ପରଲୋକରେ ପ୍ରସିଦ୍ଧ ସିନେମାଟୋଗ୍ରାଫର ଗାଗାରିନ ମିଶ୍ର

ଭୁବନେଶ୍ୱର: ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ୍‍ ମିଶ୍ର ଆଉ ନାହାନ୍ତି। ମୁମ୍ବଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୬୭ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଲିଉଡ ଓ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ଶ୍ରୀ ମିଶ୍ର ନିକଟରେ ଭୁବନେଶ୍ୱର ଆସି ସ୍ୱର୍ଗତ ଭାଇ ତଥା ଚଳଚ୍ଚିତ୍ର ସମ୍ପାଦକ ଦେବେନ ମିଶ୍ରଙ୍କ ଶୁଦ୍ଧିକ୍ରିୟା ସାରି ଗତକାଲି ଭୁବନେଶ୍ୱରରୁ ମୁମ୍ବଇ ଯାଇଥିଲେ। ସେଠାରେ ହୃଦ୍‍ଘାତ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱର୍ଗତ ମିଶ୍ର ଜଣେ ପରିଚିତ ସିନେମାଟୋଗ୍ରାଫର ଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ଫୁଲ ଚନ୍ଦନ’, ‘ନଈ ସେପାରି କନକଗୋରୀ’ ପ୍ରଭୃତିରେ ସେ କାର୍ଯ୍ୟ କରିଥିଲେ। ୨୦୧୨ରେ ଅଜୟ ମହାନ୍ତିଙ୍କ ପ୍ରଯୋଜିତ, ପଙ୍କଜ ପାଣିଙ୍କ ନିର୍ଦେଶିତ ‘ନଈ ସେପାରି କନକଗୋରୀ’ ଚିତ୍ର ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ହିନ୍ଦୀ ଚଳଚ୍ଚିତ୍ର- ବେତାବ, ଚାନ୍ଦିନୀ, ତେଜାବ, ଚାଲବାଜ, ପ୍ୟାର୍‍ କି ଜିତ୍‍, ଜଲ୍‍ୱା, ରାମ ଅବତାର ପ୍ରଭୃତିରେ ସେ କାର୍ଯ୍ୟ କରିବା ସହ ନ୍ୟାସନାଲ ଜିଓଗ୍ରାଫିକ୍‍ ଚାନେଲରେ କାର୍ଯ୍ୟ କରି ସଫଳତା ସାଉଁଟିଥିଲେ।

ତାଙ୍କ ବିୟୋଗରେ ଉଭୟ ଓଲିଉଡ ଓ ବଲିଉଡରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ଶିଶିର ମିଶ୍ର, ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଉଦୟ ସରକାର ପ୍ରମୁଖ ମତପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.