କାଠଯୋଡ଼ିର ତତଲା ବାଲିରୁ ସ୍ବରାଜ୍ୟର ତୂର୍ଯ୍ୟନାଦ

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ। ସେଇ ଦିନଟି ଥିଲା ଓଡ଼ିଶା ଜନଜୀବନର ମହାନ୍‌ ପର୍ବ ଦୋଳପୂର୍ଣ୍ଣିମା। ଚାରିଆଡ଼େ ଦୋଳ ଉତ୍ସବର ପବିତ୍ର ପରିବେଶ। ଠାକୁରମାନଙ୍କର ମେଳଣ ସାଙ୍ଗକୁ ରଙ୍ଗ ଅବିରର ଖେଳ। କଟକ ସହରର ସାହିବସ୍ତି ବି ସେଥିରୁ ବାଦ୍‌ ପଡ଼ିନଥିଲା। ତା’ରି ଭିତରେ ହାଓଡ଼ା-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ ଭୋର୍‌ ୪ଟା ବେଳେ କଟକ ରେଳଷ୍ଟେସନରେ ଆସି ପହଞ୍ଚିବା ବେଳକୁ ସମଗ୍ର ଅଞ୍ଚଳ ଜନସମୁଦ୍ର। ଜଣଙ୍କ ଦର୍ଶନ ପାଇଁ ଆସିଥାନ୍ତି ଅଗଣିତ ମଣିଷ। ସେତେବେଳେ ଆଜିକାଲି ଭଳି ପ୍ରିଣ୍ଟ ବା ବୈଦ୍ୟୁତିକ ଗଣମାଧ୍ୟମରେ ପୃଷ୍ଠାପୃଷ୍ଠା ରଙ୍ଗିନ୍‌ ବିଜ୍ଞାପନ ପ୍ରକାଶନର ଯୁଗ ନଥିଲା କିମ୍ବା ଶହଶହ ବସ୍‌ରେ ଟଙ୍କା ଓ ଖାଦ୍ୟ ଦେଇ ଲୋକଙ୍କୁ ବୋହିବାର ନାଟକ ଅଭିନୀତ ହେଉନଥିଲା। ଓଡ଼ିଶାର ସର୍ବପ୍ରଧାନ ଜାତୀୟବାଦୀ ସମ୍ବାଦପତ୍ର ‘ସମାଜ’ ସେତେବେଳେ ସାପ୍ତାହିକ। ତିନିଦିନ ପୂର୍ବରୁ ଚାରିପୃଷ୍ଠିଆ ସାପ୍ତାହିକ ‘ସମାଜ’ର ଗୋଟିଏ କୋଣରେ ଛୋଟ ଖବରଟିଏ ପ୍ରକାଶ ପାଇଥିଲା। କେବଳ ସେତିକିରେ ହଜାର ହଜାର ଜନତାର ଅଭୂତପୂର୍ବ ଉଦ୍‌ବେଳନ। ଟ୍ରେନ୍‌ର ତୃତୀୟଶ୍ରେଣୀ ଡବାରୁ ଓହ୍ଲାଇଲେ କୁର୍ତ୍ତା, ଧୋତି ଓ ମୁଣ୍ଡରେ ଧଳା ଟୋପି ପିନ୍ଧିଥିବା ଜଣେ ଶୀର୍ଣ୍ଣକାୟ ମଣିଷ, ସାଙ୍ଗରେ ପତ୍ନୀ ଓ ପୁତ୍ର। ସେଇ ସାଦାସିଧା ଲୋକଟି ଟ୍ରେନ୍‌ରୁ ଓହ୍ଲାଇ ପ୍ଲାଟଫର୍ମରେ ପାଦ ରଖିବା କ୍ଷଣି ଜୟଧ୍ବନିରେ ଗଗନ ପବନ ମୁଖରିତ ହୋଇଉଠିଲା। ବିଶାଳ ଜନତା ଆଗକୁ ମାଡ଼ି ଚାଲିଲେ ତାଙ୍କର ଦର୍ଶନ ପାଇଁ, କେହିକେହି ପାଦସ୍ପର୍ଶ କରିବାକୁ ବି ଉଦ୍ୟତ ହୋଇଥିଲେ। ଯେଉଁ ମଣିଷଙ୍କ ଆଗମନ ସେଦିନ ଦୋଳ ଉତ୍ସବର ଅବିର ରଙ୍ଗକୁ ଫିକା କରିଦେଇଥିଲା, ଯାହାଙ୍କ ପାଦ ସ୍ପର୍ଶରେ ଐତିହାସିକ କଟକ ସହରର ମାଟି ଧନ୍ୟ ହୋଇଥିଲା, ସେ ଥିଲେ- ସତ୍ୟ, ଅହିଂସାର ଆଜୀବନ ପୂଜାରୀ, ଧୈର୍ଯ୍ୟ, ସାହସ ଓ ମାନବିକ ମୂଲ୍ୟବୋଧର ମୂର୍ତ୍ତିମନ୍ତ ବିଗ୍ରହ, ସ୍ବଦେଶୀ, ସ୍ବାଭିମାନ ଓ ସ୍ବାବଲମ୍ବନଶୀଳତା ମନ୍ତ୍ରର ଉଦ୍‌ଗାତା, ବିଶ୍ବ ଇତିହାସର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟକ୍ତିତ୍ବ ମହାତ୍ମା ଗାନ୍ଧୀ। ଓଡ଼ିଶା ଭୂମିରେ ମହାତ୍ମାଙ୍କର ତାହା ଥିଲା ପ୍ରଥମ ପଦାର୍ପଣ। ମହାତ୍ମାଙ୍କର ଏହି ପ୍ରଥମ ଗସ୍ତରେ ତାଙ୍କ ସହ ଆସିଥିଲେ ପତ୍ନୀ କସ୍ତୁରବା ଓ ସାନପୁଅ ଦେବଦାସ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ କଟକ ରେଳଷ୍ଟେସନରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ସମସ୍ତ କୋଠାବାଡ଼ିର ଛାତ, ବୃକ୍ଷ ଓ ରାସ୍ତାଘାଟ ଲୋକାରଣ୍ୟ ହୋଇ ଉଠିଥିଲା, ସୋରିଷ ପକାଇବାକୁ ସ୍ଥାନ ନଥିଲା। ବିଶାଳ ଜନସ୍ରୋତକୁ ନିୟନ୍ତ୍ରଣ କରିବା ପାଇଁ ପାଞ୍ଚଶହ ସ୍ବେଚ୍ଛାସେବକ ନିୟୋଜିତ ହୋଇଥିଲେ। ମହାତ୍ମାଜୀ ରେଳ ଷ୍ଟେସନ ପ୍ଲାଟଫର୍ମରୁ ବାହାରି ସହର ଅଭିମୁଖେ ଯେତିକି ଅଗ୍ରସର ହେଉଥାନ୍ତି, ‘ମହାତ୍ମାଜୀ କି ଜୟ’, ‘ବନ୍ଦେ ମାତରମ୍‌’ ଆଦି ଧ୍ବନିରେ ସମଗ୍ର ଅଞ୍ଚଳ ସେତିକି ପ୍ରକମ୍ପିତ ହେଉଥାଏ। ଗାନ୍ଧିଜୀଙ୍କୁ ରେଳଷ୍ଟେସନରୁ ମୁକ୍ତି ସଂଗ୍ରାମର ପୁଣ୍ୟପୀଠ ସ୍ବରାଜ୍ୟ ଆଶ୍ରମକୁ ଆଣିବା ପାଇଁ ଗୋଟିଏ ଗାଡ଼ିର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଉଦ୍‌ବେଳିତ ଜନସମୁଦ୍ରକୁ ଦେଖି ସେ ଗାଡ଼ିରେ ନବସି ଲୋକଙ୍କ ସହ ଚାଲିଚାଲି ଆସିବାକୁ ପସନ୍ଦ କରିଥିଲେ। ସେତେବେଳେ ଜନ ଗହଳି ଏତେ ଅଧିକ ହୋଇଥିଲା ଯେ, ଷ୍ଟେସନରୁ ସ୍ବରାଜ୍ୟ ଆଶ୍ରମରେ ପହଞ୍ଚିବାକୁ ପୂରା ଦୁଇଘଣ୍ଟା ଲାଗି ଯାଇଥିଲା। ରେଳଷ୍ଟେସନରେ ଗାନ୍ଧିଜୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିବାଠାରୁ ଆରମ୍ଭ କରି ସ୍ବରାଜ୍ୟ ଆଶ୍ରମକୁ ପଦଯାତ୍ରା ପର୍ଯ୍ୟନ୍ତ ସବୁର ଅଗ୍ରଭାଗରେ ରହିଥିଲେ ଓଡ଼ିଶା ମାଟିରେ ମହାଭାରତୀୟ ଜାତୀୟତାର ଭଗୀରଥ, ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପ୍ରତିଷ୍ଠାତା ତଥା ପ୍ରଥମ ସଭାପତି, ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସ। ତାଙ୍କରି ନିମନ୍ତ୍ରଣରେ ଓଡ଼ିଶାରେ ଅସହଯୋଗର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଗାନ୍ଧିଜୀଙ୍କର ଏହା ଥିଲା ପ୍ରଥମ ଆଗମନ। ରେଳଷ୍ଟେସନ୍‌ରେ ମହାତ୍ମାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଓ ଶୋଭାଯାତ୍ରା ପରିଚାଳନାରେ ଗୋପବନ୍ଧୁଙ୍କୁ ସହଯୋଗ କରିଥିଲେ ନବଗଠିତ ଉତ୍କଳ ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ଭାଗୀରଥି ମହାପାତ୍ର, ଯଦୁମଣି ମଙ୍ଗରାଜ ଓ ଅନ୍ୟ ଯୁବନେତା ଓ କର୍ମୀ। ଜନ ସମାଗମକୁ ନିୟନ୍ତ୍ରଣ କରିବାରେ ସ୍ବେଚ୍ଛାସେବକ ଭାବରେ କାର୍ଯ୍ୟ କରିଥିଲେ ସାପ୍ତାହିକ ‘ସମାଜ’ରେ ଗୋପବନ୍ଧୁଙ୍କ କନିଷ୍ଠ ସହକର୍ମୀ ତଥା ଶିଷ୍ୟ ରୂପେ କାର୍ଯ୍ୟରତ ରାଧାନାଥ ରଥ। ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ୯ ବର୍ଷ ପୂର୍ବରୁ ୧୯୧୨ ମସିହାରେ ଭାରତର ତତ୍କାଳୀନ ବଡ଼ଲାଟ ବା ଗଭର୍ଣ୍ଣର ଜେନେରାଲ ଲର୍ଡ ହାର୍ଡିଞ୍ଜ୍‌ ପ୍ରଥମ ଥର ପାଇଁ କଟକ ଗସ୍ତରେ ଆସିଥିଲେ। ସେତେବେଳେ ୧୬ବର୍ଷର କିଶୋର ରାଧାନାଥ ତାଙ୍କୁ ଦିଆଯାଇଥିବା ସମ୍ବର୍ଦ୍ଧନାର ଦୃଶ୍ୟକୁ ଉପଭୋଗ କରିଥିଲେ। ମହାତ୍ମା ଗାନ୍ଧୀଙ୍କୁ ସମ୍ବର୍ଦ୍ଧନାବେଳେ ସ୍ବେଚ୍ଛାସେବକର ଭୂମିକା ନେଇଥିବା ରାଧାନାଥ ରଥ ଉଭୟ ସମ୍ବର୍ଦ୍ଧନାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି