ପାରଳାଖେମୁଣ୍ଡି ବିଧାୟକଙ୍କ ମାଉସୀକୁ ମରଣାନ୍ତକ ଆକ୍ରମଣ

ଗଜପତି : ଗଜପତି ଜିଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଗତକାଲି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ସନ୍ଧ୍ୟାରେ ଦୁଇ ଜଣ ଅଜଣା ଯୁବକ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ (ବିଜେପି) ଘରେ ପ୍ରବେଶ କରି ତାଙ୍କ ମାଉସୀ ପି.ତାତାମ୍ମାଙ୍କୁ (୬୫) ଆକ୍ରମଣ କରିଥିବା ଜଣାପଡ଼ିଛି। ୨ ଜଣ ଦୁର୍ବୃତ୍ତ ଘରେ ପଶି ଲୁଟ ଉଦ୍ୟମ କରିବା ସହ ତାଙ୍କୁ ମରଣାନ୍ତ ଆକ୍ରମଣ କରିଥିଲେ। ପଡ଼ୋଶୀ ମାନେ ତାଙ୍କ ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣା ସଂର୍ପକରେ ବିଧାୟକଙ୍କ ଘର ନିକଟରେ ଥିବା ବିଜେପି କାର୍ୟ୍ୟାଳୟରୁ ଜଣେ ବରିଷ୍ଠ ବିଜେପି ନେତା ଓ ବିଧାୟକଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ପହଂଚି ମୁମୁର୍ଷ ଅବସ୍ଥାରେ ବିଧାୟକଙ୍କ ମାଉସୀ ପି.ତାତାମ୍ମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି ।
ଉକ୍ତ ଦୁଇଜଣ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବିଧାୟକଙ୍କ ଘରରୁ ଲୁଟ ଉଦ୍ୟମ କରୁଥିବା ବେଳେ ଆକ୍ରମଣ କରିଥିଲେ। ପିଉସୀଙ୍କ ପାଟି ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। କିନ୍ତୁ କିଛି ପାଖ ପୋଡଶୀ ପହଂଚିବା ବେଳକୁ ଉକ୍ତ ଦୁଇଜଣ ଯୁବକ ପି.ତାତାମ୍ମାଙ୍କୁ ରକ୍ତାକ୍ତ କରି ପକାଇଛନ୍ତି ।
ସୂଚନା ଯୋଗ୍ୟ, ଘଟଣାସ୍ଥଳରେ ପୁଲିସ ପଂହଚି ତଦନ୍ତ ଆରମ୍ଭ କରିବା ସହ ବିଧାୟକଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ତେବେ କେ.ନାରାୟଣ ରାଓ ଵିଧାନ ସଭା ଅଧିବେଶନରେ ଯୋଗ ଦେବା ପାଇଁ  ଭୁବନେଶ୍ୱରରେ ଥିବା ବେଳେ ତାଙ୍କ ଏରଦଳା ସାହି ବାସଭବନରେ ତାଙ୍କ ମାଉସୀ ଏକୁଟିଆ ଥିଲେ । ପଡ଼ୋଶୀଙ୍କ କହିବା ଅନୁସାରେ ବିଧାୟକଙ୍କ ମାଉସୀ ଚିତ୍କାର କରିବା ବେଳେ ସେମାନେ ପଂହଚୁ ପଂହଚୁ ଘଟଣାସ୍ଥଳରୁ ଦୁଇ ଜଣ ଅଜଣା ଯୁବକ ଦୌଡି ପଳାଇଥିଲେ । ତେବେ ଘର ନିକଟରୁ ଦୁଇ ହଳ ଚପଲ ମିଳିଛି ,ତାହା ଉକ୍ତ ଯୁବକ ମାନଙ୍କ ବୋଲି ସନ୍ଦେହ କରାଯାଉଛି ।

Comments are closed.