ଅମୃତ ସନ୍ତାନ, ସ୍ଵଭାବ କବି ଗଙ୍ଗାଧର

ରେଙ୍ଗାଲିକ୍ୟାମ୍ପ (ଆକାଶ ମିଶ୍ର): ଜୀବନ ସଂଗ୍ରାମରେ ସମାଜ ଓ ନିୟତି ଯେଉଁ ହଳାହଳ ଦେଇଥିଲା, ତାକୁ ଶାନ୍ତ ଚିତ୍ତରେ ପାନ କରିନେଇଥିଲେ ଅମୃତର ସନ୍ତାନ ରଙ୍ଗାଜୀବ କବି ଗଙ୍ଗାଧର। ସମସ୍ତ ଯନ୍ତ୍ରଣା ତାଙ୍କ ହୃଦୟର ଗଭୀର ଆଲୋକ ପ୍ରଦେଶରେ କାଳିରେ ପରିଣତ ହୋଇ ନିର୍ଝରଣୀ ସଦୃଶ ତାଙ୍କ ଲେଖନୀ ମୁନରେ ସର୍ବଦା ନିସୃତ ହେଉଥିଲା ଶାଶ୍ଵତ ପ୍ରେମ ଓ ଆଦର୍ଶର ଗାଥା।

ଆପଣ ଜଣେ ପ୍ରସିଦ୍ଧ କବି କିମ୍ବା ଜଣେ ସୁ ଲେଖକ ବୋଲି, କେବଳ ମୁଁ ଆପଣଙ୍କୁ ଶ୍ରଦ୍ଧା କରେ ତା ନୁହେଁ, ମୁଁ ଜାଣେ ଆପଣ ଜଣେ ଅତି ପବିତ୍ର ସାଧୁ ପୁରୁଷ। ଆପଣ କେବଳ ମୋର ଶ୍ରଦ୍ଧା ଆକର୍ଷଣ କରିଛନ୍ତି ତା ନୁହେଁ, ସେହି ଶ୍ରଦ୍ଧା ସଙ୍ଗେ ସଙ୍ଗେ ଆନ୍ତରିକ ଭକ୍ତି ମଧ୍ୟ ମୋ ଅନ୍ତରରେ ସୃଷ୍ଟି କରିପାରିଛନ୍ତି। ସଂସାର ଦୃଷ୍ଟିରେ ଆପଣ ଯଥା ସାଧାରଣ ହୋଇଥିଲେ ହେଁ ମୋ ଦୃଷ୍ଟିରେ ଆପଣ କୋହିନୁର ଅପେକ୍ଷା ଅଧିକ। ଏମିତି ଏକ ଭାବଗର୍ଭକ ଭକ୍ତି ସମ୍ପୂର୍ଣ୍ଣ ଉକ୍ତିରେ ଗଙ୍ଗାଧର ମେହେରଙ୍କ ବ୍ୟକ୍ତିତ୍ଵ ଆକଳନ କରି କହିଥିଲେ କବିବର ରାଧାନାଥ ରାୟ। ପ୍ରକୃତରେ ରାଧାନାଥଙ୍କ ଏହି ଉକ୍ତିଟି କେତେ ନିଛକ, କବିଙ୍କ ସାମାଜିକ, ସାଂସାରିକ ଓ ସାହିତ୍ୟିକ ଜୀବନକୁ ଆନ୍ତରିକ ଭାବେ ଜାଣିଥିବା ବ୍ୟକ୍ତି ଗଭୀର ଭାବରେ ଅନୁଭବ କରିପାରିବ।

