ଧର୍ମଘଟ ପରେ ସୁଫଳ ନ ମିଳିବାରୁ ରାଜରାସ୍ତା ଅବରୋଧ ପାଇଁ ପ୍ରସ୍ତୁତି

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ବହୁ ପୁରାତନ ରୋମାନ କ୍ୟାଥଲିକ ଚର୍ଚ୍ଚକୁ ନେଇ ଦିନକୁ ଦିନ ବିବାଦୀୟ ପରିସ୍ଥିତି ଘନେଇବାରେ ଲାଗିଛି। ଚର୍ଚ୍ଚର ଧର୍ମଯାଜକ ଯୋଶେଫ ପାଣିଙ୍କ ବହିଷ୍କାର ଓ ସର୍ବ ସାଧାରଣଙ୍କ ବନ୍ଦ ପଡିଥିବା ଚର୍ଚ୍ଚକୁ ଖୋଲିବା ଦାବୀରେ ଚର୍ଚ୍ଚ ମୁଖ୍ୟ ଫାଟକ ସମ୍ମୁଖରେ ଆଜକୁ ମାସେ ହେବ ମହିଳାମାନେ ଶାନ୍ତି ପୁର୍ଣ୍ଣ ଭାବେ ଧାରଣାରତ ଅଛନ୍ତି। ବାରମ୍ବାର ଜିଲ୍ଲା ପ୍ରଶାସନକୁ ଗୁହାରି ଜଣାଇବା ସହ ମୋହନା ଥାନାରେ ମଧ୍ୟ ଦାବୀ ନେଇ ଜଣାଇଛନ୍ତି ହେଲେ କୈଣସି ସୁଫଳ ମିଳିନଥିବା ମହିଳାମାନେ ପ୍ରକାଶ କରିଛନ୍ତି। ଫଳରେ ଆଜି ୧୨ଘଣ୍ଟା ବ୍ୟାପି ପାରଳାଖେମୁଣ୍ଡି ମୋହନା ବ୍ରହ୍ମପୁରକୁ ସଂଯୁକ୍ତ କରୁଥିବା ଜାତିୟ ରାଜପଥ ଅବରୋଧ କରିବା ନିମନ୍ତେ ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟ ପାରଳାଖେମୁଣ୍ଡି ଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ଦୀର୍ଘ ୨୨ ବର୍ଷ ଧରି ଉକ୍ତ ଚର୍ଚ୍ଚରେ ଗୋଷ୍ଠୀ ବାଦ ବିବାଦ ଲାଗିରହିଥିବା ବେଳେ ଦୁଇ ପକ୍ଷକୁ ନେଇ ଜିଲ୍ଲା ଦେବାନୀ ଅଦାଲତରେ ବିଚାରାଧୀନ ଥିଲା ଏବଂ ଅନେକ ବର୍ଷ ପରେ ରାୟ ପ୍ରକାଶ ପାଇଥିଲା ଏବଂ ଉକ୍ତ ରାୟରେ ପୁରାତନ ଧର୍ମଯାଜକ ଯୋଶେଫ ପାଣିଙ୍କୁ ଚର୍ଚ୍ଚ ଖାଲି କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସର୍ବସାଧାରଣଙ୍କ ଲାଗି ଚର୍ଚ୍ଚ ଖୋଲିବାର ବାଟ ଫିଟିଥିଲା। ହେଲେ ଉକ୍ତ ରାୟକୁ ଭୁଲ ଓ ପୁଣି ରାୟ ଶୁଣାଣି ପାଇଁ ବିପକ୍ଷ ପାର୍ଟି ତରଫରୁ ଆବେଦନ କରାଯାଇଛି। ଆଗାମୀ ଦିନରେ ରାଜରାସ୍ତାକୁ ଅବରୋଧ କରାଯିବା ପରେ କୈଣସି ସୁଫଳ ନ ମିଳିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Comments are closed.