କହିଛନ୍ତି- ‘୧୯୧୨ରେ ଭାରତର ବଡ଼ଲାଟ ଲର୍ଡ ହାର୍ଡିଞ୍ଜ୍‌ ଯେତେବେଳେ ପ୍ରଥମ ଥର ପାଇଁ କଟକ ଆସିଥିଲେ, ସେତେବେଳେ ଲକ୍ଷ ଲକ୍ଷ ଲୋକ ଯେପରି ତାଙ୍କୁ ଦେଖିବା ପାଇଁ ରାସ୍ତାକଡ଼ରେ ଜମା ହୋଇଥିଲେ, ଗାନ୍ଧୀ ଦର୍ଶନାର୍ଥୀ ଲୋକେ ସେହିପରି ଊଣାଅଧିକେ ଜମା ହେଲେ। ବଡ଼ଲାଟ ଲର୍ଡ ହାର୍ଡିଞ୍ଜ୍‌ ଆସିଲାବେଳେ ଓଡ଼ିଶାର ରାଜା ଓ ଗଡ଼ଜାତର ରାଜା ମହାରାଜାମାନେ ନିଜ ନିଜର ସେତେବେଳର ସୈନ୍ୟସାମନ୍ତ, ଘୋଡ଼ସବାର, ପୁଲିସ୍‌ ବାହିନୀ, ହାତୀଘୋଡ଼ା ଗାଡ଼ି ଏପରି କି ମଖମଲ୍‌ ଓ ସୁନାଛାଉଣୀ ତମ୍‌ଜାନ୍‌ ପ୍ରଭୃତି ଧରି କଟକ ସହରର ସ୍ଥାନେ ସ୍ଥାନେ ତମ୍ବୁ ପକାଇ ରହିଥିଲେ; କିନ୍ତୁ ଯେତେବେଳେ ଭାରତର ଦରିଦ୍ର ଜନତାର ହୃଦୟର ବଡ଼ଲାଟ ମହାତ୍ମା ଗାନ୍ଧୀ କଟକରେ ଆସି ପହଞ୍ଚିଲେ, ସେତେବେଳେ ତାଙ୍କୁ ଦେଖିବା ପାଇଁ ସେହିପରି ହଜାର ହଜାର ଲୋକ ଜମା ହେଲେ। ସୁଦୂର ଗାଁଗଣ୍ଡାରୁ ଚୁଡ଼ା ଚାଉଳ ବାନ୍ଧି, ପିଲାକବିଲାଙ୍କୁ ଧରି ଲୋକେ ବହୁ ଦୂରରୁ ଚାଲିଚାଲି ଆସିଥିଲେ। ହାର୍ଡିଞ୍ଜ୍‌ ବେଳର ଥାଟ ପଟୁଆର ନଥିଲା, ଆଡ଼ମ୍ବର ନଥିଲା, ପୁଲିସ ବାହିନୀ ନଥିଲେ ଏବଂ ତମ୍ବୁ ଓ ଶିବିର ନଥିଲା। ଲୋକେ ନଈକୂଳ, ଗଛମୂଳ ଓ ସହର ଭିତରେ କାହା ପିଣ୍ଡା, କାହା ଦାଣ୍ଡ ଏପରି କି ଉନ୍ମୁକ୍ତ ପଡ଼ିଆରେ ଛାମୁଣ୍ଡିଆ ତଳେ ପଡ଼ିରହି ଗାନ୍ଧୀ ଦର୍ଶନ ପାଇଁ ଭୋକ ଉପାସରେ ସୁଦ୍ଧା ଚାହିଁ ରହିଥିଲେ।’
୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ମୋହନ ଦାସ କରମଚାନ୍ଦ୍‌ ଗାନ୍ଧୀ ମାତ୍ର ଛ’ବର୍ଷ ମଧ୍ୟରେ ଭାରତୀୟ ଜନଗଣଙ୍କ ହୃଦୟକୁ ଜିଣି ମହାତ୍ମା ଗାନ୍ଧୀରେ ରୂପାନ୍ତରିତ ହୋଇଥିଲେ ଏବଂ ବିନା ପ୍ରଚାର ଓ ବିନା ବିଜ୍ଞାପନରେ ତାଙ୍କର ଦର୍ଶନ ପାଇଁ କୋଣ ଅନୁକୋଣରେ ନାହିଁ ନଥିବା ଜନସମାଗମ ପରିଲକ୍ଷିତ ହେଉଥିଲା। ୧୯୨୧ ମାର୍ଚ୍ଚ ୨୩ ତାରିଖ ଭୋର୍‌ ସମୟରେ କଟକ ରେଳଷ୍ଟେସନରେ ହୋଇଥିବା ଜନସମୁଦ୍ର ଓ ପରବର୍ତ୍ତୀ ସମୟରେ ଘଟିଥିବା ଦୃଶ୍ୟ ସ୍ଥାନୀୟ ଇଂରେଜ ପ୍ରଶାସକଙ୍କୁ ବିଚଳିତ କରି ପକାଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେଦିନ ସନ୍ଧ୍ୟାରେ କଟକ କିଲ୍ଲା ପଡ଼ିଆରେ ଆୟୋଜିତ ହେବାକୁ ଥିବା ଗାନ୍ଧିଜୀଙ୍କ ସଭାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ସୁଦ୍ଧା ସମଗ୍ର କଟକ ସହରରେ ୧୪୪ଧାରା ଜାରିର ଘୋଷଣା କଲା ପ୍ରଶାସନ। ଶେଷ ମୁହୂର୍ତ୍ତରେ ଏଭଳି ଆକସ୍ମିକ ପଦକ୍ଷେପ କଂଗ୍ରେସ ନେତାମାନଙ୍କୁ ହତଚକିତ କରିଥିବାବେଳେ ମହାତ୍ମାଙ୍କ ବକ୍ତବ୍ୟ ଶୁଣିବାକୁ ବ୍ୟାକୁଳ ଥିବା କଟକବାସୀଙ୍କୁ ବ୍ୟଥିତ କଲା। ଠିକ୍‌ ଏହି ସମୟରେ ଉତ୍କଳମଣି ଗୋପବନ୍ଧୁ ଏକ ଉପାୟ ଖୋଜି ପାଇଲେ। ସହକର୍ମୀମାନଙ୍କୁ ସେ କହିଲେ- ‘କଟକ ସହରରେ ୧୪୪ ଧାରା ଜାରି ହୋଇଛି ସତ; କିନ୍ତୁ କାଠଯୋଡ଼ି ବାଲିରେ ନୁହେଁ। ଆମେ ସନ୍ଧ୍ୟାରେ କାଠଯୋଡ଼ି ବାଲି ଉପରେ ହିଁ ଜନସଭାର ଆୟୋଜନ କରିବା।’ ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କ ମନକୁ ଛୁଇଁଲା। ଦୁଇଜଣ ଡେଙ୍ଗୁରା ବାଲା ତୁରନ୍ତ ରାଣୀହାଟ ଓ କଲେଜଛକ ଅଞ୍ଚଳରୁ ଡେଙ୍ଗୁରା ପିଟିପିଟି ମହାତ୍ମାଙ୍କ ସଭାର ପରିବର୍ତ୍ତିତ ସ୍ଥାନ ସମ୍ପର୍କରେ ସହରବାସୀଙ୍କୁ ଜଣାଇ ଚାନ୍ଦିନଚୌକ ପର୍ଯ୍ୟନ୍ତ ଆସିଲେ। ସହରରେ ସେଦିନ ପ୍ରଚଣ୍ଡ ଖରା ଓ ଅସହ୍ୟ ତାତି। ଦିନ ୪ଟା ପର୍ଯ୍ୟନ୍ତ କେହି ବାହାରକୁ ବାହାରିବା ସମ୍ଭବପର ହେଉନଥାଏ। ମାତ୍ର ଚାରିଟା ପରେ ପାଗ ବଦଳି ଯାଇଥିଲା ଓ ତାତି କମିବାକୁ ଆରମ୍ଭ କଲା। କାଠଯୋଡ଼ି ନଦୀର ତତଲା ବାଲି ପୂରାପୂରି ଶୀତଳ ନହୋଇଥିଲେ ମଧ୍ୟ ତା’ରି ଉପରେ ସଭାକାର୍ଯ୍ୟ ଆରମ୍ଭ ହେଲା। ହଜାର ହଜାର ଲୋକଙ୍କର ଧାଡ଼ି ନଦୀ ଶଯ୍ୟା ଆଡ଼କୁ ଛୁଟି ଚାଲିଲା। ମୁକ୍ତାକାଶ ତଳେ ସତେ ଯେପରି