ଏମଏସଏମଇର ବ୍ୟାଙ୍କ ଅଫ ସ୍କିମ ଓ ଆଇଡିଆ ପୋର୍ଟାଲ ଲୋକାର୍ପିତ କଲେ ଗଡକରୀ

ଗ୍ରାମାଞ୍ଚଳବାସୀଙ୍କ ବୁଦ୍ଧି, ଦକ୍ଷତା, କୌଶଳ ଓ ଜ୍ଞାନକୁ ସମ୍ପ୍ରସାରିତ କରିବ ଏହି ପୋର୍ଟାଲ : ପ୍ରତାପ ଷଡଙ୍ଗୀ

 ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଏହି ପୋର୍ଟାଲ ବିଶେଷ ସହାୟକ ହେବ 

ନୂଆଦିଲ୍ଲୀ : କେନ୍ଦ୍ର ସଡକ ପରିବହନ, ରାଜପଥ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ନାଗପୁରରୁ ଏକ ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ବ୍ୟାଙ୍କ ଅଫ ସ୍କିମ, ଆଇଡିଆ, ଇନୋଭେସନ ଆଣ୍ଡ ରିସର୍ଚ ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ପାଇଁ ଉଦ୍ଦିଷ୍ଟ । ଏହି ପୋର୍ଟାଲ http://ideas.msme.gov.in/ରେ ଉପଲବ୍ଧ । ଏହି କନଫରେନ୍ସରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ  ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଚିବ ଡଃ ଅରୁଣ କୁମାର ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ପୋର୍ଟାଲରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସମସ୍ତ ପ୍ରକାର ସ୍କିମକୁ ଆକ୍ସେସ କରାଯାଇପାରିବ । ଆଇଡିଆର କ୍ରାଉନ ସୋର୍ସିଙ୍ଗ ସହିତ ସେସବୁର ମୂଲ୍ୟାୟନ ଓ ରେଟିଂ ବ୍ୟବସ୍ଥା ଏହି ପୋର୍ଟାଲର ବିଶେଷତ୍ଵ । ଏହାମଧ୍ୟ ଭେଞ୍ଚର କ୍ୟାପିଟାଲ ଓ ବିଦେଶୀ ସହଯୋଗ ଆଦି ପାଇଁ ସହାୟକ ହୋଇପାରିବ ।

ପୋର୍ଟାଲର ଗୁରୁତ୍ଵ ସମ୍ପର୍କରେ ଉଲ୍ଲେଖକରି ମନ୍ତ୍ରୀ ଶ୍ରୀ ଗଡକରୀ କହିଛନ୍ତି ଯେ, ଏହା ନିର୍ଦ୍ଦିଷ୍ଟ ଭାବେ ଏମଏସଏମଇ ଏବଂ ସାମଗ୍ରିକ ଭାବେ ଭାରତୀୟ ଅର୍ଥବ୍ୟବସ୍ଥାକୁ ବଦଳାଇବାରେ ଉଲ୍ଲେଖନୀୟ ଅବଦାନ ଦେବ । ଏହାକୁ ଏକ ଉତ୍ତମ ଅୟମାରମ୍ଭ ଭାବେ ଅଭିହିତ କରି ସେ କହିଛନ୍ତି ଯେ, ପୋର୍ଟାଲରେ ବର୍ଗ ଭିତ୍ତିକ ସୂଚନା, ବିଭିନ୍ନ ଉପଲବ୍ଧି ଓ ସୂଚନା ପ୍ରକାଶ ଦ୍ଵାରା ଅନ୍ୟମାନେ ଏଥିରୁ ଅନେକ କିଛି ଶିଖିପାରିବେ । ପୋର୍ଟାଲଟି ପେଷାଦାରଙ୍କ ଦ୍ଵାରା ପରିଚାଳିତ ହେବା ଉପରେ ସେ ଗୁରୁତ୍ଵାରୋପ କରିବା ସହ ଜ୍ଞାନକୁ ସମ୍ପଦରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ଗବେଷଣା, ପ୍ରଯୁକ୍ତିବିଦ୍ୟା, ଅଭିନବତା ଉପରେ ଅଧିକ ଗୁରୁତ୍ଵ ଦିଆଯିବା ଆବଶ୍ୟକ, କାରଣ ଏହା ସାମଗ୍ରୀର ଉତ୍ପାଦନ ମୂଲ୍ୟ ହ୍ରାସ କରିବା ସହ ମାନରେ ଉନ୍ନତି ଆଣିଥାଏ ।

ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଥିଲେ ଯେ, ଏହି ପୋର୍ଟାଲ ସୂଚନା ବଣ୍ଟନ କରି ଏମଏସଏମଇ ଉଦ୍ୟୋଗକୁ ବିଶେଷ ସାହାଯ୍ୟ କରିବ । ଏହାଛଡା ଏହି ପୋର୍ଟାଲ ଗ୍ରାମାଞ୍ଚଳ ଜନଜାତିର ବୁଦ୍ଧି, ଦକ୍ଷତା, କୌଶଳ ଓ ଜ୍ଞାନକୁ ସମ୍ପ୍ରସାରିତ କରିବାରେ ସହାୟକ ହେବ । ଚାଷବାସ ସଂକ୍ରାନ୍ତ ପ୍ରସ୍ତୁତି, ଉତ୍ପାଦନ, ଭଣ୍ଡାରଣ ଏବଂ କୃଷିଜାତ ସାମଗ୍ରୀର ବିପଣନ କାମରେ ସାହାଯ୍ୟ କରିବ । ବ୍ୟବହାରକାରୀ ନବସୃଜନ ଓ ଗବେଷଣାଲବ୍ଧ ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟି ପାରିବେ ।

ପଞ୍ଜୀକୃତ ବ୍ୟବହାରକାରୀ ଏହି ଆଇଡିଆ (କ୍ରାଉଡ ସୋର୍ସିଙ୍ଗ)କୁ ରେଟିଂ କରିପାରିବେ । ଭେଞ୍ଚର କ୍ୟାପିଟାଲିଷ୍ଟ ଯାହାଙ୍କର ଆଇଡିଆ, ଇନୋଭେସନ ଓ ଗବେଷଣା ଅଛି ସେମାନେ ବ୍ୟବହାରକାରୀଙ୍କ ସହ ସଂଯୁକ୍ତ ହୋଇପାରିବେ । ଆଇଡିଆ ଇନୋଭେସନ ଓ ରିସର୍ଚ ସଂକ୍ରାନ୍ତ ଅନଲାଇନ ଫର୍ମ ସହଜରେ ୫-୬ ମିନିଟ ମଧ୍ୟରେ ପୂରଣ ହୋଇପାରିବ । ବ୍ୟକ୍ତିବିଶେଷ ଏଥିପାଇଁ ଏରିଆ (କ୍ରେଡିଟ/ଫାଇନାନ୍ସ, ହ୍ୟୁମାନ କ୍ୟାପିଟାଲ ଡେଭଲପମେଣ୍ଟ, ଟେକ୍ନୋଲୋଜି, ଭିତ୍ତିଭୂମି, ମାର୍କେଟିଙ୍ଗ ଓ ପଲିସି) ଆଦି ବାଛିପାରିବେ ।

ଏହା ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ କାମରେ ଆସିବ । ସେମାନେ ବିଭିନ୍ନ ସୂଚନା ଓ ଦିଗ ଏଥିରୁ ସହଜରେ ପାଇପାରିବେ ।

Comments are closed.