ଇଂଲଣ୍ଡ ଗସ୍ତରେ ଯିବେ ଗାଙ୍ଗୁଲି, ଜୟ ଶାହା

ମୁମ୍ବଇ  : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଚଳିତ ସପ୍ତାହରେ ଇଂଲଣ୍ଡ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଆସନ୍ତା ୧୨ରେ ଗାଙ୍ଗୁଲି ଓ ଜୟ ଶାହା ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ପ୍ରସ୍ତୁତ ଫ୍ୟୁଚର୍ ଟୁର୍‌ ପ୍ରୋଗ୍ରାମ୍‌କୁ ନେଇ କିଛିଦିନ ତଳେ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ କଲିନ୍‌ ଗ୍ରେଭ୍‌ସ ଅସନ୍ତୋଷବ୍ୟକ୍ତ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଗାଙ୍ଗୁଲି ଓ ଜୟ ଶାହାଙ୍କ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ପଦାଧିକାରୀଙ୍କ ସାକ୍ଷାତକାରକୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।
ସେହିପରି ଆଇସିସି ଠାରୁ ବିସିସିଆଇ ବେଶ୍‌ କିଛି ଅର୍ଥ ପାଇବାକୁ ବାକି ଥିବାରୁ ଏହି ଅର୍ଥ ପାଇବାକୁ ବିସିସିଆଇ ଉଦ୍ୟମ କରିବ ବୋଲି ଗାଙ୍ଗୁଲି କିଛିଦିନ ତଳେ ସ୍ପଷ୍ଟ କରି ଦେଇଥିଲେ। ଜୟ ଶାହା ବିସିସିଆଇକୁ ଆଇସିସିରେ ପ୍ରତିନିଧିତ୍ବ କରିବାକୁ ଯାଉଥିବା ବେଳେ ଆଇସିସି ଠାରୁ କିପରି ଅର୍ଥ ହାସଲ କରାଯିବ ସେଥିପାଇଁ ଗାଙ୍ଗୁଲି ଇଂଲଣ୍ଡ କ୍ରିକେଟ୍‌ ବୋର୍ଡର ପଦାଧିକାରୀଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଥିବା କୁହାଯାଉଛି।

Comments are closed.