ଜନସମୁଦ୍ର। ଅପରାହ୍ଣ ସାଢ଼େ ପାଞ୍ଚଟା ସମୟରେ ପତ୍ନୀ କସ୍ତୁରବାଙ୍କ ସହ ଗାନ୍ଧିଜୀ ସଭାସ୍ଥଳରେ ଆସି ପହଞ୍ଚିଲେ। ତାଙ୍କୁ ସଭାମଞ୍ଚ ନିକଟକୁ ପାଛୋଟି ଆଣିଥିଲେ ଉତ୍କଳମଣି ଗୋପବନ୍ଧୁ ଓ ଭାଗୀରଥି ମହାପାତ୍ର। ‘ମହାତ୍ମା ଗାନ୍ଧୀ କି ଜୟ’ ଧ୍ବନି ମଧ୍ୟରେ ଗାନ୍ଧିଜୀ ମଞ୍ଚ ଉପରେ ଗୋଟିଏ ଚୌକିରେ ଆସନ ଗ୍ରହଣ କରିଥିବାବେଳେ କସ୍ତୁରବା ବାମପାର୍ଶ୍ବରେ ତଳେ ପକାଯାଇଥିବା ଚୌକିରେ ବସିଲେ। ଗୋପବନ୍ଧୁ ମଞ୍ଚ ଉପରେ (ବିନା ଚୌକି)ରେ ବସି ପ୍ରାରମ୍ଭିକ ବକ୍ତବ୍ୟ ଓ ସ୍ବାଗତ ଭାଷଣ ଦେଲେ। ବିନା ମାଇକ୍‌ ଓ ଲାଉଡ୍‌ ସ୍ପିକର୍‌ରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲେ ହେଁ ସମସ୍ତଙ୍କ ବକ୍ତବ୍ୟ ଅନେକ ଦୂର ପର୍ଯ୍ୟନ୍ତ ଶୁଣାଯାଉଥାଏ। ଗାନ୍ଧିଜୀଙ୍କୁ ଓଡ଼ିଶା ମାଟିକୁ ସ୍ବାଗତ ଜଣାଇ ଗୋପବନ୍ଧୁ କହିଥିଲେ- ‘ଉତ୍କଳ ପବିତ୍ର ଦେବଭୂମି। ଭାରତରେ ଯେତେ ମହାପୁରୁଷ ଜନ୍ମ ନେଇଛନ୍ତି, ସେ ସମସ୍ତେ ଏହି ଦେଶକୁ ଆସିଛନ୍ତି। ତାଙ୍କ ପାଦଧୂଳିରେ ଏ ଦେଶ ପବିତ୍ର ହୋଇଛି। ଆଜିକୁ ପ୍ରାୟ ୩୦୦ବର୍ଷ ତଳେ ଠିକ୍‌ ଆଜିର ଦୋଳପୂର୍ଣ୍ଣିମା ତିଥିରେ ଚୈତନ୍ୟ ମହାପ୍ରଭୁ ଏହି ନଦୀର ବାଲୁକାରେ ପ୍ରେମଧର୍ମ ପ୍ରଚାର କରିଥିଲେ। ଆଜି ୩୦୦ବର୍ଷ ପରେ ଠିକ୍‌ ସେହିଦିନରେ ଆଉ ଜଣେ ମହାତ୍ମା, ଏ ଯୁଗର ଅବତାର ରାଜନୈତିକ ପ୍ରେମଧର୍ମ ପ୍ରଚାର କରିବାକୁ ଆସିଛନ୍ତି। ଆଜି ମହାତ୍ମା ଗାନ୍ଧୀଙ୍କ ଶୁଭାଗମନ ଉତ୍କଳ ଇତିହାସରେ ଏକ ନୂତନ ଚିରସ୍ମରଣୀୟ ଘଟଣା। ଏହି ଶୁଭ ଅବସରରେ ମୁଁ ଆପଣମାନଙ୍କୁ ନିବେଦନ କରୁଛି, ଆପଣମାନେ ଓଡ଼ିଆ ଜାତିର ପ୍ରାଚୀନ ଗୌରବ ଓ ଧର୍ମପ୍ରାଣତାକୁ ମନେପକାଇ ତାଙ୍କର ବାର୍ତ୍ତାକୁ ହୃଦୟଙ୍ଗମ କରନ୍ତୁ।’
