ଐତିହାସିକ ଗଡପାଟି ଦୁର୍ଗରେ ଆରାଧ୍ୟ ଦେବୀ ଗଡପାଟିଏନଙ୍କ ବାର୍ଷିକ ପୂଜା ମହୋତ୍ସବ

ରେଙ୍ଗାଲି:ସ୍ୱାଧିନତା ସଂଗ୍ରାମର ଅନ୍ୟତମ ମୁକ ସାକ୍ଷୀ ତଥା ବୀର ସୁରେନ୍ଦ୍ର ସାଏଙ୍କ ଅଭେଦ୍ୟ ଦୁର୍ଗ ଗଡପାଟି ଜଙ୍ଗଲରେ ଥିବାଗଡପାଟି ଦୁର୍ଗ ଶିଖର ଏବଂ ପାଦ ଦେଶ ରେ ଆଜି ଅରାଧ୍ୟ ଦେବୀ ଗଡପାଟିଏନଙ୍କ ବାର୍ଷିକ ପୂଜା ମହୋତ୍ସବ ପାରମ୍ପାରିକ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଦୁର୍ଗମ ଗଡପାଟି ଜଙ୍ଗଲ ଶିଖରରେ ଥିବା ମା ଗଡପାଟିଏନ୍ ଏବଂ ଜଙ୍ଗଲର ପାଦଦେରେ ଥିବା ଝରନପାଲି ଓ ତବଡା ବାହଲ ଗ୍ରାମରେ ଥିବା ଦେବୀଙ୍କ ପ୍ରତିମୂତ୍ତିରେରେ ବିଧିମତେ ପୂଜା ଅର୍ଚ୍ଚନା କରାଯାଇଥିଲା। ବହୁ ସଂଖ୍ୟକ ଶ୍ରଦ୍ଧାଲୁ ଭକ୍ତ ପୂଜା ମହୋତ୍ସବରେ ସାମିଲ ହୋଇ ଦେବୀଙ୍କୁ ଦର୍ଶନ ତଥା ପୂଜା ଅର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା।
ଜନଶ୍ରୁତିରୁ ପ୍ରକାଶ ଯେ ଗଡପାଟି ଦୁର୍ଗରେ ନିଜ ଗରିଲାବାହିନୀ ସହିତ ବୀର ସୁରେନ୍ଦ୍ର ସାଏ ଅବସ୍ଥାନ କରିଥିଲେ। ଏଠାରେ ଥାଇ ସେ ଇଂରେଜ ସେନାଙ୍କ ସହିତ ଗରିଲା ଯୁଦ୍ଧ କରିଥିଲେ ଏବଂ ବ୍ରିଟିଶ ସରକାରଙ୍କୁ ନାକେଦମ୍ କରି ଦେଇଥିଲେ। ସୁରେନ୍ଦ୍ର ସାଏ ମା ସମଲେଶ୍ୱରୀଙ୍କୁ ଗଡପାଟି ଦୁର୍ଗକୁ ଆବହନ କରି ପୂଜା ଅରାଧନା କରୁଥିଲେ। ମା ସମଲେଶ୍ୱରୀ ଗଡପାଟି ଦୁର୍ଗରେ ପୂଜା ପାଇ ଗଡପାଟିଏନ୍ ଦେବୀ ରୂପେ ଅଞ୍ଚଳରେ ପରିଚିତ ହୋଇ ପୂଜିତ ହେଲେ। ସୁରେନ୍ଦ୍ର ସାଏଙ୍କ ଅବର୍ତ୍ତମାନରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଆସ୍ଥାରେ ଦେବୀଙ୍କ ଆଗମନର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଗଡପାଟି ଦୁର୍ଗର ଶିଖରରେ ଥିବା ଦେବୀଙ୍କ ପ୍ରତିମୂର୍ତ୍ତି ଏବଂ ଦୁର୍ଗରେ ପାଦ ଦେଶର ଦୁଇ ପାର୍ଶ୍ବରେ ଥିବା ଝରନପାଲି ଏବଂ ତବଡାବାହଲରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଧୁମଧାମରେ ଆନନ୍ଦ ଉତ୍ସାହର ସହିତ ଦେବୀ ଗଡପାଟିଏନଙ୍କ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ। ସମତଳ ଭୂମିରୁ ପ୍ରାୟ ୩/୪ ହଜାର ମିଟର ଉଚ୍ଚତାରେ ଥିବା ଗଡପାଟି ଦୁର୍ଗରେ ଅଧିଷ୍ଠିତ ଦେବୀ ଗଡପାଟିଏନ୍ ଶ୍ରଦ୍ଧାଳୁ ଭକ୍ତଙ୍କ ମାନସିକ ଅଭିଲାଷ ପୂରଣ କରନ୍ତି । ଦୃଢ ଆସ୍ଥା ଏବଂ ବିଶ୍ୱାସ ଥିବାରୁ ବାର୍ଷକ ପୂଜା ମହୋତ୍ସବରେ ବହୁ ଦୂରଦୂରାନ୍ତ ରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ।

ଗଡପାଟି ଦୁର୍ଗ ସ୍ୱାଧିନତା ସଂଗ୍ରାମ ର ଅନ୍ୟତମ ମୁକସାକ୍ଷୀ । ଏହାକୁ ଏକ ଐତିହାସିକ ପର୍ଯଟନସ୍ଥଳୀ ରୂପେ ବିକଶିତ କରି ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବାକୁ ବହୁବର୍ଷ ହେଲା ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ। ଏଦିଗରେ ଏହି ଅଞ୍ଚଳରୁ ନିର୍ବାଚିତ ହେଉଥିବା ଜନ ପ୍ରତିନିଧି ମାନେ ଆନ୍ତରିକ ଉଦ୍ୟମ କରିବାକୁ ଦାବୀ ହେଉଛି। ସରକାର ଐତିହାସିକ କିର୍ତ୍ତିରାଜି ଗୁଡିର ପୁନଃରୁଦ୍ଧାର ଏବଂ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ବାରମ୍ବାର ଘୋଷଣା କରୁଥିବା ବେଳେ ଗଡପାଟି ଦୁର୍ଗ ଅବହେଳିତ ହୋଇ ରହିବା ଦୁର୍ଭାଗ୍ୟର ବିଷୟ।

Comments are closed.