ସେ ଯୁଗର ସାହିତ୍ୟରେ ଔଷଧୀୟ ବୃକ୍ଷ ସମ କବି ସାହିତ୍ୟରେ ଥିବା ସମସ୍ତ କଲୁସିତତାର ନିବାରଣ ପାଇଁ ଉଦ୍ୟମ କରିଛନ୍ତି। ତାଙ୍କର ସମସ୍ତ କାବ୍ୟର ବିନ୍ଦୁ ପ୍ରେମ, ମାତ୍ର ତାହା ସଂଜମ, ସାରସ୍ଵତ ଏବଂ ମହତ। ନାହିଁ କୌଣସି ଉନ୍ମୁଖତା। ଅଛି ତ୍ୟାଗ, ମାଧୂର୍ଯ୍ୟ ଓ ପବିତ୍ରତା। ବ୍ୟକ୍ତିଗତ ଜୀବନରେ ସେ ଯେପରି ସାଧୁତା ରକ୍ଷା କରିଛନ୍ତି, ତାହାର ଉଦାହରଣ ବୋଧହୁଏ ସମାଜରେ ଦୁର୍ଲଭ। ଅସାଧାରଣ ପ୍ରତିଭାର ଅଧିକାରୀ ହୋଇ ମଧ୍ୟ ସେ ଥିଲେ ବିନୟୀ। ସେ ଚାହିଁଥିଲେ ନିଜ ପ୍ରତିଭାର ଦ୍ୱାହି ଦେଇ ଅନେକ କିଛି କରିପାରି ଥାନ୍ତେ। କିନ୍ତୁ ସେ କେବେହେଲେ ଅନୁଗ୍ରହ ପ୍ରାର୍ଥୀ ହୋଇ ନଥିଲେ। ଆର୍ଥିକ ଅନାଟନ ହେଉ କି ସାମାଜିକ ମାନ ଅପମାନ ଅବା ଜମିଦାରଙ୍କ ଅତ୍ୟାଚାର, ତାଙ୍କର ଶାନ୍ତ ଓ ସ୍ଥିର ଚିତ୍ତ ସ୍ଵଭାବ ଉପରେ କୌଣସି ପ୍ରଭାବ ପକାଇ ପlରି ନଥିଲା। ତାଙ୍କ ସାହିତ୍ୟ ସୃଷ୍ଟିରେ ଯେଉଁ ସବୁ ଆଦର୍ଶ ନୀତିର ଝଲକ ଦେଖିବାକୁ ମିଳିଥାଏ, ତାଙ୍କ ଜୀବନରେ ସେ ସବୁ କରିଦେଖାଇଛନ୍ତି। ସେ ସର୍ବଦା ସ୍ପଷ୍ଟବାଦୀ ଓ ନିର୍ଭୀକ ଥିଲେ। ଏମିତି ଏକ ଘଟଣାରୁ ତାଙ୍କର ସ୍ପଷ୍ଟବାଦିତା ତଥା ନିର୍ଭୀକତାର ପ୍ରମାଣ ଆମେ ପାଇପାରିବା।

