ଗୋପବନ୍ଧୁ ନର୍ସିଂ କଲେଜରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗୁରୁଡିଝାଟିଆ : ଜାତିର ଜନକ ମହାତ୍ମାଗାନ୍ଧୀ, ଶାନ୍ତି ଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଚିନ୍ତା ଚେତନା ଜୀବନଦର୍ଶନ, ଦେଶଭକ୍ତି ସର୍ବୋପରି ମୂଲ୍ୟବୋଧ ଭିତ୍ତିକ ସମାଜ ଗଠନରେ ଯେଉଁ ମହନୀୟ ଭୂମିକା ନିଭାଇଛନ୍ତି ତାହା ଆଜିର ଯୁବଶକ୍ତି ଅନୁସରଣ କରିବା ଏକାନ୍ତ ଆବଶ୍ୟକ ବୋଲି ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରସ୍ଥ ଗୋପବନ୍ଧୁ ନର୍ସିଂ କଲେଜରେ ଆୟୋଜିତ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସବରେ ଉପସ୍ଥିତ ନର୍ସିଂ କଲେଜର ଅଧ୍ୟାପିକାବୃନ୍ଦ ଏହି ମତପ୍ରକାଶ କରିଛନ୍ତି । ବରିଷ୍ଠ ଅଧ୍ୟାପିକା ତିଳୋତ୍ତମା ବେହେରା ଗାନ୍ଧୀଙ୍କ ସତ୍ୟ ଅହିଂସା ସାଧାନ ଓ ସାଧ୍ୟ ନୀତି ଏକ ପ୍ରଦୂଷଣମୁକ୍ତ ସାଂପ୍ରଦାୟିକ ବିହୀନ ସମାଜ ଗଠନରେ ଯେପରି ଅଭିପ୍ରେତ ସେହିଭଳି ଭାବରେ ଶାସ୍ତ୍ରୀଜୀଙ୍କ ସଚ୍ଚୋଟତା, ନିଷ୍କପଟ ଜୀବନ ଆମକୁ ପ୍ରେରଣା ଯୋଗାଇଥାଏ ବୋଲି କହିଥିଲେ । ନର୍ସିଂ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଉତ୍ସବରେ ପୌରହିତ୍ୟ କରି ଉପସ୍ଥିତ ବିଦ୍ୟାର୍ଥୀମାନେ ମହାମାନବ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୀବନଦର୍ଶନରେ ନିଜକୁ ଗଢିତୋଳିବା ପାଇଁ କହିଥିଲେ। ଅଧ୍ୟାପିକା ବି.କେ ଶୁଭଲକ୍ଷ୍ମୀ, ଅନନ୍ୟା ପାତ୍ର, ରଞ୍ଜିତା ଦାସ ଓ ସ୍ନେହାଶ୍ରିତା ସ୍ୱାଇଁ ପ୍ରମୁଖ ଦୁଇ ମହାପୁରୁଷଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ନର୍ସିଂଛାତ୍ରୀମାନେ ପ୍ରାରମ୍ଭରେ ସମ୍ମିଳିତ ଭାବରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Comments are closed.