୬୪ କିଲୋ ଗଂଜେଇ ସହ ବୋଲେରୋ ଜବତ, ୨ ଗିରଫ

ନବରଙ୍ଗପୁର: ପାପଡାହାଣ୍ଡି ପୋଲିସକୁ ମିଳିଛି ଆଉ ଏକ ସଫଳତା। ଗଂଜେଇ ଚୋରାଚାଲାଣ ବେଳେ ବୋଲେରୋ ସହ ୬୪ କେଜି ଗଂଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କରିଛି ।

ଲକଡାଉନ ଏବଂ ସଟଡାଉନର ସୁଯୋଗ ନେଇ ଗଂଜେଇ ଚୋରା ଚାଲାଣକାରୀମାନେ ପ୍ରାୟତଃ ଝାରଖଣ୍ଡ ଏବଂ ଉତ୍ତରପ୍ରଦେଶ ଅଞ୍ଚଳର ଲୋକେ ଜୟପୁର ଏବଂ ଆଖପାଖ ଅଂଚଳରୁ ଗଂଜେଇ ଚୋରାଚାଲାଣ କରୁଥିବା ବେଳେ ନବରଙ୍ଗପୁର ଏସପି ପ୍ରହ୍ଲାଦ ସାହାଇ ମିନା ଜିଲ୍ଲାରେ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ପ୍ରତ୍ୟେକ ପୋଲିସଙ୍କୁ ନିର୍ଦେଶ ଛନ୍ତି। ଏହାସହ ଚେକିଙ୍ଗ କଡାକଡି କରିବା ପାଇଁ ପରାମର୍ଶ ଦେବାପରେ ନବରଙ୍ଗପୁର ଜିଲ୍ଲା ପୋଲିସକୁ ବହୁତ ସଫଳତା ମିଳିଛି। ସେହିପରି ଆଜି ବି ନବରଙ୍ଗପୁର ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଚାଲିଥିବା ବେଳେ ପାପଡାହାଣ୍ଡି ଓ ମୈଦଲପୁର ଥାନା ସମ୍ମୁଖରେ ପୋଲିସ ଚେକିଙ୍ଗ ଚାଲିଥିଲା । ଏହି ସମୟରେ ଦିନ ୧ଘଣ୍ଟା ସମୟରେ ଜୟପୁର ପଟୁ ଏକ ଝାରଖଣ୍ଡ ନମ୍ବର ଥିବା ବୋଲେରୋ ଏଥିରେ ଦୁଇଜଣ ଯୁବକ ପାପଡାହାଣ୍ଡି ଥାନା ଦେଇ ମୈଦାଲପୁର ଅଭିମୁଖେ ଯାଉଥିବା ଦେଖି ପୋଲିସକୁ ସନ୍ଦେହ ହେଲା । ସଂଗେ ସଂଗେ ମୈଦଲପୁର ଫାଣ୍ଡିକୁ ଖବର ଦେବା ପରେ ସେଠାରେ ବୋଲେରୋକୁ ଅଟକାଇ ଗାଡିକୁ ଫାଣ୍ଡିକୁ ନେଇ ଗାଡି ତଲାସ କରିବାବେଳେ ଗାଡିର ସିଟ ତଳେ ଏକ କୁତ୍ରିମ ବାକ୍ସ ମଧ୍ୟରୁ ୬୪ କେଜି ଗଂଜେଇ ବାହାରିଥିଲା । ଏଥିରେ ସମ୍ପୃକ୍ତ ଝାରଖଣ୍ଡର ଦୁଇଜଣ ଯୁବକ ଜହନ ପିୟା ଆଲମ (୨୨) ଏବଂ ଫିରୋଜ ଆଲମ (୨୦) ଙ୍କୁ ଗିରଫ କରିଥିଲା । ଗଂଜେଇକୁ ଜୟପୁର ଅଂଚଳରୁ ଆଣି ଝାରଖଣ୍ଡ ନେଉଥିବା ଜଣାପଡିଛି । ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ମଧୁସୁଦନ ମାଝୀଙ୍କ ଉପସ୍ଥିତରେ ଗଂଜେଇ ମାପ କରାଯାଇଥିବା ବେଳେ ପାପଡାହାଣ୍ଡି ସିଡିପିଓ ଆଦିତ୍ୟ ସେନ, ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବର, ମୈଦଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ ପ୍ରମୁଖ ସାମିଲ ଥିଲେ ।

Comments are closed.