୫ ବର୍ଷ ହେଲାଣି ଅଚଳ ଉଠା ଜଳସେଚନ ପ୍ରକଳ୍ପ, ବର୍ଷା ଅଭାବରୁ ମରୁଡି ପରିସ୍ଥିତି

ଚଳିତ ବର୍ଷ ବର୍ଷା ଅଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିବାରେ ଲାଗିଛି ଏକର ଏକର ଚାଷଜମି। କେଉଠିଁ ଚାଷଜମି ଫାଟି ଆଁ କଲାଣି ତ ଅନ୍ୟ କେଉଁଠି ଧାନ ତଳି ପୋଡିଗଲାଣି। ସେପଟେ ଚାଷ ଓ ଚାଷୀଙ୍କ ଉନ୍ନତି ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ଅଡବା ଗ୍ରାମରେ ଲକ୍ଷାଧିକ ଟଙ୍କା ବ୍ୟୟବରାଦରେ ଢେପ ଜମିରେ ଜଳସେଚନ ପାଇଁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରୀକା ଓ ଲାଭଖୋର ନୀତିରେ କରାଯାଇଥିବା କାମ ଯୋଗୁଁ ବର୍ଷ ବର୍ଷ ଧରି ଚାଷୀ ପ୍ରକଳ୍ପର ସୁଫଳ ପାଇବା ପରିବର୍ତ୍ତେ ହନ୍ତସନ୍ତ ହେଉଛନ୍ତି।

ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଗ୍ରାମର ହରଭଙ୍ଗୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ରହିଛି ୨୦୦ ଏକରରୁ ଉର୍ଦ୍ଦ ଢେପ ଚାଷଜମି। ଏହି ଜମିକୁ ଜଳସେଚନ କରିବା ଉଦ୍ଧେଶ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷରେ ଉଠାଜଳସେଚନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଦୁଇଟି ବିଦ୍ୟୁତ ଚାଳିତ ମଟର ପମ୍ପ ହାଉସ ନଦୀ ତଟରେ ବସାଯାଇଥିବା ବେଳେ ଢେପରେ ଥିବା ଜମିକୁ ଜଳସେଚନ ପାଇଁ ପାଇପ ଯୋଗେ ୯ ଗୋଟି ଜଳ ଉତ୍ସ ନିର୍ମାଣ କରାଯାଇଛି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିର୍ମାଣାଧିନ ଏହି ଉଠାଜଳସେଚନ ପ୍ରକଳ୍ପଟି ଏବେ ବି ଅଧପନ୍ଥରିଆ ଅବସ୍ଥାରେ ପଡିଥିବା ବେଳେ ଅନେକ ଯନ୍ତ୍ରାଂଶ ଭାଙ୍ଗିରୁଜି ଗଲାଣି। ନିର୍ମାଣର ପାଞ୍ଚବର୍ଷ ବିତିବାକୁ ବସିଥିବା ବେଳେ ସୁବିଧା ପାଇବାକୁ ଥିବା ୫୨ଟି ଚାଷି ନିଜ ଜମିକୁ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି। ଫଳରେ ପ୍ରତି ବର୍ଷ ବର୍ଷାଜଳ ଉପରେ ନିର୍ଭର କରି ଧାନ, ମାଣ୍ଡିଆ, ମକା ଆଦି ଫସଲ କରିଆସୁଛନ୍ତି ଚାଷି। ହେଲେ ଚଳିତ ବର୍ଷ ବର୍ଷା ଅଭାବରୁ ଚାଷଜମିରେ ଜଳାଭାବରେ ଜମି ଫାଟିବା ସହ ଲଗାଯାଇଥିବା ମକା ଗଛ, ଧାନ ତଳି ପୋଡିବାରେ ଲାଗିଛି। ବିଭିନ୍ନ ସାହୁକାରଙ୍କ ଠାରୁ ଧାର କରଜ କରି ବିହନ ଓ ସାର ଆଣିଥିବା ଚାଷୀ ରୁଣ ପରିଷୋଧ କିପରି କରିବେ ସେ ନେଇ ଚିନ୍ତାରେ ଭାଙ୍ଗିପଡିଥିବା ପ୍ରକାଶ କରିଛନ୍ତି।

