ଗଲୱାନ୍‌ରେ ପତାକା ଉଡ଼ାଇଲା ଚୀନ୍‌

ହଟ୍‌ ସ୍ପ୍ରିଙ୍ଗ ଓ ଡେମ୍‌ଚକ୍‌ରେ ଭାରତୀୟ ଯବାନ ମିଠାଦେବା ମୂଲ୍ୟହୀନ

ନୂଆଦିଲ୍ଲୀ : ଲଦାଖରେ ବିବାଦ ଲଗାଇ ରଖିବାକୁ ଚାହୁଁଛି ଚୀନ୍‌। ଯେଉଁ ଗଲୱାନ୍‌ ଉପତ୍ୟକାରେ ୨୦୨୦ରେ ଭାରତୀୟ ସେନା ସହିତ ଚୀନ୍‌ ସେନା ‘ପିପୁଲ୍ସ ଲିବରେସନ୍‌ ଆର୍ମି ବା ପିଏଲଏର ବଡ଼ ଧରଣର ସଂଘର୍ଷ ହୋଇଥିଲା ସେଠାରେ ଏବେ ଚୀନ୍‌ ସେନା ନିଜ ଦେଶର ପତାକା ଉତ୍ତୋଳନ କରିଛନ୍ତି। ନୂଆ ବର୍ଷ ଉପଲକ୍ଷେ ଭାରତୀୟ ଯବାନମାନେ ଚୀନ୍‌ ପ୍ରତିପକ୍ଷଙ୍କୁ ହଟ୍‌ ସ୍ପ୍ରିଙ୍ଗ ଓ ଡେମଚକ୍‌ଠାରେ ମିଠା ଓ ଉପହାର ପ୍ରଦାନ କରିଥିବାବେଳେ ଏହାର ପ୍ରତିଦାନରେ ସେମାନେ ସ୍ବତନ୍ତ୍ର ଉତ୍ସବ ମଧ୍ୟରେ ଏହି ପତାକା ଉଡ଼ାଇଛନ୍ତି ଏବଂ ମାତୃଭୂମିର ସୁରକ୍ଷା ପାଇଁ ତଥା ଇଞ୍ଚେ ଜମି ନ ଛାଡ଼ିବାର ଶପଥ ନେଇଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି, ଜାନୁଆରୀ ୧ରୁ ଚୀନ୍‌ର ବିବାଦୀୟ ନୂଆ ସୀମାନ୍ତ ଜମି ଆଇନ କାର୍ଯ୍ୟକାରୀ କରିଥିବାବେଳେ ଏହି ପତାକା ଉତ୍ତୋଳନ କରାଯାଇଛି। ଏହି ଆଇନ ବଳରେ ଚୀନ୍‌ ଏବେ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ନିଜର ସାର୍ବଭୌମତ୍ବ ଜାହିର କରିବ ଓ ସମ୍ପୃକ୍ତ ଅଞ୍ଚଳରେ ଅଧିକ ଗାଁ ବସାଇପାରିବ। ଚୀନ୍‌ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ପକ୍ଷରୁ ପତାକା ଉଡ଼ାଯିବାର ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି ଓ ଏହି ଘଟଣାକୁ ତିଆନାନ୍‌ମେନ୍‌ ଛକ ଘଟଣା ପରଠାରୁ ‘ସ୍ବତନ୍ତ୍ର’ ବୋଲି ଦର୍ଶାଯାଇଛି। ଗଲୱାନ୍‌ରେ ମୁତୟନ ପିଏଲଏ ଯବାନଙ୍କୁ ଏହା ‘ହିରୋଜ୍‌ ଅଫ ଗଲୱାନ ଭ୍ୟାଲି ସେଣ୍ଡସ୍‌ ନ୍ୟୁ ଇୟର ଗ୍ରିଟିଙ୍ଗସ୍‌’ (ଗଲୱାନ୍‌ର ବୀରମାନେ ନୂଆ ବର୍ଷ ଶୁଭେଚ୍ଛା ଜଣାଉଛନ୍ତି) ବୋଲି ଉଲ୍ଲେଖ କରିଛି। ଏ ସମ୍ପର୍କିତ ଭିଡିଓକୁ ‘ୱିବେବୋ’ ମାଧ୍ୟମରେ ଚୀନ୍‌ର କୋଟି କୋଟି ଜନତାଙ୍କ ନିକଟରେ ପହଞ୍ଚାଯାଇଛି। ଏଥିରେ ୨୦୨୦ ଜୁନ୍‌ର ସଂଘର୍ଷ ଦୃଶ୍ୟ ମଧ୍ୟ ପ୍ରସାରଣ କରାଯାଇଛି। ଏହି ଘଟଣା ସ୍ପଷ୍ଟ କରିଛି ଯେ ଗଲୱାନ୍‌ ଉପତ୍ୟକାରୁ ଚୀନ୍‌ ସେନା ହଟିଥିବା ଓ ବିବାଦର ସମାଧାନ ହୋଇଥିବା ନେଇ ଭାରତ ସରକାର ଯାହା ଦାବି କରୁଛନ୍ତି ତାହା ଠିକ୍‌ ନୁହେଁ।