ତତ୍କାଳୀନ ବରପାଲି ଜମିଦାରଙ୍କ ବାରମ୍ବାର ଅନୁରୋଧ ଏବଂ ଶାନ୍ତିରେ ନିଜ ଜନ୍ମ ମାଟିରେ ରହିବାକୁ କବି ବରପାଲିକୁ ଆସିଥିଲେ। ହେଲେ ତାଙ୍କର ଏହି ଆଶା ମଉଳିଯାଇଥିଲା। ସେତେବେଳେ ବରପାଲିରେ ଅଶାନ୍ତିର ବାତାବରଣ ଚାଲିଥିଲା, ଏହାର କlରଣ ଜାଣିବା ପାଇଁ ତତ୍କାଳୀନ ଏସଡିପିଓ ବରପାଲିକୁ ଆସିଥିଲେ। ଜମିଦାରଙ୍କୁ ସତପଥରେ ଚାଲିବା ପାଇଁ କବି ପ୍ରୟତ୍ନ କରିବେ ବୋଲି ସେ କବିଙ୍କୁ କହିଥିଲେ। ଏହା ଶୁଣି ଜମିଦାର କବିଙ୍କ ଉପରେ ବୃଥା ଦୋଷାରୋପ କରିଥିଲେ। କିନ୍ତୁ ଉତ୍ତରରେ କବି ନିର୍ଭୀକ ଭାବରେ କହିଥିଲେ, ମୁଁ ନୃପରାଜ୍ ସିଂହଙ୍କ ବାମଳରୁ ବରପାଲି ରାଜବଂଶର ସମ୍ମାନ ବୃଦ୍ଧି ପ୍ରତି ଦୃଷ୍ଟି ଦେଇ ଆସିଛି। ଜମିଦାରଙ୍କୁ ମୁଁ ଉଚିତ୍ ପରାମର୍ଶ ଦେଇଥାଏ, କିନ୍ତୁ ସବୁବେଳେ ପାନାସକ୍ତ ରହୁଥିବାରୁ ସେ କାହାରି ହିତ କଥା ଶୁଣନ୍ତି ନାହିଁ। ଏହା ଶୁଣି ଜମିଦାରଙ୍କ କ୍ରୋଧ ପଞ୍ଚମକୁ ଚାଲିଯାଇଥିଲା। ସେ କବିଙ୍କୁ ଗୁଳି କରି ମାରିଦେବା ପାଇଁ ଧମକ ଦେଲେ।କିନ୍ତୁ ଶାନ୍ତ, ନମ୍ର ଓ ଧୀର ସ୍ଵରରେ କବି କହିଥିଲେ, ଆପଣ ମତେ ଗୁଳି କରି ମାରି ପାରନ୍ତି, କିନ୍ତୁ ଯଦି ଆପଣଙ୍କ ଚରିତ୍ର ଯଦି ସେଥିରେ ସଂଶୋଧିତ ହୋଇଯିବ ତେବେ ମୋର ଜୀବନ ସାର୍ଥକ ହେବ। ସେ ସମୟରେ ଜଣେ ଜମିଦାରଙ୍କୁ ଏମିତି ଉତ୍ତର ଦେବା ଦେବା ପାଇଁ କେତେ ସାହସ ଥିବା ଦରକାର୍ ତାହା ନିଶ୍ଚିତ ଭାବେ ଚିନ୍ତା କରିବା କଥା। ପ୍ରଜ୍ବଳିତ ଅଗ୍ନିରେ ପାଣି ଢାଳି ଯେମିତି ତାକୁ ବୁଝାଇ ଦିଆଯାଇପାରେ, ଠିକ୍ ସେହିପରି ଯେତେ କ୍ରୁର, କ୍ରୋଧୀ ଆଉ ଖରାପ ପ୍ରକୃତିର ହୋଇଥାଇ ନା କାହିଁକି, ଶ୍ରଦ୍ଧା ଗୁଣ ଯୋଗୁଁ ସେ ସମସ୍ତଙ୍କୁ ଜିଣି ପାରୁଥିଲେ। ଜଣେ ଚlଟୁକାର କଥାରେ ପଡି ଜମିଦାର ଜଣେ ମହିଳାଙ୍କୁ ନିୟୋଜିତ କରିଥିଲେ କବିଙ୍କୁ ଗାଳି ଦେବା ପାଇଁ। ପ୍ରତିଦିନ କବି ଗାଧୋଇ ଯିବାକୁ ଆସିବା ବାଟରେ ତାଙ୍କୁ ନାନା ପ୍ରକାରର ଅଶ୍ଳୀଳ ଭାଷାରେ ଗାଳି ଦେବା ଥିଲା ତାର କାମ। ଏମିତି କିଛି ଦିନ ଚାଲୁରହିଲା। ପରେ କିଛି ଲୋକ ଉକ୍ତ ମହିଳାକୁ ତାଗିଦ କରିବା ସହ କବିଙ୍କୁ ପଚାରିଲେ ସେ କାହିଁକି ତାକୁ କିଛି କହୁ ନାହାନ୍ତି। କବି ଏହା ଜାଣି କହିଥିଲେ, ତାର ଗାଳିକୁ ମୁଁ କେବେ ଗ୍ରହଣ କରୁନାହିଁ। ତେଣୁ ସେ ଯାହା କହିଲେ ମଧ୍ୟ ମତେ କିଛି ପ୍ରଭାବ ପଡୁ ନଥିଲା। ସେଥିରୁ ସେ ପେଟ ପୋଷୁଥିଲା। ଏବେ ତାର କଣ ହେବ?

