ଗାଙ୍ଗୁଲିଙ୍କ ଯୋଗୁଁ ଧୋନି ଅଧିନାୟକ ଭାବେ ସଫଳତା ପାଇଥିଲେ : ଗମ୍ଭୀର

ନୂଆଦିଲ୍ଲୀ : ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବହୁ ପରିଶ୍ରମ କରି ଏକ ଶକ୍ତିଶାଳୀ ଭାରତୀୟ କ୍ରିକେଟ୍‌ ଦଳ ଗଢ଼ିଥିଲେ ଯାହା ଫଳରେ ଧୋନି ଅଧିନାୟକ ଭାବେ ଅନେକ ଟ୍ରଫି ଜିତିଥିଲେ ବୋଲି ଗମ୍ଭୀର ମତବ୍ୟକ୍ତ କରିଛନ୍ତି। ସେହିପରି ଟେଷ୍ଟ ଫର୍ମାଟ୍‌ରେ ଅଧିନାୟକ ଭାବେ ମହେନ୍ଦ୍ର ସିଂହ ଧୋନି ଯେଉଁ ସଫଳତା ପାଇଥିଲେ ତାହା ପଛରେ ପୂର୍ବତନ ଦ୍ରୁତ ବୋଲର ଜାହିର୍‌ ଖାନ୍‌ଙ୍କ ବହୁତ ବଡ଼ ଅବଦାନ ରହିଥିଲା ବୋଲି ମତ ଦେଇଛନ୍ତି ଗୌତମ ଗମ୍ଭୀର। ଜାହିର୍‌ ଭାରତୀୟ ଦଳରେ ନ ଥିଲେ ଧୋନି ଟେଷ୍ଟ ଫର୍ମାଟ୍‌ରେ ଅଧିନାୟକ ଭାବେ ଏତେ ସଫଳ ହୋଇପାରିନଥାନ୍ତେ ବୋଲି ଗମ୍ଭୀର ସ୍ପଷ୍ଟ କରି ଦେଇଛନ୍ତି।
ଅନ୍ୟପକ୍ଷରେ ଜାହିର୍‌ଙ୍କୁ ଭାରତୀୟ କ୍ରିକେଟ୍‌ ଦଳରେ ସାମିଲ କରିଥିବାରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରଶଂସାର ପାତ୍ର ବୋଲି ଗମ୍ଭୀର ମତ ଦେଇଛନ୍ତି। ଜାହିର୍‌ ତାଙ୍କ ସମୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଥିଲେ ବୋଲି ଗମ୍ଭୀର କହିଛନ୍ତି। ସୂଚନାଥାଉକି ଧୋନିଙ୍କ ନେତୃତ୍ବରେ ଜାହିର୍‌ ଭାରତ ତରଫରୁ ୩୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୨୩ଟି ୱିକେଟ୍‌ ହାସଲ କରିଥିଲେ।

Comments are closed.