ଗଂଜେଇ ଚାଲାଣ ଅଭିଯୋଗରେ ଦୁଇ ଗିରଫ, ୨ ଫେରାର

ଧର୍ମଗଡ : ଗଂଜେଇ ଚାଲାଣ ଅଭିଯୋଗରେ ଧର୍ମଗଡ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଆଉ ଦୁଇ ଜଣ ଫେରାର ଥିବା ପୁଲିସ ସୂଚନା ଦେଇଛି। ଗିରଫ ଯୁବକମାନେ ହେଲେ ଧର୍ମଗଡର ଗୋରୁବଜାର ପଡାର ତୀର୍ଥରାଜ ସାଗର ଓ ଜୁନାଗଡ ଥାନା ଅନ୍ତର୍ଗତ ବଲଦିଆମାଲ ଗାଁର ଚନ୍ଦ୍ରସେନ ମେହେର। ପୁଲିସ ସେମାନଙ୍କ ପାଖରୁ ୧୨୦ କେଜି ଗଂଜେଇ ଜବତ କରିଛି। ଜିଲ୍ଲାରେ ଗଂଜେଇ ଉତ୍ପାଦନ ହେଉନଥିବାବେଳେ ବିଶେଷକରି ଜିଲ୍ଲାକୁ ଆନ୍ଧ୍ର ଏବଂ ଆନ୍ଧ୍ର ସୀମାନ୍ତ ମାଲକାନଗିରି ଅଂଚଳରୁ ଗଂଜେଇ ଚାଲାଣ ହୋଇଥାଏ। ଏଠାରେ ପହଚିଂବା ପରେ ଏଠାକାର ବେପାରୀମାନେ ତାକୁ ବିଭିନ୍ନ ରାସ୍ତା ଦେଇ ସୁରତ, ମୁମ୍ବଇ, ଗୋଆ ଆଦି ସ୍ଥାନକୁ ଚାଲଣ କରିଥାନ୍ତି। କେଜି ପିଛା ୧୫୦୦ଟଙ୍କାରେ କିଣି ୫୦୦୦ରୁ ୮୦୦୦ଟଙ୍କା ଦରରେ ରାଜ୍ୟ ବାହାରକୁ ଚାଲାଣ କରିଥାନ୍ତି। ପୂର୍ବ ଡିଲ ଅନୁଯାୟୀ ଅଟକ ଦୁଇ ଯୁବକ ମଧ୍ୟ ଜିଲ୍ଲା ବାହାରୁ ଗଂଜେଇ ଆଣି ରାଜ୍ୟ ବାହାରକୁ ଚାଲାଣ ଉଦ୍ଦେଶ୍ୟରେ ଗ୍ରାହକକୁ ଅପେକ୍ଷା କରିଥିଲେ। ପୁଲିସର କହିବା ଅନୁଯାୟୀ ଏକ ୪୦୭ ଗାଡିରେ ଏହା ଭୂବନେଶ୍ୱର ଚାଲାଣ ହେଲା ପରେ ସେଠାରୁ ରାଜ୍ୟ ବାହାରକୁ ଚାଲାଣ ହେବାର ଥିଲା। କୌଣସି ସୂତ୍ରରୁ ଖବର ପାଇ ୪୦୭ ପହଚିଂବା ପୂର୍ବରୁ ଧର୍ମଗଡ ଥାନା ଆଇଆଇସି ଚନ୍ଦ୍ରଶେଖର ଶବର ଏସଟିଏଫ ବଳ ସହ ଚଢ଼ଉ କରି ଟାଉନ ସ୍ଥିତ ହୋଟେଲ ରୟାଲପେଲେସ ନିକଟରେ ସେମାନଙ୍କୁ କାବୁ କରିଥିଲା। ତେବେ ଦୁଇ ଜଣ ଯୁବକ ଫେରାର ହେବାକୁ ସକ୍ଷମ ହୋଇଥିଲେ। ଫେରାର ଦୁଇ ଜଣ ଚିଚୈଗୁଡାର ବୋଲି ଜଣାପଡିଛି। ଆସନ୍ତା କାଲି କୋଭିଡ ଟେଷ୍ଟ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ଶବର କହିଛନ୍ତି।

Comments are closed.