ଦୁଇବସ୍ତା ଗଂଜେଇ ସହ କାର ଜବତ, ୨ ଗିରଫ

ବୌଦ୍ଧ: ଏକ ସପ୍ତାହ ମଧ୍ୟରେ ବୌଦ୍ଧଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବ୍ୟାପକ ଭାବରେ ଗଂଜେଇ ଧରପଗଡ କରାଯାଉଛି। ଗତକାଲି ବୌଦ୍ଧ ପୋଲିସ ୧୪୦ କିଲୋ ଗଂଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ବାଉଁଶୁଣୀ ପୋଲିସ ୪୦ କିଲୋ ଗଂଜେଇ ସହ ଏକ କାରକୁ ଜବତ କରି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।

ବାଉଁଶୁଣୀ ଥାନା ଅଧିକାରୀ ସୁବାଶ ଚନ୍ଦ୍ର ରାୟଗୁରୁଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ଶନିବାର ଦିନ ପ୍ରାୟ ୩ ଟା ସମୟରେ ବୌଦ୍ଧ ବ୍ଲକର ଜଡାପାଲ ଗ୍ରାମରୁ ସାହଜପାଲ ଆଡକୁ ଏକ କାର ଯୋଗେ ଗଂଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ବାଉଁଶୁଣୀ ପୋଲିସର ଏକ ଟିମ୍ ମୁଣ୍ଡିପଦର ଗ୍ରାମ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ। ଗାଡି ଭିତରୁ ଦୁଇଟି ବସ୍ତାରେ ଭର୍ତ୍ତି ହୋଇଥିବା ୪୧ କିଲୋ ୨୦୦ ଗ୍ରାମ ଗଂଜେଇ ଜବତ କରାଯିବା ସହିତ ଗଂଜେଇ ଚାଲାଣ ମାମଲାରେ ଅନଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡିଆ ଗ୍ରାମର ଅଜୟ କୁମାର ସାହୁ(୩୪) ଓ ବାମନାଳୀ ଗ୍ରାମର ଗରିଆ ମାଝି(୩୨)ଙ୍କୁ ଗିରଫ କରିବାସହ ବାଉଁଶୁଣୀ ଥାନା କେସ ନମ୍ବର ୧୧୭/୨୧ରେ ମୋକଦ୍ଦମା ରୁଜୁ କରିଥିବା ଜଣାଯାଇଛି। ଗଂଜେଇ ଚାଲାଣ ମାମଲାରେ ବ୍ୟବହୃତ କାରକୁ ମଧ୍ୟ ପୋଲିସ ଜବତ କରିଛି।

Comments are closed.