ଗଜପତିରୁ ଫତେଗଡ଼ ଲମ୍ବିଛି ଚୋରା ବେପାର, ବର୍ଷକୁ ୧୦୦କୋଟିର ଗଞ୍ଜେଇ କାରବାର

ଭୁବନେଶ୍ୱର: ରାଜ୍ୟର ପାହାଡିଆ ଅଞ୍ଚଳରେ ଗଞ୍ଜେଇକୁ ସ୍ଥାନୀୟ ଲୋକେ ଅର୍ଥକାରୀ ଫସଲ ଭାବେ ଚାଷ କରୁଛନ୍ତି । ଏହା ବେଆଇନ ହୋଇଥିବାରୁ ନିଜ ଜମି ଅପେକ୍ଷା ସରକାରୀ ଜଙ୍ଗଲ ଜମିରେ ଅଧିକ ଚାଷ ହେଉଛି । ମାଲକାନଗିରି, ଗଜପତି ଓ କନ୍ଧମାଳ ଜିଲାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ଅବକାରୀ ଓ ପୁଲିସ ମିଳିତଭାବେ ଚୋରା ଚାଲାଣବେଳେ ଧରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ। ଗଜପତିରୁ ଓ କନ୍ଧମାଳ ଗଞ୍ଜେଇ ବେପାରରେ ନୟାଗଡ ଜିଲାର ଫତେଗଡର ବହୁଲୋକ ସମ୍ପୃକ୍ତ ରହିଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ଗତ ଦୁଇଦିନ ତଳେ ଗଜପତିରେ ୮୦ ଏକର ଜମିରେ ହୋଇଥିବା ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ପୁଲିସ ଅବକାରୀ ମିଳିତଭାବରେ ନଷ୍ଟ କରିଛନ୍ତି । ରାଜ୍ୟରୁ ପ୍ରତିବର୍ଷ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନକୁ ଗଞ୍ଜେଇ ପ୍ରାୟ ୧୦୦କୋଟି ଟଙ୍କାର ଗଞ୍ଜେଇ ଚୋରଚାଲାଣ ହେଉଛି । ପୁଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳିଦେଇ ଚୋରାବେପାରୀମାନେ ବିଭିନ୍ନ ଉପାୟରେ ବାହାରକୁ ପଠାଉଛନ୍ତି। ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ, ସ୍ୱତନ୍ତ୍ର ଯାନରେ ନେବା ସମୟରେ ପୁଲିସ ହାତରେ କେତେକ ଧରାପଡୁଛନ୍ତି ଆଉ କେତେକ ଅନାୟାସରେ ଗଞ୍ଜେଇ ବ୍ୟବସାୟ ଚଳାଇଛନ୍ତି। ବେକାରୀ ଯୁବକମାନେ ଏହାକୁ ରୋଜଗାର କରିବାର ବାଟ ଭାବେ ବାଛି ନେଇଥିବାରୁ ନୟାଗଡ ଜିଲାର ଫତେଗଡ ଅଞ୍ଚଳର ବହୁ ଯୁବକ ଧରାପଡ଼ି ଜେଲରେ ଅଛନ୍ତି । ଓଡ଼ିଶାରୁ ଚାଷ ହେଉଥିବା ଗଞ୍ଜେଇରେ ଉତ୍କଟ ନିଶା ରହିଥିବାରୁ କେତେକ ଅଭିନେତା, ଅଭିନେତ୍ରୀଙ୍କ ମଧ୍ୟ ଆଗ୍ରହ ରହିଛି । ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନିଶା କାରବାର ସହ ସମ୍ପୃକ୍ତି ନେଇ ତଦନ୍ତ ବେଳେ ଏହା ପଦାକୁ ଆସିଥିଲା । ଏଭଳିକି ଗଞ୍ଜେଇ ବେପାରୀମାନେ ବାହାରକୁ ଚୋରାଚାଲାଣ କରି ଓଡ଼ିଶାକୁ ନିଶା ବେପାର ମାନଚିତ୍ରରେ ସାମିଲ କରିଛନ୍ତି । ୨୦୦୮ରେ ଗଜପତି ଜିଲାର ପାରଳାଖେମୁଣ୍ଡି ଠାରେ ଗଞ୍ଜେଇ ଧରି ଆସୁଥିବାବେଳେ ଫତେଗଡର ଦୁଇଜଣ ଧରାପଡ଼ିଥିଲେ । ପାରଳାଖେମୁଣ୍ଡି ଜେଲରୁ ପାରୋଲରେ ଦୁଇଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଓ ତାଙ୍କ ସ୍ତ୍ରୀ ବିଷପାନ କରି ମୃତ୍ୟୁବରଣ କରିଥିଲେ । ଜଣେ ଜାମିନରେ ଆସିଛନ୍ତି । ୨୦୧୨ ମସିହା ଏପ୍ରିଲରେ ୨କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଫତେଗଡ ଗ୍ରାମ ଅନ୍ତର୍ଗତ ଏମଇ ସ୍କୁଲ ପାଖରେ ଏକ ଇନୋଭାରୁ ଧରାପଡ଼ିଥିଲା । ଏହି ଘଟଣାରେ ଜଣେ ୧୮ ବର୍ଷର ଯୁବକ ସେସନ ନାୟକ ଦୋଷୀସାବ୍ୟସ୍ତ ହୋଇ ନୟାଗଡ ଜେଲରେ ସଜା ଭୋଗୁଛନ୍ତି । ଫତେଗଡ ଅଞ୍ଚଳର ୧୫ରୁ ଅଧିକ ଲୋକ ଗଞ୍ଜେଇ ନେଲାବେଳେ ଧରାପଡ଼ି ଜେଲରେ ଅଛନ୍ତି । ତିନିବର୍ଷ ତଳେ ବିଶାଖାପାଟଣାରେ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଗାଡି ସହ ଧରାପଡ଼ିବାରୁ ୩ ଜଣ ବିଶାଖାପାଟଣା ଜେଲରେ ଅଛନ୍ତି । ୪ ବର୍ଷ ତଳେ ପିକକ୍ ବୋଲରରେ ଖତ ଭିତରେ ଗଞ୍ଜେଇ ନେଇ ଆସୁଥିବା ସମୟରେ ଫୁଲବାଣୀରେ ୬ ଜଣ ଧରାପଡ଼ି ଜେଲରେ ଅଛନ୍ତି । ୨୦୧୫ ଜାନୁଆରୀ ୨୪ରେ ଭୁବନେଶ୍ୱର କୁଇକ୍ ଆକ୍ସନ୍ ଟିମ୍ କଳିଙ୍ଗ ନଗରୁ ୩ ଜଣଙ୍କୁ ଧରିଥିଲେ । ସେମାନେ ଏବେ ଜେଲରୁ ଫେରିଛନ୍ତି । ସେହିଭଳି ଫତେଗଡ ଅଞ୍ଚଳର ୩ ବର୍ଷ ତଳେ ଜଣେ ଖଣ୍ଡଗିରି ଥାନା ପୁଲିସ ହାତରେ ୪୦ କେଜି ଗଞ୍ଜେଇ ସହିତ ଧରାପଡ଼ିଥିଲେ । ୨୦୧୭ ମସିହାରେ ରାଜଧାନୀ ଏକ୍ସପ୍ରେସରୁ ଦିଲ୍ଲୀ ରେଳ ଷ୍ଟେସନକୁ ଟ୍ରେନରେ ଯାଉଥିବା ପାନବିଡା ଓ ମାଛପେଟିରୁ ଗଞ୍ଜେଇ ଜବତ ହୋଇଥିଲା । ଏହି ଗଞ୍ଜେଇ ଫତେଗଡରୁ ହରିଆନାର ରାଜ ସିଂ ନାମକ ବ୍ୟକ୍ତିଙ୍କ ପାଖକୁ ପଠାଯାଇଥିଲା । ୨୦୧୭ଅକ୍ଟୋବର ୧୦ରେ ଦିଲ୍ଲୀରୁ ପୁଲିସ ଦଳ ଆସି ଗଞ୍ଜେଇ ମାଫିଆଙ୍କୁ ଖୋଜିଥିଲେ । ଏହିଭଳି ଦୁଇଥର ଏନସିବି ଟିମ୍ ଓ ଦିଲ୍ଲୀ ପୁଲିସ ଆସି ଫତେଗଡରେ ଗଞ୍ଜେଇ ଚୋରାକାରବାର କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅନୁସନ୍ଧାନ କରିଥିଲେ । ମାଧପୁର ପଥରଚକଡା ମହାନଦୀ କଣ୍ଟିଲୋ ନିକଟ ବାଲିଘାଟରୁ ବାଲିଭିତରେ ରହିଥିବା ଗାଡିରୁ ଫତେଗଡ ପୁଲିସ ଗଞ୍ଜେଇ ଧରିଥିଲା । ମାସକ ତଳେ ଖଣ୍ଡପଡା ଶିଖରପୁରରେ ୨୫୦କେଜି, ଦଶପଲ୍ଲ୍ାର ମଧ୍ୟଖଣ୍ଡରୁ ୧କୁଇଣ୍ଟାଲ ଗଞ୍ଜେଇ ଧରାପଡ଼ିଥିଲା । ଏହି ଅଞ୍ଚଳକୁ କେତେବେଳେ ବନ୍ଧାକୋବି ଭିତରେ କନ୍ଧମାଳରୁ ଗଞ୍ଜେଇ ଆସୁଛି ତ ଆଉ କେତେବେଳେ ଅଦା ଭିତରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଛି । ଗଜପତିରୁ ଫତେଗଡ ଗଞ୍ଜେଇର ଚୋର କାରବାରର ଚେର ଲମ୍ବିଛି ।