୧୦୧ ଏକର ଗଞ୍ଜେଇ ଚାଷ ନଷ୍ଟ

ମନମୁଣ୍ଡା : ବୌଦ୍ଧ ଜିଲା ମନମୁଣ୍ଡା ନିକଟ ଗୁନ୍ଦୁଲିଆ ପଞ୍ଚାୟତ ସାରାଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ସୂଚନା ପାଇବା ପରେ ବନ ବିଭାଗ, ରାଜସ୍ବ ବିଭାଗ ଓ ପୁଲିସ ଫୋର୍ସ ମିଳିତ ଭାବେ ଚଢ଼ଉ କରି ଏହାକୁ ନଷ୍ଟ କରିଥିବା ଜଣାପଡ଼ିଛି। ୧୦୧.୧୫ ଏକର ପରିମିତ ଜଙ୍ଗଲ ଜମିରେ କରାଯାଇଥିବା ଏହି ଗଞ୍ଜେଇ ଚାଷକୁ ଆଜି ସକାଳୁ ନଷ୍ଟ କରାଯାଇଛି। ନଷ୍ଟ କରାଯାଇଥିବା ସମୁଦାୟ ଗଛ ସଂଖ୍ୟା ପ୍ରାୟ ୫୦୫୭୧ ହେବ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ୫ ଲକ୍ଷ ୭୧ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି। ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ବି. ରଘୁନାଥ ରାଓଙ୍କ ନିର୍ଦେଶକ୍ରମେ ଡିଏସ୍‌ପି ଧୀରେନ ସ୍ୱାଇଁଙ୍କ ଉପସ୍ଥିତିରେ ଶଗଡ଼ା ଫାଣ୍ଡି ଅଧିକାରୀ ଏସ ଆଇ ଅରୁଣ ସିଂଙ୍କ ନେତୃତ୍ୱରେ ଉକ୍ତ ଗଞ୍ଜାଇ ଗଛ ସବୁକୁ କାଟି ନିଅଁାରେ ପୋଡ଼ି ନଷ୍ଟ କରାଯାଇଛି। ଏହି ଅଭିଯାନରେ ମନମୁଣ୍ଡା ରେଞ୍ଜର ନାରାୟଣ ସ୍ୱାଇଁଙ୍କ ନିର୍ଦେଶରେ ବନ ବିଭାଗ କର୍ମଚାରୀ ଏବଂ ରାଜସ୍ୱ ଓ ପୁଲିସ ଫୋର୍ସ ସାମିଲ ଥିଲେ। ଏହି ଚାଷରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ଆଇ ଶ୍ରୀ ଶ୍ରୀ ସିଂ କହିଛନ୍ତି।। ଏହି ଅଭିଯାନରେ ଫରେଷ୍ଟର ରବୀନ୍ଦ୍ର କୁମ୍ଭାର, ଗାର୍ଡ ସୁମନ୍ତ ମଲ୍ଲିକ, ପଞ୍ଚାନନ ସାହୁ, ଦିଲୀପ କର୍ଣ୍ଣ, ସନ୍ତୋଷ ବାବୁ, ଗୁନ୍ଦୁଲିଆ ଆର୍‌ଆଇ ହମିଦ କୁମାର ମଲ୍ଲିକ ସାମିଲ ଥିଲେ। ଏଥିରେ ୪୦ ଜଣ ଶ୍ରମିକ କଟର ସାହାଯ୍ୟରେ ଗଛ କଟିବାରେ ନିୟୋଜିତ ଥିଲେ। ଏହି ଅଭିଯାନ ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଆଭ୍ୟନ୍ତରୀଣ ଘଞ୍ଚ ଜଙ୍ଗଲରେ ଆହୁରି ଚାଷ ହୋଇଥିବା ଜାଣିବାକୁ ମିଳିଛି। ପର୍ଯ୍ୟାୟ କ୍ରମେ ବାକି ସବୁ କଟା ଯିବ ଓ ଗଞ୍ଜେଇ ଚାଷ ସବୁକୁ ସମୂଳେ ନଷ୍ଟ କରାଯିବ ବୋଲି ପୁଲିସ ଦୃଢ଼ୋକ୍ତି ପ୍ରକାଶ କରିଛି।

Comments are closed.