ଏହା ପରେ ଗାନ୍ଧିଜୀ ଦୀର୍ଘ ସମୟ ଧରି ହିନ୍ଦୀରେ ଭାଷଣ ଦେଇ ପରାଧୀନ ଭାରତର ଦୁର୍ଦଶା, ଅସହଯୋଗ ଆନ୍ଦୋଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଏବଂ ଭବିଷ୍ୟତ କର୍ମପନ୍ଥା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ଭାଷଣ ଚାଲିଥିବାବେଳେ କେହି ଜଣେ ମୌଳବାଦୀ ବ୍ୟକ୍ତି ନଦୀ ବାଲିରେ ପଡ଼ିଥିବା ଗୋଟିଏ ଖଣ୍ଡିଆ କୁଲାକୁ ଗୋଟାଇ ଆଣି ସଭା ଭିତରକୁ ଫିଙ୍ଗି ଦେଇଥିଲା। ଲୋକଜଣକ ବଡ଼ପାଟିରେ ଏହା ମହାତ୍ମା ଗାନ୍ଧୀଙ୍କୁ ଭେଟି ଦିଆଗଲା ବୋଲି କହୁଥିବାର ଶୁଣାଗଲା। ଗାନ୍ଧିଜୀ ଖିଲାଫତ୍‌ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ସମ୍ଭବତଃ କେହିଜଣେ ଧର୍ମାନ୍ଧ ହିନ୍ଦୁ କ୍ରୋଧର ବଶବର୍ତ୍ତୀ ହୋଇ ଏଭଳି କାର୍ଯ୍ୟ କରିଥିବାର ଅନୁମାନ କରାଯାଏ। ତେବେ ଉତ୍କଳମଣି ଗୋପବନ୍ଧୁ ସଭାକାର୍ଯ୍ୟ ଶେଷ ହେବା ପରେ ସେହି ଖଣ୍ଡିଆ କୁଲାଟିକୁ ନିଲାମ୍‌ ଡାକିଲେ ଏବଂ ଜଣେ ଭଦ୍ରବ୍ୟକ୍ତି ସର୍ବାଧିକ ଡାକ ୨୦ଟଙ୍କା ଦେଇ ତାହାକୁ କିଣି ନେଇଥିଲେ। ଏହି ଗୋଟିଏ ଅଘଟନ ବ୍ୟତୀତ ମୋଟାମୋଟି ଭାବରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ଜନସଭା ସଫଳତାର ସହ ଶେଷ ହୋଇଥିଲା। ମହାତ୍ମାଙ୍କ ପ୍ରଥମ ଓଡ଼ିଶା ଗସ୍ତର ଅନୁଭୂତି ତାଙ୍କୁ ଏଭଳି ଭାବରେ ପ୍ରଭାବିତ କରିଥିଲା ଯେ, ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ଅଞ୍ଚଳରେ ଅନୁଷ୍ଠିତ ସଭାସମିତିଗୁଡ଼ିକରେ ସେ ତାହାର ବର୍ଣ୍ଣନା କରିବାକୁ ଭୁଲିନଥିଲେ। ସେହି ସନ୍ଧ୍ୟାରେ କାଠଯୋଡ଼ି ନଦୀର ତତଲା ବାଲି ଉପରୁ ସେ ସ୍ବରାଜ୍ୟ ଓ ଅସହଯୋଗର ଯେଉଁ ତୂର୍ଯ୍ୟନାଦ ଶୁଣାଇଲେ, ତାହା ଦେଶର କୋଟିକୋଟି ନରନାରୀଙ୍କୁ ସାମ୍ରାଜ୍ୟବାଦ ବିରୋଧୀ ମୁକ୍ତି ସଂଗ୍ରାମରେ ଝାସ ଦେବା ପାଇଁ ଉଦ୍‌ବୁଦ୍ଧ ତଥା ଅନୁପ୍ରାଣିତ କରିଥିଲା।

ପ୍ରଦୋଷ ପଟ୍ଟନାୟକ,

ବରିଷ୍ଠ ସାମ୍ବାଦିକ
ଭୁବନେଶ୍ବର
ମୋ : ୯୮୬୧୦୨୬୬୪୦

Comments are closed.