୨ଲ୍ୟାଣ୍ଡ ମାଇନ ଜବତ

ମୋହନା : ଗଜପତି ଜିଲା ଅଡବା ଥାନା ପୁଲିସକୁ ମଙ୍ଗଳବାର ମିଳିଛି ଏକ ବଡ଼ ସଫଳତା। ନିର୍ବାଚନ ଭଣ୍ଡୁର ପାଇଁ ମାଓବାଦୀଙ୍କ ଉଦ୍ୟମକୁ ପୁଲିସ୍ ପଣ୍ଡ କରିଛି । ମଙ୍ଗଳବାର ପୁଲିସ୍ ଓ ଏସ୍ଏସବିଏନ୍ ଯବାନଙ୍କ ମିଳିତ କମ୍ବିଙ୍ଗ ଅପରେସନ ଚାଲିଥିବା ବେଳେ ଝିଲିକି ଅନ୍ଧାରିଘାଟିର ଏକ କର୍ଲଭଟ ତଳୁୁ ଅଡବା ପୁଲିସ୍ ୨ଲ୍ୟାଣ୍ଡ ମାଇନ୍ ଜବତ କରିଛି । ୫୦ କିଲୋ ଓଜନର ୨ଟି ଟିଫିନ ବୋମା ଦିନେ ଦୁଇ ଦିନ ମଧ୍ୟରେ ମାଓବାଦୀ ମାନଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଗଜପତି ଏସପି ସାରା ଶର୍ମା କହିଛନ୍ତି। ଏସପିଙ୍କ ସୂଚନା ଅନୁସାରେ, ଆଗାମୀ ୧୧ ତାରିଖରେ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଥିବା ବେଳେ ସେହି ଅଞ୍ଚଳରେ ପୁଲିସ୍ ପକ୍ଷରୁ କମ୍ବିଙ୍ଗ ଅପରେସନ ଜୋରଦାର କରାଯାଇଛି। ଉକ୍ତ ଅଞ୍ଚଳରେ ଲ୍ୟାଣ୍ଡ ମାଇନ୍ ଥିବା ନେଇ ପୁଲିସ ପାଖରେ ଆଗରୁ ଖବର ଥିଲା। ଏଥିପାଇଁ ଗତ କାଲି ରାତିଠାରୁ ପୁଲିସ ଓ ଏସ୍ଏସବିଏନ୍ ଯବାନ କମ୍ବିଙ୍ଗ କରିବା ସହ ଉକ୍ତ ଅଞ୍ଚଳରେ ଖାନ୍ ତଲାସ ଜାରି ରଖିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟାରେ ଅନ୍ଧାରୀଘାଟି କଲର୍ଭଟ ତଳେ ୨ ଟି ଲ୍ୟାଣ୍ଡମାଇନକୁ ଯବାନ୍‍ ଠାବ କରିଥିଲେ। ଏଥିସହ ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିବା ସ୍ଥାନଠାରୁ ପ୍ରାୟ ୫୦ ମିଟର ତାର ଜଙ୍ଗଲ ମଧ୍ୟରେ ବିଛାଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ବୋମା ନିସ୍କ୍ରିୟକାରୀ ଦଳକୁ ଖବର ଦିଆଯିବା ସହ ଗଜପତି ଏସପି ସାରା ଶର୍ମା,୨ ଜଣ ନିର୍ବାଚନୀ ପର୍ଯ୍ୟବେକ୍ଷକ, ମୋହନା ବିଡିଓ ତଥା ବ୍ଳକ ନିର୍ବାଚନ ଅଧିକାରୀ ବଂଶିଧର ଖୋସଲା ଓ ଅଡବା ଥାନା ଅଧିକାରୀ ଅଜୟ କୁମାର ବାରିକ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ଆଗାମୀ ୧୧ ତାରିଖ ମତଦାନ ପୁର୍ବରୁ କିଛି ଅଘଟଣ ଘଟାଇବା ଆଶଙ୍କାରେ ମାଓବାଦୀଙ୍କ ପକ୍ଷରୁ ଏହି ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ପୁଲିସ୍ ଅନୁମାନ କରୁଛି।

ସୂଚନା ଯୋଗ୍ୟ ଯେ, ଗତ ୨୦୦୯ ଫେବୃୟାରୀ ୧୬ରେ ଅଡବା ଥାନା କଟାମା ଗ୍ରାମକୁ ଏକ ଜନସମ୍ପର୍କ ଶିବିରକୁ ୧୭ ଜଣ ଡିଭିଏଫ ଯବାନଙ୍କୁ ନେଇ ଏକ ମିନି ବସ ଯାଉଥିଲା। ଠିକ୍‍ ସେହି କଲର୍ଭଟ୍‍ ନିକଟରେ ଗାଡି ପହଞ୍ଚିବାମାତ୍ରେ ମାଓବାଦୀ ମାନେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ କରିଥିଲେ। ଫଳରେ ସମସ୍ତ ୧୭ ଜଣ ଯବାନ ଆହାତ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ଗୁରୁତର ହୋଇଥିଲେ। ସେହି ସମୟରେ ମାଓବାଦୀମାନଙ୍କ ଉକ୍ତ ଅଞ୍ଚଳରେ ଚଳପ୍ରଚଳ ଥିବା ବେଳେ ଆଜି(ମଙ୍ରଗଳବାର)ର ଘଟଣା ପୁଣିଥରେ ସେହି ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ପୁଲିସ ଅନୁମାନ କରୁଛି। କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯଇଥିବା ବେଳେ ନିର୍ବାଚନ ପାଇଁ ପୁଲିଙ୍ଗ ଗାଡିକୁ ମଧ୍ୟ ଉକ୍ତ ଅଞ୍ଚଳକୁ ଛଡା ଯାଇ ନାହିଁ। କଡା ସୁରକ୍ଷା ମଧ୍ୟରେ ଅଡବା ଅଞ୍ଚଳର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ଇଭିଏମ ଓ ପୁଲିଙ୍ଗ ଅଫିସରମାନଙ୍କୁ ନିଆଯିବ ବୋଲି ଏସପି କହିଛନ୍ତି। ପୂର୍ବରୁ ଏହି ଅଞ୍ଚଳ ଗୁଡିକ ମାଓ ପ୍ରବଣ ଭାବେ ପରିଚିତ ଥିଲା। କିନ୍ତୁ କିଛିଦିନର ନିରବତା ପରେ ପୁଣି ଉକ୍ତ ଅଞ୍ଚଳ ଗୁଡିକରେ ମାଓବାଦୀମାନେ ସକ୍ରିୟ ଥିବା ଅନୁମାନ କରାଯାଉଛି।

Comments are closed.