ଗାଁ ଦାଣ୍ଡରେ ଆଉ ଜଳୁନି ବିଜୁଳି ବତୀ, ଅଚଳ ବତୀ ସଚଳ ପାଇଁ ଗ୍ରାମବାସୀଙ୍କ ନିବେଦନ

ଗଡମଧୁପୁର: ଗାଁ ଦାଣ୍ଡରେ ଜଳିବ ବିଜୁଳୀବତୀ। ଗାଁ ଦାଣ୍ଡ ହେବ ଆଲୋକିତ। ଏହି ଆଲୋକିକରଣ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଚତୁର୍ଦ୍ଦଶ ଅର୍ଥକମିଶନଙ୍କ ପାଣ୍ଠିରୁ ଶହ ଶହ କୋଟି ଟଙ୍କାର ବିନିଯୋଗ କରି ଗାଁ ମାନଙ୍କରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଆଲୋକ ବ୍ୟବସ୍ଥା କରିଥିଲେ। ଏଥିପାଇଁ ପଞ୍ଚାୟତସ୍ତରରୁ ପ୍ରକ୍ରିୟା ଆରମ୍ଭ ହୋଇ ଅର୍ଥ ବିନିଯୋଗ ନିମନ୍ତେ ସବୁପ୍ରକାର ତଦାରଖର ବ୍ୟବସ୍ଥା ହୋଇଥିଲା। ପ୍ରତି ଗାଁର ଆବଶ୍ୟକ ସ୍ଥାନରେ ଏକାଧିକ ଲାଇଟଷ୍ଟାଣ୍ଡ ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟରେ ଲଗାଯାଇଥିଲା। ଗାଁ ଦାଣ୍ଡରେ ବିଦ୍ୟୁତ ବତୀ ଜଳିଥିଲା। ସେତେବେଳେ ଅନେକ ଲୋକ ଓ ସଂଗଠନ ବିଜୁଳୀ ଯୋଗାଣକୁ ବିରୋଧ କରିନଥିଲେ, ବରଂ ବିଦ୍ୟୁତବତୀ ଲଗାଇବାରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିବାରୁ ଏହାକୁ ବିରୋଧ କରିଥିଲେ। ଏବେ ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା ପାଣ୍ଠିର ସଦବିନିଯୋଗ ହୋଇ ନପାରି ବାଟ ମାରଣା ହୋଇଥିବା କାରଣରୁ ଗାଁ ଦାଣ୍ଡରେ ଆଉ ବିଜୁଳିବତୀ ଜଳୁନାହିଁ। ଗାଁ ଆଲୋକିକରଣ ପାଇଁ ଲାଗିଥିବା ଲାଇଟି ଏବେ ଲିଭି ଗଲାଣି। ଗାଁ ଏବେ ସମ୍ପୁର୍ଣ୍ଣ ଅନ୍ଧାର ହୋଇଥିବା ବେଳେ ଅଭିଯୋଗ ସୁଣି ସଜାଡିବାକୁ କେହି ହେଲେ ଆଗ୍ରହ ଦେଖାଉ ନାହାନ୍ତି। ବିଭାଗୀୟ ଅଧିକାରୀ କିମ୍ବା ପଂଚାୟତ କତ୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ।

 

