ହୋଇପାରିନି ପାଦଚଲା ରାସ୍ତା

ଉତ୍ତରଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାଲିଅନ୍ତା ଅଞ୍ଚଳରେ ୧୯୩୪ରେ ଗାନ୍ଧିଜୀ ଅବସ୍ଥାନ କରିବା ସ୍ମୃତି ଏବେବି ଉଜ୍ଜୀବିତ ରହିଥିଲେ ହେଁ ଏହି ସ୍ଥାନର ଉନ୍ନତି ଅଧପନ୍ତରିଆ ହୋଇ ରହିଛି। ସ୍ମୃତିପୀଠରେ ଗାନ୍ଧିଜୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇପାରିନଥିବା ବେଳେ ତୋରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ସେହିପରି ମୁଖ୍ୟ ତୋରଣରୁ ମଞ୍ଚ ପର୍ଯ୍ୟନ୍ତ ପାଦଚଲା ରାସ୍ତା ହୋଇପାରିନି। ପାଠାଗାର ପ୍ରତିଷ୍ଠା ହୋଇଥିଲେ ହେଁ ଏହା ସ୍ବାଭାବିକ ଭାବେ କାର୍ଯ୍ୟ କରୁନାହିଁ। ମହାତ୍ମାଙ୍କ ସହ ଗସ୍ତରେ ସାମିଲ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟରୁ ୧୦ଟି ନିର୍ମାଣ ହୋଇଥିବାବେଳେ ଗୋଟିଏ ନିର୍ମାଣ ହୋଇପାରିନି।

ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଉଦ୍ୟମରେ ଏଠାରେ ସ୍ମୃତି ମଣ୍ଡପ, ସଭା ମଣ୍ଡପ, ପାଠାଗାର ପ୍ରଭୃତି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏବେବି ଜାରି ରହିଛି। ଆର୍ଥିକ ରାଶି ଥିବା ସତ୍ତ୍ବେ ଏଯାବତ୍ ତୋରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିପରି ବାଳକାଟିରୁ ବାଲିଅନ୍ତା ପଦଯାତ୍ରା ସମୟରେ ଯେଉଁ ସଡ଼କ ଦେଇ ଗାନ୍ଧିଜୀ ଆସିଥିଲେ ତା’ର ସ୍ମାରକୀ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟଙ୍କପାଣି ବ୍ରିଜ୍ ନିକଟରେ ମଣ୍ଡପ ନିର୍ମାଣ ସରିଛି। ମହାତ୍ମାଙ୍କ ସହିତ ଗସ୍ତରେ ସାମିଲ ହୋଇଥିବା ମୀରା ବେହେନ୍, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ରମାଦେବୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ଜନନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ବିଳମ୍ବ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ତତ୍କାଳୀନ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଦ୍ୱାରା ସ୍ୱତନ୍ତ୍ର ଅର୍ଥର ବ୍ୟବସ୍ଥା କରାଯାଇଥିଲା। ୭୬ଲକ୍ଷ ଟଙ୍କା ଏଥିପାଇଁ ମଞ୍ଜୁର ହୋଇଥିବାବେଳେ ୧୮ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟନ ବିଭାଗ କେବଳ ୧୧ଟି କଂକ୍ରିଟ୍ ପିଣ୍ଡି ନିର୍ମାଣ କରିଛି। ଅନ୍ୟ କାର୍ଯ୍ୟରେ ବିଳମ୍ବ ପରିଲକ୍ଷିତ ହୋଇଛି। ଅନ୍ୟପକ୍ଷରେ ମହାତ୍ମାଙ୍କ ନାଁରେ ପ୍ରତିଷ୍ଠା ହୋଇଥିବା ମହାତ୍ମା ସେତୁକୁ କେତେକ ବ୍ୟବସାୟୀ କବ୍ଜାରେ ରଖିଥିବାରୁ ସେ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୧୯୩୪ ମେ ମାସରେ ଉତ୍କଳ ପଦଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀ ବେରବୋଇରୁ ସିଧାସଳଖ ବାଳକାଟି ଦେଇ ପୁରୁଣା ଜଗନ୍ନାଥ ସଡ଼କରେ ବାଲିଅନ୍ତା ଅଞ୍ଚଳରେ ପହଞ୍ଚିଥିଲେ। ବାଟରେ ସତ୍ୟଭାମାପୁର ଏବଂ ବଇଁଚୁଆରେ କିଛି ସମୟ ପାଇଁ ରହଣି କରିଥିବାବେଳେ ବାଲିଅନ୍ତାସ୍ଥିତ ଠାକୁର ନିକୁଞ୍ଜ ବିହାରୀ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ। ମେ ୧୩ ତାରିଖ ସନ୍ଧ୍ୟା ପୂର୍ବରୁ ବାଲିଅନ୍ତା ରହଣି ସ୍ଥଳ ଠାକୁର ନିକୁଞ୍ଜବିହାରୀ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ରାତ୍ରିଯାପନ କରିଥିବାବେଳେ ପରଦିନ ଅର୍ଥାତ ୧୪ ତାରିଖ ଗୁରୁବାର ମୌନବ୍ରତ ପାଳନ କରିଥିଲେ। ୧୫ ତାରିଖ ଅପରାହ୍ଣରେ ଏହି ସ୍ଥାନରୁ କଟକ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ। ଗାନ୍ଧିଜୀଙ୍କ ବାଲିଅନ୍ତା ଅବସ୍ଥାନକୁ ଇତି ମଧ୍ୟରେ ୮୭ ବର୍ଷ ବିତିଗଲାଣି। ତାଙ୍କ ରହଣି ସମୟରେ ସେ ଅନେକ ଐତିହାସିକ ତଥା ଦୃଷ୍ଟାନ୍ତମୂଳକ ପଦକ୍ଷେପ ଏଠାରେ ଗ୍ରହଣ କରିଥିବା ନଜିର ରହିଛି। ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦର ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ଗାନ୍ଧିଜୀ ସ୍ୱାଧୀନତାର ବହୁ ପୂର୍ବରୁ ପ୍ରଥମେ ଏହି ସ୍ଥାନରେ ରହି ହରିଜନଙ୍କୁ ମନ୍ଦିର ପ୍ରବେଶ ଓ ପଂକ୍ତି ଭୋଜନର ଆୟୋଜନ କରିଥିଲେ। ସେହିପରି ଧୀରେନ କୁମାର କର କହିଛନ୍ତି ସ୍ୱାଧୀନତା ସଂଗ୍ରାମ ସହିତ ବାଲିଅନ୍ତା ଗାନ୍ଧୀ ପୀଠର ସମ୍ପର୍କ ରହିଛି। ବିନୋଦ କୁମାର ସାହୁ କହିଛନ୍ତି ଏଠାରେ ଗାନ୍ଧିଜୀ ତିନିଦିନ ଅବସ୍ଥାନ ସମୟରେ ଏକ ନୂତନ ପଦକ୍ଷେପ ନେଇଥିଲେ। ଲକ୍ଷ୍ମୀଧର ବେହେରାଙ୍କ ମତରେ ଏଠାରେ ଅବସ୍ଥାନ ସମୟରେ ଗାନ୍ଧିଜୀ ସ୍ୱଚ୍ଛତାର ବାର୍ତ୍ତା ଦେବା ସହ ବରପାଲି ପାଇଖାନା ତିଆରି କରିଥିଲେ। ନଡ଼ିଆ ଚାଞ୍ଚରାରେ କୁଡ଼ିଆ କରି ରହିଥିଲେ।

Comments are closed.