨ଜଣ ୩ଟି ପିସ୍ତଲ ହାତରେ ଧରି ଅତର୍କିତ ଭାବେ ଆସି ଅତି ନିକଟରୁ ଦେବରାଜଙ୍କୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଲଗାତାର ଗୁଳି ଫୁଟିବା ଫଳରେ ଚା’ ଦୋକାନୀ ଭୟରେ ତଳେ ଶୋଇ ପଡ଼ିଥିଲେ। ଦେବରାଜଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ଏତିକିରେ ଦୁର୍ବୃତ୍ତଙ୍କ କ୍ରୋଧ ପ୍ରଶମିତ ହୋଇନଥିଲା। ବରଂ ଦେବରାଜଙ୍କୁ ପାଦରେ ଦଳଚକଟା କରିଥିଲେ। ଦେବରାଜଙ୍କୁ ବଞ୍ଚାଇବାକୁ ସାହସ ଥିଲେ କିଏ ପାଖକୁ ଆସି ବୋଲି ଦୁର୍ବୃତ୍ତ ଦ୍ବୟ ଚିତ୍କାର କରି ବାରମ୍ବାର ବ୍ଲାଙ୍କ ଫାୟାରିଂ କରିବାରୁ ଆଖପାଖ ଲୋକେ ଭୟରେ ଛତ୍ରଭଙ୍ଗ ଦେଇଥିଲେ। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସୂଚନା ମୁତାବକ ସେହି ସୁମଣ୍ଡଳର ଜଣେ ବ୍ୟକ୍ତିଙ୍କ ସହ ନିହତ ଦେବରାଜଙ୍କ ପରିବାର ମଧ୍ୟରେ ଲକଡାଉନ ସମୟରେ କୁଆଡେ ଭୀଣେ ଗଣ୍ଡଗୋଳ ହୋଇଥିଲା। ଏହାପରଠାରୁ ସଂପୃକ୍ତ ବ୍ୟକ୍ତି ଗାଁ ଛାଡି ଚାଲି ଯାଇଥିଲେ। ଆଜି ସଂପୃକ୍ତ ବ୍ୟକ୍ତିଙ୍କୁ ଏହି ଘଟଣା ସମୟରେ ଦେଖିବାକୁ ମିଳିଥିବା ଏକ ସୂତ୍ରରୁ ଜଣାପଡିଛି। ଦେବରାଜଙ୍କ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଦୁର୍ବୃତ୍ତମାନଙ୍କ ପତ୍ତା ମିଳିପାରିନି। ବ୍ୟକ୍ତିଗତ ଶତ୍ରୁତା ନା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନଥିଲେ ହେଁ ଦେବରାଜଙ୍କ ପରିବାର ସହ ଅନ୍ୟ ଏକ ପରିବାର ମଧ୍ୟରେ ପୂର୍ବରୁ ଝଗଡାଝାଟି ହୋଇଥିଲା ବୋଲି ତାଙ୍କ ପରିବାର ଲୋକେ କହିଥିବାରୁ ଏହା ପାରିବାରିକ ଶତ୍ରୁତାରୁ ହୋଇଥିବା ସନ୍ଦେହ କରାଯାଉଛି।
ଦେବରାଜଙ୍କ ପରିବାର ଲୋକଙ୍କ କହିବା ପ୍ରକାରେ କିଏ ଏଭଳି କାମ କରିଛନ୍ତି ତାହା ସେମାନେ ଜାଣନ୍ତିନି। କିନ୍ତୁ ଦୁଇ ତିନିମାସ ପୂର୍ବରୁ ଏକ ପରିବାର ସହିତ ଦେବରାଜଙ୍କ ପରିବାରର ଝଗଡା ହୋଇଥିଲା। ଆଇନ ଉପରେ ଭରସା ଅଛି, ଦୁର୍ବୃତ୍ତଙ୍କୁ ଗିରଫ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି।

ଗୁଳି ମାଡ ଖବର ପାଇ ଘଟଣାସ୍ଥଳକୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଏସ.ପି ଠାକୁରପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ, ଛତ୍ରପୁର ଏସଡିପିଓ ଗୌତମ କିଷାନ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି, ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ , ଖଲ୍ଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୁଳିମାଡ଼ ସ୍ଥଳରେ ପଡ଼ିଥିବା ଖୋଖାକୁ ପୁଲିସ ଜବତ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବଛାବଛା ପୁଲିସ ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି। ଖୁବଶୀଘ୍ର ଅପରାଧି ଧରା ପଡିବେ ବୋଲି ଏସପି ପ୍ରକାଶ କରିଛନ୍ତି। ଖବର ପାଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଦୁଖଃ ପ୍ରକାଶ କରିବା ସହ ଘଟଣାର ଦୃଢ ନିନ୍ଦା କରିଛନ୍ତି।

 

Comments are closed.