ସରକାର କା ମାଲ ଦରିଆ ମେଁ ଡାଲ ଭଳି ଯାହା ଆସିଥିଲା ଭଲ ହେଉ ଖରାପ ହେଉ କାମ ସାରି ଦେଇ ବିଲ ନେଇ ସମସ୍ତେ ଏବେ ଚୁପ। ଅଭିନବ ଉପାୟରେ ଲୁଟ ହୋଇଛି ଏ ଯୋଜନାର ବରାଦି ଅର୍ଥ। ଧର୍ମଶାଳା ବ୍ଲକ ଅନ୍ତର୍ଗତ ସମସ୍ତ ପଂଚାୟତରେ ଏପରି ଅବସ୍ତା ଉଣାଅଧିକେ ସବୁଠି ଦେଖିବାକୁ ମିଳୁଛି। ଦେଖିବାକୁ ଗଲେ ଅନେକ ଛକସ୍ଥାନ ମାନଙ୍କରେ ଏବେ ବିଦ୍ୟୁତ ଖୁଣ୍ଟ ଅଛି ହେଲେ ବତୀ କିମ୍ବା ତା ଷ୍ଟାଣ୍ଡ ନାହିଁ। ବିଭାଗ ମଧ୍ୟ ସେହି ସବୁ ସ୍ଥାନକୁ ଆଉ ମୁହଁ ବୁଲାଇ ଦେଖିନାହିଁ ବତୀ ଏବେ ଜଳୁଛି ନାଁ ଲିଭିଛି। ତାହେଲେ କଣ ସରକାର ଟଙ୍କା ଦେଇଥିଲେ କେବଳ ବତୀ ଜଳାଇ ଦେବା ପରେ ତାହା ଜଳୁ ଅବା ଲିଭୁ ସେଥିରେ କାହାର କିଛି ଯାଏ ଆସେ ନାହିଁ ଏହା ଗାଁ ଲୋକଙ୍କର ପ୍ରଶ୍ନ? କିଏ ରଖିବ ଏହାର ଉତ୍ତର। ତାଳଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଉପରଗଡ ଗାଁ ଭାଲୁ ଭୟ ରହିଥିଲେ ମଧ୍ୟ ସେଠାରେ ବତୀ ଆଉ ଜଳୁନାହିଁ। ମହିଶରା ପଞ୍ଚାୟତର ଡଙ୍କାରୀ ଶିବ ମନ୍ଦିର ଛକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି। ଗଡମଧୁପୁର ପଞ୍ଚାୟତର ଭୁବନପୁର ଗ୍ରାମରେ ଏକାଧିକ ବିଜୁଳୀବତି ଏବେ ଅଚଳ ହୋଇପଡିଛି। ଧର୍ମଶାଳାର ପ୍ରାୟ ପ୍ରତ୍ୟେକ ପଂଚାୟତରେ ପୁର୍ବରୁ ଲାଗିଥିବା ଲାଇଟ ଗୁଡିକ ଅଚଳ ହୋଇପଡିଥିବା ସ୍ଥଳେ ଏବେ ସେହି ଖୁଣ୍ଟଗୁଡିକରେ କେବଳ ଅଚଳ ବତୀ ଝୁଲୁଛି। ଚତୁଦର୍ଦଶ ଅର୍ଥ କମିସନଙ୍କ ପାଣ୍ଠିରୁ ଖର୍ଚ୍ଚକରି ଗାଁ ଆଲୋକିକରଣ କରିବା ପାଇଁ ଅର୍ଥ ସିଧାସଳଖ ପଂଚୟତକୁ ଆସୁଛି। ନିୟମ ଅନୁସାରେ ଏହି ଅର୍ଥର ବିନିଯାଗ ପାଇଁ ପଂଚାୟତ ଟେଣ୍ଡର ମାଧ୍ୟମରେ ବିଦ୍ୟୁତ ବିଭାଗର ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦେବା କଥା। କିନ୍ତୁ ସେପରି କିଛି ହୋଇନଥିବା ସେତେବେଳେ ଲୋକେ ଅଭିଯୋଗ ମଧ୍ୟ କରିଥିଲେ। ଯାଜପୁର ଜିଲାରେ ବିଭିନ୍ନ ପଞ୍ଚାୟତରେ ଲାଗିଥିବା ଲାଇଟ ବିରଜା କନଷ୍ଟ୍ରକସନ ଲଗାଇଥିଲା। ଚୁକ୍ତିନାମା ଅନୁଯାଇ ଏହି କମ୍ପାନୀ ଅବଧି ପୁର୍ବରୁ ଖରାପ ହୋଇ ପଡୁଥିବା ଲାଇଟର ମରାମତି କରିବ। କିନ୍ତୁ ମରାମତି ହେଉନାହିଁ। ପଞ୍ଚାୟତରୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପାଇବାକୁ ଥିବା ବେଳେ ପଞ୍ଚାୟତର ଅଧିକାରୀ ମାନେ ସେତେବେଳେ ଟେଣ୍ଡର ନକରି ସଲାସୁତରାରେ ଏହି କାର୍ଯ୍ୟକୁ ଅଧିକ କମିଶନ ଆଧାରରେ କାମକରିବାକୁ ଦେଇଥିବା ଏବେ ଅଭିଯୋଗ ଉଠିଛି। ଗାଁ ଅଲୋକିକରଣର ସବୁ ନିୟମକୁ ଦଳିମକଚି ଠିକାଦାର ୫ ବର୍ଷର ମରାମତି ଅବଧି ପୂର୍ବରୁ ଲାଇଟ ଖରାପ ହେଲେ ମଧ୍ୟ ତାର ମରାମତି ନକରି ଛାଡି ଦେଉଛି। ଫଳରେ ଖରାପ ଲାଇଟ ଗୁଡିକ ଆଉ ମରାମତି ହୋଇ ନପାରି ସବୁଦିନ ଲାଗି ଅଚଳ ହୋଇ ପଡିରହୁଛି। ଧର୍ମଶାଳାର ସବୁ ପଞ୍ଚାୟତରେ ଉଣା ଅଧିକେ ଏହି ଅବସ୍ଥା ଦେଖିବାକୁ ମିଳିବ। ଏବେ ପ୍ରତି ପଞ୍ଚାୟତରେ ଲାଇଟ ଗୁଡିକରୁ ଅର୍ଦ୍ଧାଧିକ ଜଳୁ ନଥିଲେ ମଧ୍ୟ ଲୋକ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କାହାର ସେଥିପ୍ରତି ଦୃଷ୍ଟି ଥିବା ପରି ଜଣାପଡୁ ନାହିଁ। ଏବେ ଏହିସବୁ ଅଚଳ ବତୀ ଗୁଡିକ କିପରି ଜଳି ଉଠନ୍ତା ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Comments are closed.