ଅଡବା ଅଞ୍ଚଳର ୨୦୦ ଏକର ଚାଷଜମି ନିର୍ମାଣ ହୋଇଥିବା ଦୁଇଟି ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଓ ଜମିକୁ ଜଳସେଚନ କରିବା ନେଇ ପାଣିପଞ୍ଚାୟତ ତଥା ଚାଷୀ ମାନେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କୁ ବାରମ୍ବାର ଜଣାଇଆସୁଛନ୍ତି ହେଲେ କୌଣସି ସୁଫଳ ମିଳୁନଥିବା ନିରାଶ ହୋଇଛନ୍ତି ଚାଷି। ସେପଟେ ଅଚଳ ହୋଇ ପଡିରହିଥିବା ପ୍ରକଳ୍ପ ବିଷୟରେ ଆମେ ମୋହନା ଉଠାଜଳସେଚନ ବିଭାଗୀୟ ଯନ୍ତ୍ରୀ ବିଘ୍ନେଶ୍ବର ସିଂଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରୀୟା ଦିଆଯାଉନି ବୋଲି କହିବା ସହ ଆମକୁ ପ୍ରତିକ୍ରୀୟା ଦେବାକୁ ରୋକଠୋକ ମନା କରିଦେଇଥିଲେ।

ପ୍ରାୟ ୨୩ ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଦୁଇ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିଦିଆଯାଇଛି ଏବଂ ପାଣି ପଞ୍ଚାୟତକୁ ଏହାର ଦାୟିତ୍ୱ ଦିଆଯାଇଛି ଏବଂ ପ୍ରକଳ୍ପ କାମ ସରିବା ପରେ ବିଭାଗ ପକ୍ଷରୁ କୈଣସି ହସ୍ତକ୍ଷେପ କରାଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି ମୋହନା ଉଠାଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ବିଘ୍ନେଶ୍ବର ସିଂ। ସେପଟେ ପମ୍ପ ହାଉସକୁ ଠିକାଦାର ତାଲାପକାଇ ରଖିଥିବା ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ମିଟର ମଧ୍ୟ ସଂଯୋଗ କରାଯାଇନାହିଁ। ନଦୀ ଜଳ ସ୍ଥର ଠାରୁ କମ ଉଚ୍ଚତାରେ ଦୁଇଟି ପ୍ରକଳ୍ପ ରଖାଯାଇଥିବା ହେତୁ ତିତଲି ଭଳି ବାତ୍ୟାରେ ସଂପୁର୍ଣ୍ଣ ବୁଡିଯାଉଛି। ତଥାପି ବିଭାଗ ସବୁ ଜାଣି ନ ଜାଣିବା ଅଭିନୟ କରୁଛନ୍ତି।

ଲକ୍ଷାଧିକ ଟଙ୍କା ବ୍ୟୟରେ ସରକାର ଚାଷିଙ୍କ ଲାଗି ଉଠା ଜଳସେଚନ କରୁଥିବା ବେଳେ ଦିନେ ହେଲେ ଚାଷ ଜମିକୁ ଜଳସେଚନ ହୋଇପାରିନାହିଁ, ସମସ୍ୟା ନେଇ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ ଜଣାଇ ନିରାଶ ହୋଇଥିବା ଚାଷିକୁଳ ଏବେ ହତାସ ହୋଇପଡିଥିବା ବେଳେ ଏଥର କୌଣସି ସୁଫଳ ନିମିଲେ ସମୁହ ଆତ୍ମହୁତି କରିବାକୁ ଚେତାବନୀ ଦେଇଛନ୍ତି କ୍ଷତିଗ୍ରସ୍ଥ ଚାଷି।

Comments are closed.