ଭାରତୀୟ ଏକଡେମୀ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

ଗଡ଼ମଧୁପୁର : ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଭାରତୀୟ ଏକାଡେମୀ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗତକାଲି ଧର୍ମଶାଳା ବ୍ଲକ ଅଭୟପୁର ପଂଚାୟତ ମଣିନାଥପୁର ମାଆ ବୁଢି ଜାଗୁଳାଇ ପୀଠରେ ଟ୍ରଷ୍ଠ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ କରିବାକୁ ଶପଥ ଗ୍ରହଣ କରିବା ସହିତ ଟ୍ରଷ୍ଟର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ପ୍ରଜାତିର ଫୁଲଫଳ ବୃକ୍ଷ ରୋପଣ କରାଯାଇଅଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯାଇ ବରିଷ୍ଠ ସମାଜସେବୀ ଲକ୍ଷ୍ମୀ ଖମାରୀ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ଗ୍ରାମର ଉପସ୍ଥିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ମଧ୍ୟ ଅଲୋଚନା କରିଥିଲେ। ସମାଜସେବୀ ତଥା କବାଟବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନିହାର ରଂଜନ କରଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଫୁଲ୍ଲ ରାଉତ, ନିକୁଞ୍ଜ କିଶୋର ସ୍ୱାଇଁ , ଅମୀୟ ମାହାନ୍ତି, ଅଶୋକ ଦାସ, ଜୟରାମ ଖମାରୀ ପ୍ରମୁଖ ଯୋଗଦାନ କରିବା ସହିତ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ଦିଗରେ ଆଲୋକପାତ କରିଥିଲେ। ଟ୍ରଷ୍ଟର ସଭ୍ୟ ତଥା ସମାଜସେବୀ ପ୍ରଫୁଲ ରାଉତ ଟ୍ରଷ୍ଟର ଏଭଳି ଜନହିତକର କାର୍ଯ୍ୟ ସମାଜକୁ ନୂଆ ଦିଶା ଦେଖାଇବ ବୋଲି ମତ ଦେଇଥିଲେ। ଅଭୟପୁର ପଂଚାୟତର ଯୁବ ସମାଜସେବୀ ହରିହର ମଲ୍ଲିକ ସମସ୍ତ କାର୍ଯ୍ୟରେ ସହଯୋଗ କରିବା ସହିତ ଟ୍ରଷ୍ଟର ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା।

Comments are closed.