ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ରାଜସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାନସଭା ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଏବଂ ପ୍ରାର୍ଥନା ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରମୁଖ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ର ତରଫରୁ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଏବଂ ରାମଧୂନ ପରିବେଷଣ ପରିବେଶକୁ ଭାବଗାମ୍ଭୀର କରିଥିଲା।
ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା, ବିଧାନସଭାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ ସୁଶ୍ରୀ ପ୍ରମୋଦିନୀ ଟେଟେ ପ୍ରମୁଖ ସହଯୋଗ କରିଥିଲେ। ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Comments are closed.