ଗଞ୍ଜାମରେ ‘ମିଶନ ଜିରୋ ଆକ୍ଟିଭ କେସ୍‍’ ଅଭିଯାନ, ନୂତନ ପଜିଟିଭ କମୁଛି, ନିୟନ୍ତ୍ରଣ ବାହାରେ ମୃତ୍ୟୁ ସଂଖ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲାରେ ଆଗାମୀ ଏକ ସପ୍ତାହ ମଧ୍ୟରେ ୨ରୁ ଅଧିକ ବ୍ଳକରେ ଗୋଟିଏ ବି ଆକ୍ଟିଭ କେସ ନାହିଁ। ଧିରେ ଧିରେ ଜିରୋ ଆକ୍ଟିଭ କେସ ବ୍ଳକ ସଂଖ୍ୟା ବଢିବ। ଏଥିପାଇଁ ଜିଲାରେ ଆଜିଠାରୁ ‘ମିଶନ ଜିରୋ ଆକ୍ଟିଭ କେସ’ ଆରମ୍ଭ କରାଯାଇଛି।
ଶୁକ୍ରବାର ବ୍ରହ୍ମପୁର ଟାଉନହଲଠାରେ ଜିଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ କଥା କହିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ଏହି ମିଶନକୁ ସଫଳ କରିବାକୁ ବିଭିନ୍ନ ବ୍ଳକରେ ଡୋର ଟୁ ଡୋର ସ୍ୱାସ୍ଥ୍ୟ ସ୍କ୍ରିନିଂ ଜାରି ରହିଛି। ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ନିଷ୍ଠାର ସହ କାର୍ଯ୍ୟ ଜାରି ରଖିଛନ୍ତି। ଅକ୍ସିଜେନ ସପୋର୍ଟ ଆମ୍ବୁଲାନ୍ସ ସେବାକୁ ବୃଦ୍ଧି କରାଯାଇଛି ବୋଲି ଜିଲାପାଳ କହିଥିଲେ। ଅନେକ ଦିନ ପରେ ଶୁକ୍ରବାର ଜିଲାରେ ୨୦୦ରୁ ତଳକୁ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି। ପାଖାପାଖି ମାସକ ପରେ ଆଜି ସଂକ୍ରମଣ ସଂଖ୍ୟା ୨ଶହ ତଳକୁ ଖସିଛି। ବର୍ତ୍ତମାନ ଜିଲାରେ ପ୍ରତ୍ୟେକ ଦିନ ୯ ରୁ ୧୦ ହଜାର ସ୍ୱାବ ନମୁନା ପରୀକ୍ଷା କରାଯାଉଛି। ଆଉ ପରୀକ୍ଷଣ ତୁଳନାରେ ନୂତନ ପଜିଟିଭ ସଂଖ୍ୟା ଅତି କମ୍‍ ରହୁଛି।

ଏବେ ଜିଲାରେ ସୁସ୍ଥ ହାର ୮୭ ପ୍ରତିଶତ। ଜିଲାରେ ୧୯୩୫ଟି ଆକ୍ଟିଭ କେସ ରହିଛି। ଜୁଲାଇ ତୁଳନାରେ ଅଗଷ୍ଟରେ ନୂତନ ପଜିଟିଭ ଚିହ୍ନଟ ଓ ମୃତ୍ୟୁ ସଂଖ୍ୟାରେ ଅନେକ ସୁଧାର ଆସି ସାରିଛି। ନୂଆ ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ ଜାରି ରହିଛି। ଏଥିରେ ସଫଳତା ମଧ୍ୟ ମିଳିଛି। ମଧୁମେହ ଓ ରକ୍ତଚାପ ଭଳି ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରଖିବାକୁ ନିୟମିତ ପଦକ୍ଷେପ ନିଆଯାଉଛି।

ଆଜି ପର୍ଯ୍ୟନ୍ତ ଜିଲାର ୪୦ ଜଣ କରୋନା ରୋଗୀଙ୍କ ଠାରେ ପ୍ଲାଜମା ଦିଆଯାଇଛି ବୋଲି ସେ କହିଥିଲେ। ସେହିପରି ଦୋକାନୀ ତଥା ବ୍ୟବସାୟୀମାନେ ୫ ସୂତ୍ରୀ ନିୟମ (ମାସ୍କ, ସାନିଟାଇଜର, ସର୍କଲ, ବ୍ୟାରିକେଡ, ରେଜିଷ୍ଟର) ପାଳନ କରୁଥିବାରୁ ଜିଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଗଞ୍ଜାମ ଜିଲାରେ ଗତ କିଛିଦିନ ହେବ ନୂତନ ପଜିଟିଭ ସଂଖ୍ୟା କମିବାରେ ଲାଗିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣକୁ ଆସି ପାରିନାହିଁ। ଶୁକ୍ରବାର ଜିଲାରେ ୪ ଜଣଙ୍କ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଯାହା ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟାର ୪୪ ପ୍ରତିଶତ। ଗତକାଲି କରୋନାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାପୂର୍ବ ଦିନ ମଧ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।
ଶୁକ୍ରବାର ଗଞ୍ଜାମରେ ମାତ୍ର ୧୬୨ ନୂତନ ପଜିଟିଭ ଚିହ୍ନଟ ହୋଇଛି। ସେହିକ୍ରମରେ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୫ ହଜାର ୮୮୬ରେ ପହଞ୍ଚିଛି। ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ, ଜିଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ଉପସ୍ଥିତ ଥିଲେ।

Comments are closed.