ଏହାକୁ ନେଇ ଏବେ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଜବାବ ଲୋଡ଼ିଛନ୍ତି। ମୋଦୀ ଚୀନ୍‌ ଅନୁପ୍ରବେଶ ପ୍ରସଙ୍ଗରେ ନିରବତା ଭଙ୍ଗ କରିବାକୁ ରାହୁଲ ଆହ୍ବାନ ଦେଇଛନ୍ତି। ଗଲୱାନ୍‌ରେ ଭାରତର ତ୍ରିରଙ୍ଗା କେବେ ଶୋଭା ପାଇବ ବୋଲି ସେ ପ୍ରଶ୍ନ କରିଛନ୍ତି। ଇତିମଧ୍ୟରେ ଭାରତୀୟ ସେନାକୁ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ପୁନଃସଂଗଠିତ କରାଯାଇଛି ଏବଂ ପିଏଲଏର ମୁକାବିଲା ପାଇଁ ଏହାକୁ ଅଧିକ ଦୃଢ଼ କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୈନ୍ୟ ପ୍ରତ୍ୟାହାର ହୋଇଥିବା ଅଞ୍ଚଳକୁ ଭାରତୀୟ ସୁସଂଯୋଜିତ କରୁଛି ବୋଲି ଏକ ବିବୃତିରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧୫ରେ ଗଲୱାନ୍‌ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଯବାନ ଓ ସେନାଧିକାରୀ ପ୍ରାଣ ହରାଇଥିଲେ। ଚୀନ୍‌ର କୌଣସି ଯବାନ ମୃତାହତ ହୋଇ ନ ଥିବା ସେଠାକାର ସରକାର କହୁଥିଲେ ମଧ୍ୟ ପରେ ମାତ୍ର ୫ଜଣ ନିହତ ହୋଇଥିବା ମାନିଥିଲେ। ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ମତରେ ଏହି ସଂଘର୍ଷରେ ପ୍ରାୟ ୪୦ ପିଏଲଏ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା। ବିବାଦର ସମାଧାନ ଉଦ୍ୟମ ଅଦ୍ୟାବଧି ଜାରି ରହିଛି। ଅନ୍ୟ ଏକ ଘଟଣାରେ ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ୧୫ଟି ଅଞ୍ଚଳର ନିଜସ୍ବ ନାମକରଣ କରିଥିଲା। ଏଠାରେ ଥିବା ୮ଟି ଜନବସତି, ୨ ନଦୀ ଓ ୫ ପାହାଡ଼କୁ ନିଜସ୍ବ ଅଞ୍ଚଳ ବୋଲି ଚୀନ୍‌ ଦର୍ଶାଇବା ସହ ଏହା ଦକ୍ଷିଣ ତିବ୍‌ବତ ଅନ୍ତର୍ଭୁକ୍ତ ବୋଲି ଦାବି କରିଥିଲା। ଭାରତ ଏହାର ପ୍ରତିବାଦ କରିଥିଲେ ମଧ୍ୟ ଚୀନ୍‌ ଖାତିର କରି ନ ଥିଲା।

Comments are closed.