ଗାଁକୁ ଗାଁ ବୁଲି ଚିକିତ୍ସା ସେବା ଯୋଗାଉଛନ୍ତି ଡାକ୍ତର

ଗଡମଧୁପୁର: ଡାକ୍ତରମାନେ ମଣିଷ ମାନଙ୍କ ପାଇଁ ଭଗବାନ ସଦୃଶ୍ୟ ହୋଇଥାନ୍ତି। କେତେବେଳେ ଏହି ଡାକ୍ତରମାନଙ୍କୁ ଭଲ ରୋଗୀସେବା ଓ କର୍ତ୍ତବ୍ୟ ପରାୟଣତା ପାଇଁ ପ୍ରସଂସା କରାଯାଉଥିବା ବେଳେ କିଛି ଡାକ୍ତରଙ୍କ ସେବାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଯାଇଥାଏ। ଅନେକ ଡାକ୍ତର ସେବା ମନୋବୃତି ନେଇ କାର୍ଯ୍ୟ କରୁଥିବା ବେଳେ ଅନେକ ଡାକ୍ତର ରହିଛନ୍ତି ଯେଉଁମାନେ ରୋଗୀ ସେବା ନାଁରେ ରୋଗୀମାନଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ଆସେ। କିନ୍ତୁ ଏମିତି ଜଣେ ଡାକ୍ତର ଅଛନ୍ତି ଯେକି ରୋଗୀ ସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିଛନ୍ତି। ରୋଗୀ ସେବା ସହିତ ସମାଜ ସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିଛନ୍ତି। ଆଜିକୁ କିଛି ବର୍ଷ ତଳେ ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କବାଟବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବରେ ନିଯୁକ୍ତି ପାଇଥିବା ଡାକ୍ତର ନିହାର ରଞ୍ଜନ କର ଏବେ କର୍ତ୍ତବ୍ୟ ସମୟ ବାହାରେ ଗାଁରେ ବୁଲି ରୋଗୀମାନଙ୍କୁ ଚିହ୍ନଟ କରି ସେବା ପ୍ରଦାନ କରିବା ଲୋକମାନଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ବୋଦ୍ଧ ସୃଷ୍ଟିକରିଛି।

 

ଜେନାପୁର ପଞ୍ଚାୟତର ବ୍ରହ୍ମପୁର ଦଳିତ ସାହିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଥିବାର ଖବର ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକାନ୍ତ ବେହେରା ଓ ସୁଧାଂଶୁ ମହାନ୍ତିଙ୍କ ଠାରୁ ଖବର ପାଇ ସେଠାରେ ପହଞ୍ଚିଥିଲେ। ତିନିଜଣ ଆର୍ଥିକ ଅନଗ୍ରାସର ରୋଗିଙ୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ଡା. କର ସେମାନଙ୍କ ଘରେ ପହଞ୍ଚି ଚିକିତ୍ସା କରିବା ସହିତ ସେମାନେ କିପରି ନିଶୁଳ୍କ ଚିକିତ୍ସା ସେବା ପଇ ପାରିବେ ସେଥିପ୍ରତି ବ୍ୟବସ୍ଥା କରିଥିଲେ। ଜଟିଳ ଚର୍ମରୋଗ ସୋରିଆସିସରେ ପୀଡିତ ରୋଗୀ ଡାକ୍ତରଙ୍କୁ ଘରପାଖରେ ପାଇ ଖୁସି ହେବା ସହିତ ରୋଗକୁ ନେଇ ଥିବା ଦୁଃଖ ତାଙ୍କର ଦୂର ହୋଇଯାଇଥିଲା। ସେହିପରି ସେହି ଗ୍ରାମର ଚକ୍ଷୁ ରୋଗୀ କନ୍ଦ ଦଳେଇଙ୍କର ପରବର୍ତ୍ତୀ ସେବା ସମ୍ବନ୍ଧରେ ପଚାରି ବୁଝିବା ସହିତ ପରାମର୍ଶ ଦେଇଥିଲେ। ସେହି ଗ୍ରାମର ପାଞ୍ଚଜଣ ମାନସିକ ଓ ଶାରିରିକ ଅକ୍ଷମ ପିଲାଙ୍କୁ ଭେଟି ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବୁଝିଥିଲେ। ସେହି ଗାଁର କିଛି ମହିଳାଙ୍କୁ ପିଲାମନଙ୍କର ଯତ୍ନ ସମ୍ବନ୍ଧରେ ବୁଝାଇ ନିଜର କର୍ତ୍ତବ୍ୟ କରିଥିଲେ। ଖୁବ କମ ସମୟ ମଧ୍ୟରେ ନିଜର କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟ ପରାୟଣତା, ସମାଜସେବା ମନୋବୃତି ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ରୋଗୀସେବାକୁ ନିଜର ବ୍ରତ ଭାବରେ ଗ୍ରହଣ କରିଥିବା ଡାକ୍ତର ନିହାର କର ସକାଳୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେବା ପରେ ଅବିରତ ଭାବରେ ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଦେଖିବା ସହିତ ବିଶ୍ରାମ ସମୟରେ ମଧ୍ୟ ନିଶୁଳ୍କ ରୋଗି ସେବା କରିଥାନ୍ତି।

Comments are closed.