ମୃତ୍ୟୁ ଶଯ୍ୟାରେ ଥିବା ବେଳେ ତାଙ୍କ ମୃତ୍ୟୁ ସମ୍ମୁଖରୁ ହୋଲି ଶୋଭାଯାତ୍ରା ବାହାରି ହୋହାଲ୍ଲା କରି ଅତିକ୍ରମ କରିଥିଲା, ଡାକ୍ତରଙ୍କ ଦ୍ଵାରା ତାଙ୍କୁ ମାରି ଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା, ସେ ସବୁ ଜାଣିଥିଲେ। ତଥାପି ବିଚଳିତ ଓ ଅସ୍ଥିର ହୋଇ ନଥିଲେ।ସମସ୍ତ ପ୍ରକାର ମାନସିକ, ଆର୍ଥିକ ଓ ସାମାଜିକ ଅଭାବ ଅସୁବିଧା ସତ୍ତ୍ୱେ ସେ ପୃଥିବୀକୁ ଦେଖିଛନ୍ତି ଅମୃତମୟ ଭାବରେ।ସେଥିପାଇଁ ତ ସେ କାଳ ଗର୍ଭରେ ଲୀନ ହୋଇ ନାହାନ୍ତି। ଅଗଣିତ ଜନତା ଆଜି ବି ତାଙ୍କର କାବ୍ୟ କବିତା ପଢ଼ି ଆନନ୍ଦାଶ୍ରୁ ଗଡାଉଛନ୍ତି। କ୍ଵଚିତ ସାରସ୍ଵତ ସାଧକ ସାଧିକାଙ୍କ ଭାଗ୍ୟରେ ଏହା ଜୁଟେ।

କବିଙ୍କ ସାରସ୍ଵତ ସୃଷ୍ଟି
ଗଦ୍ୟ ରଚନା
“ଵ” ଭେଦ
ରୁ ଓ ଋ ଭେଦ
ଚୁଗୁଲିଆ
କାବ୍ୟ ଓ କବିତା କିମ୍ବଦନ୍ତୀ ରସ ରତ୍ନାକର ଆତ୍ମଜୀବନୀ
ଇନ୍ଦୁମତି ଖଣ୍ଡିଏ ପତ୍ର
ଉତ୍କଳ ଲକ୍ଷ୍ମୀ
ବଳରାମ ଦେବ
କିଚକ୍ ବଧ
ଅଯୋଧ୍ୟା ଦୃଶ୍ୟ
ତପସ୍ଵିନୀ
ପ୍ରଣୟ ବଲ୍ଲରୀ
ଅହଲ୍ୟାସ୍ତବ
ଅର୍ଘ୍ୟଥାଳୀ
କବିତା ମାଳା
କୃଷକ ସଙ୍ଗୀତ
କବିଙ୍କ ସୃଷ୍ଟିର କିଛି ଅମୃତର ଝର
ଅମୃତମୟ

ମୁଁ ତ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ଖସି ମିଶିଛି ଅମୃତଧାରେ
ଗତି କରୁଛି ସେ ଅକୁପାରେ
ପଥେ ଶୁଖିଗଲା ପାପ ତାପରେହୋଇ ଶିଶିର ଖସିବି ତା ଉପରେ
ଅମୃତମୟ ଅମୃତ ମୟ
ସହିତ ମିଶିବି ସାଗରେ ।।

ମାତୃଭୂମି
ମାତୃ ଭୂମି ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗୁଣରେ ଗୁଣିବା
ଅଜ୍ଞାନ ରହିବେ କାହିଁ ।।

ମଧୁମୟ
ବିଶ୍ଵ ଦେଖ ମଧୁମୟ ରେ ଜୀବନ
ବିଶ୍ଵ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟରେ ଜୀବନ।।

ତପସ୍ଵିନୀ
ମଙ୍ଗଳ ଅଇଲା ଉଷା
ବିକଚ ରାଜୀବ ଦୃଷା
ଜାନକୀ ଦର୍ଶନ ତୃଷା
ହୃଦୟେ ବହି
କର ପଲ୍ଲବେନିହାର
ମୁକ୍ତା ଧରି ଉପହାର
ସତୀଙ୍କ ବାସ ବାହାର
ପ୍ରାଙ୍ଗଣେ ରହି
କଳକଣ୍ଠ କଣ୍ଠେ କହିଲା
ଉଠ ସତୀରାଜ୍ୟ_ରାଣୀ ରାତିପାହିଲା।।

ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ବେଳକୁ ଓଡ଼ିଆ ସାହିତ୍ୟରେ ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ରାଓ ଯେଉଁ ନୂଆ ରୁଚିର ସାହିତ୍ୟ ଲେଖୁଥିଲେ ତାହାକୁ ଆଧୁନିକ ସାହିତ୍ୟ କୁହାଯାଇଛି। ଗଙ୍ଗାଧର ମେହେର ପୁରୁଣା କଥାକୁ ନୂଆ ବାଗରେ କବିତାରେ ଫୁଟାଇ ପାଠକମାନଙ୍କୁ ଆକୃଷ୍ଟ କରି ପାରିଥିଲେ। ଜୀବନ ଓ ପ୍ରକୃତିକୁ କବିତାରେ ଏକାତ୍ମ କରିବାରେ ସେ ପାରଦର୍ଶୀ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ଉତ୍କଳପ୍ରତି ତାଙ୍କର ନିବିଡ଼ ଭଲପାଇବା ତାଙ୍କୁ ସମ୍ବଲପୁରର ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ‘କବି-ସେନାପତି’ କରି ପାରିଛି। ବସ୍ତୁତଃ, ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବାରେ ଗଙ୍ଗାଧରଙ୍କ ଅନୁଭବକୁ ବାସ୍ତବ ରୂପେ ପ୍ରକାଶ କରିପାରିଥିବାରୁ ତାଙ୍କ ସାହିତ୍ୟ ତାଙ୍କ ଜୀବନର ପ୍ରକାଶ ବୋଲି କୁହାଯାଇଥାଏ।

୧୮୬୨ରେ ପଶ୍ଚିମ ଓଡିଶାର ବରପାଲିରେ ଜନ୍ମିତ ଗଙ୍ଗାଧର ମେହେର। ମାତ୍ର ୬୨ ବର୍ଷରେ ସେ ତାଙ୍କ ଖେଳାଲୀଳା ସାରି ବାହୁଡିଗଲେ। ଛାଡିଦେଇଗଲେ ଅମୂଲ୍ୟ ସମ୍ପଦ।

ଆମେ ରବୀନ୍ଦ୍ରନାଥ ଠାକୁରଙ୍କୁ ବିଶ୍ୱକବି ବୋଲି ଜାଣୁ। ରବି ଠାକୁର ଗଙ୍ଗାନଦୀର ନୀଳଜଳ ତରଙ୍ଗକୁ ବାରମ୍ବାର ଉପଭୋଗ କରିଛନ୍ତି। ଗଙ୍ଗାଜଳ ରବି ଠାକୁରଙ୍କୁ ପବିତ୍ର କରିଛି, କିନ୍ତୁ ଓଡ଼ିଶାର ‘ଟାଗୋର’ ଗଙ୍ଗାଧର ମେହେର ନିଜ ରାଜ୍ୟର ମାଟି ପାଣି ପବନରେ ବିଭୋର ହୋଇ ଯେଉଁ କାବ୍ୟକବିତା ରଚନା କରିଗଲେ, ତାହା ରବୀନ୍ଦ୍ରନାଥ ଠାକୁରଙ୍କ କାବ୍ୟଠାରୁ ପ୍ରସାଦଗୁଣ ଦୃଷ୍ଟିରୁ କୌଣସି ଗୁଣରେ କମ୍ ନୁହେଁ। ଆମେ ସବୁ ହତଭାଗ୍ୟ ଓଡିଆ, ଗଙ୍ଗାଧର ମେହେରଙ୍କୁ ବିଶ୍ୱସାହିତ୍ୟରେ ପରିଚିତ କରାଇବାକୁ ସକ୍ଷମ ହୋଇପାରିଲେ ନାହିଁ; କେବଳ ଯାହା ପାଠ୍ୟପୁସ୍ତକରେ କି ମହାବିଦ୍ୟାଳୟରେ ତାଙ୍କ ନାମ ଯୋଡାଗଲା।

Comments are closed.