ଗାଙ୍ଗୁଲିଙ୍କ ୨୦୦୨ ଓ କୋହଲିଙ୍କ ୨୦୨୦: ଉଭୟ ସିରିଜ୍‌ର ସାମଞ୍ଜସ୍ୟ

କଲକାତା, ୩।୩: ସୋମବାର ଘରୋଇ ନ୍ୟୁଜିଲାଣ୍ଡଠାରୁ ଭାରତ ୨-୦ରେ ଟେଷ୍ଟ ସିରିଜ୍ ହାରିଛି। ବିରାଟ କୋହଲିଙ୍କ ଅଧୀନରେ ଭାରତର ଏହି ସିରିଜ୍ ପରାଜୟ ପରେ ୨୦୦୨ରେ ସୌରଭ ଗାଙ୍ଗୁଲି ନେତୃତ୍ବାଧୀନ ଭାରତ ବିପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ ୨-୦ରେ ଟେଷ୍ଟ ସିରିଜ୍ ପୋଛିନେବା କଥା ଆମର ମନେପଡ଼ୁଛି। ଉଭୟ ସିରିଜ୍‌ରେ କେବଳ ଫଳାଫଳ ସମାନ ନଥିଲା; ବହୁତ କିଛି ସାମଞ୍ଜସ୍ୟ ଥିଲା। ଆସନ୍ତୁ ଜାଣିବା ଉଭୟ ଟେଷ୍ଟ ସିରିଜ୍ ମଧ୍ୟରେ କ’ଣସବୁ ସାମଞ୍ଜସ୍ୟ ରହିଛି।
ଟସ୍‌
୨୦୦୨ରେ ନ୍ୟୁଜିଲାଣ୍ଡ ଉଭୟ ଟେଷ୍ଟରେ ଟସ୍ ଜିତିଥିବା ବେଳେ ଭାରତକୁ ପ୍ରଥମେ ବ୍ୟାଟିଂର ଆହ୍ବାନ ଦେଇଥିଲା। ୨୦୨୦ରେ ମଧ୍ୟ କୋହଲି ଉଭୟ ଟେଷ୍ଟରେ ଟସ୍ ହାରି ବ୍ୟାଟିଂ କରିଥିଲେ। ୨୦୦୨ରେ ଭାରତ ଉଭୟ ଟେଷ୍ଟର ପ୍ରଥମ ଇନିଂସରେ ୧୬୧ ଓ ୯୯ ରନ୍ କରିଥିବା ବେଳେ ୨୦୨୦ରେ ପ୍ରଥମ ଇନିଂସରେ ୧୬୫ ଓ ୨୪୨ ରନ୍ କରିଥିଲା। ୨୦୦୨ ଓ ୨୦୨୦ରେ ଭାରତୀୟ ଦଳ ପ୍ରଥମ ଟେଷ୍ଟକୁ ୧୦ ୱିକେଟରେ ହାରିଥିଲା। ୨୦୦୨ରେ ୨ୟ ଟେଷ୍ଟରେ ଭାରତ ୫ ରନ୍ ଲିଡ୍‌ ନେଇଥିବା ବେଳେ ୨୦୨୦ରେ ୭ ରନ୍‌ର ଲିଡ୍‌ ନେଇଥିଲା। ୨୦୦୨ରେ ୨ୟ ଟେଷ୍ଟମ୍ୟାଚ୍‌କୁ ଭାରତ ୪ ୱିକେଟରେ ହାରିଥିବା ବେଳେ ଏବେ ୨ୟ ଟେଷ୍ଟକୁ ଭାରତ ୭ ୱିକେଟରେ ହାରିଛି।
ଶତକ ନାହିଁ
ଉଭୟ ୨୦୦୨ ଓ ୨୦୨୦ରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଖେଳା ଯାଇଥିବା ବେଳେ ଉଭୟ ଦଳର କୌଣସି ବ୍ୟାଟ୍‌ସମ୍ୟାନ୍ ଶତକ ହାସଲ କରି ପାରିନଥିଲେ। ୨୦୦୨ ସିରିଜ୍‌ରେ ନ୍ୟୁଜିଲାଣ୍ଡର ମାର୍କ ରିଚାର୍ଡସନ୍‌ଙ୍କ ୮୯ ରନ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ଥିବା ବେଳେ ୨୦୨୦ରେ କେନ୍‌ ୱିଲିୟମ୍‌ସନ୍ ପୂରା ସିରିଜ୍‌ରେ ସର୍ବାଧିକ ୮୯ ରନ୍ କରିଥିଲେ। ୨୦୦୨ରେ ଭାରତୀୟଙ୍କ ମଧ୍ୟରେ ରାହୁଲ ଦ୍ରାବିଡ଼ ସର୍ବାଧିକ ୭୬ ରନ୍ କରିଥିବା ବେଳେ ୨୦୨୦ରେ ମୟଙ୍କ ଅଗ୍ରୱାଲ ସର୍ବାଧିକ ୫୮ ରନ୍ ବ୍ୟକ୍ତିଗତ ସ୍କୋର୍ କରିଥିଲେ। ୨୦୦୨ରେ କେବଳ ସଚିନ ତେନ୍ଦୁଲକର ସିରିଜ୍‌ରେ ମୋଟ ଶହେରୁ ଅଧିକ ରନ୍ କରିଥିବା ବେଳେ ୨୦୨୦ରେ କେବଳ ଚେତେଶ୍ବର ପୂଜାରା ୪ଟି ଇନିଂସକୁ ମିଶାଇ ଶହେ ରନ୍ ପାର କରି ପାରିଥିଲେ। ୨୦୦୨ରେ ୱିକେଟ ପିଛା ଭାରତର ସ୍କୋର୍ ୧୩.୩୭ ଥିବା ବେଳେ ୨୦୨୦ରେ ଏହା ୧୮.୦୫ ଥିଲା।
ଗାଙ୍ଗୁଲି ଓ କୋହଲିଙ୍କ ସମଦଶା
ବିଦେଶମାଟିରେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲି ଭାରତର ଦୁଇ ସଫଳ ଟେଷ୍ଟ ଅଧିନାୟକ। ତେବେ ୨୦୦୨ରେ ଅଧିନାୟକ ଭାବେ ସୌରଭ ଗାଙ୍ଗୁଲି ଏକ ସିରିଜ୍‌ର ସମସ୍ତ ଟେଷ୍ଟ ହାରିଥିବା ବେଳେ ୨୦୨୦ରେ ବିରାଟ କୋହଲି ସମାନ ଦଶା ଭୋଗିଛନ୍ତି। ଏହି ୨ଟି ସିରିଜ୍‌କୁ ଛାଡ଼ି ଗାଙ୍ଗୁଲି ଓ କୋହଲି କୌଣସି ଟେଷ୍ଟ ସିରିଜ୍‌ରେ ସମସ୍ତ ମ୍ୟାଚ୍ ହାରିନାହାନ୍ତି। କେବଳ ଏତିକି ନୁହେଁ; ଉଭୟ ସିରିଜ୍‌ରେ ଗାଙ୍ଗୁଲି ଓ କୋହଲିଙ୍କ ବ୍ୟାଟିଂ ଆଭ୍‌ରେଜ୍‌ ସେମାନଙ୍କ ଜୀବନରେ ସବୁଠାରୁ କମ୍। ୨୦୦୨ରେ ଗାଙ୍ଗୁଲି ୭.୨୫ ଆଭ୍‌ରେଜରେ ମୋଟ ୨୯ ରନ୍ କରିଥିବା ବେଳେ ୨୦୨୦ରେ କୋହଲି ୮.୫୦ ଆଭ୍‌ରେଜ୍‌ରେ ମୋଟ ୩୮ ରନ୍ କରିଛନ୍ତି।
ଓରାମ୍-ଜେମିସନ୍‌ଙ୍କ ସଫଳ ପଦାର୍ପଣ
୨୦୦୨ ଭାରତ ବିପକ୍ଷ ଘରୋଇ ସିରିଜ୍‌ରେ ନ୍ୟୁଜିଲାଣ୍ଡର ୬ ଫୁଟ୍‌ ୬ ଇଞ୍ଚ୍ ଉଚ୍ଚ ଅଲ୍‌ରାଉଣ୍ଡର ଜାକବ୍ ଓରାମ୍ ପଦାର୍ପଣ କରିଥିଲେ। ୨୦୨୦ରେ ନ୍ୟୁଜିଲାଣ୍ଡର ୬ ଫୁଟ୍‌ ୮ ଇଞ୍ଚ୍ ଉଚ୍ଚ ଅଲ୍‌ରାଉଣ୍ଡର କାଏଲ୍‌ ଜେମିସନ୍ ପଦାର୍ପଣ କରିଥିଲେ। ୨୦୦୨ରେ ଜାକବ୍ ଓରାମ୍ ୧୧ଟି ୱିକେଟ ନେଇଥିଲେ; ଯାହା ସିରିଜ୍‌ରେ ୨ୟ ସର୍ବାଧିକ ଥିଲା। ୨୦୨୦ରେ ଜେମିସନ୍ ୯ଟି ୱିକେଟ ନେଇଥିଲେ; ଯାହା ସିରିଜ୍‌ରେ ୩ୟ ସର୍ବାଧିକ ଥିଲା। ୨୦୦୨ରେ ସର୍ବାଧିକ ୱିକେଟ ନେଇଥିବା ଡ୍ୟାରେଲ ଟଫି ପ୍ଲେୟର ଅଫ୍ ଦି ସିରିଜ୍ ଏବଂ ୨୦୨୦ରେ ସର୍ବାଧିକ ୱିକେଟ ନେଇଥିବା ଟିମ୍ ସାଉଦି ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ। ୨୦୦୨ରେ ସିରିଜ୍‌ର ଶେଷ ଇନିଂସରେ ଓରାମ୍ ଅପରାଜିତ ୩୬ ରନ୍‌କରି ଦଳକୁ ଜିତାଇଥିଲେ। ୨୦୨୦ରେ ଜେମିସନ୍ ୪୪ ଓ ୪୯ ରନ୍‌ର ୨ଟି ଉପଯୋଗୀ ଇନିଂସ ଖେଳିଥିଲେ।

Comments are closed.