‘ସମାଜ ପୋର୍ଟାଲ୍‌’ ପ୍ରଭାବ: ମଞ୍ଜୁରୀ ହେଲା ବିଧବାଙ୍କ ଭତ୍ତା

ଗଡ଼ମଧୁପୁର: ବିଧବା ଭତ୍ତା ପ୍ରଦାନ ନେଇ ‘ସମାଜ ପୋର୍ଟାଲ୍‌’ରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ଘଟଣାର ତଦନ୍ତ ନିର୍ଦେଶ ମୁଖ୍ୟମନ୍ତ୍ରୀ ଦେଇଥିଲେ। ପରବର୍ତ୍ତି ସମୟରେ ତଦନ୍ତ କରାଯାଇ ବିଧବା ଭତ୍ତା ପ୍ରଦାନ ନେଇ ପଦକ୍ଷେପ ନିଆଯାଇଛି ଏବଂ ବିଧବା ଭତ୍ତା ମଞ୍ଜୁର ହୋଇଥିବା ଜଣାପଡ଼ିଛି।

ଧର୍ମଶାଳା ବ୍ଲକ ସାହାଣିଡିହ ପଞ୍ଚାୟତରେ ଗରିବ ଅସହାୟ, ବିଧବା, ଭିନ୍ନକ୍ଷମ, ବୟସର ଶେଷ ସୋପାନରେ ପାଦ ରଖିଥିବା ଲୋକମାନଙ୍କର ସାମାଜିକ ସୁରକ୍ଷା ନିମିତ୍ତ ସରକାର ଯୋଗାଇ ଦେଉଥିବା ବିଭିନ୍ନ ଭତ୍ତା ମିଳୁନାହିଁ। ଏହି ଯୋଜନା ସରକାରୀ କର୍ମଚାରୀମାନଙ୍କ ଅବହେଳା ଓ ସରପଞ୍ଚଙ୍କ ସ୍ୱେଚ୍ଛାଚାରିତା କାରଣରୁ ବାଟ ହୁଡିଛି। ଯୋଗ୍ୟ ହିତାଧିକାରୀମାନେ ଏହି ଭତ୍ତାରୁ ବଞ୍ଚିତ ରହିଥିବା ଅଭିଯୋଗକୁ ଭିତି କରି ‘ସମାଜ’ରେ ‘ଭତ୍ତା ଅଟକାଇଛି କରୋନା’ ଶିର୍ଷକ ଖବର ପ୍ରକାଶ ପାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦେଶ ଆସିଥିଲା। ସାମାଜିକ ସୁରକ୍ଷା ଅଧିକାରୀ ଏହି ଅଭିଯୋଗର ତଦନ୍ତ କରି ଜିଲାପାଳଙ୍କୁ ଦେଇଥିବା ରିପର୍ଟରେ ସତ ପଦାକୁ ଆସିଛି। ଏହି ବ୍ଲକ ଅନ୍ତର୍ଗତ ସାହାଣିଡିହ ପଞ୍ଚାୟତ ଚାରଗୋଠ ଗାଁର ମାମି ମଳିକ(୨୮)ଙ୍କର ସ୍ୱାମି ୰ସୁରେଶ ମଳିକଙ୍କର ଗତ ଦେଢ ବର୍ଷ ପୂର୍ବରୁ କୌଣସି ଅଜଣା ରୋଗରେ ଦେହାନ୍ତ ହେବା ପରେ ଏବେ ଏହି ମହିଳା ଜଣକ ଦୁଇ ପିଲାକୁ ଧରି ବାର ଘର ବୁଲି ମାଗିଯାଚି ପେଟ ପୋଷୁଛନ୍ତି। ଅନେକ ହାରିଗୁହାରୀ କଲା ପରେ ମଧ୍ୟ ତାଙ୍କୁ ବିଧବା ଭତ୍ତା ମିଳୁନଥିବା ଅଭିଯୋଗ କରି ନିରାସ ହେବା ପରେ ‘ସମାଜ’କୁ ନିଜର ଦୁଃଖ ଜଣାଇଥିଲେ।

ଗତ ତା୧।୧୦ରେ ସମାଜରେ ଏ ନେଇ ଖବର ପ୍ରକାଶ ପାଇଥିଲା। ଯାହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସରପଞ୍ଚ ତାଙ୍କୁ ବାରମ୍ବାର କରୋନା ପାଇଁ ତୁମର ଭତ୍ତା ହୋଇପାରୁ ନଥିବା କହିଚାଲିଥିବା ବେଳେ ତଦନ୍ତ କାରୀ ଅଧିକାରୀ ତାଙ୍କର ଅବସ୍ଥା ଦେଖି ତା ୮।୧୦।୨୦୨୦ ରିଖରେ ପତ୍ର ସଂଖ୍ୟା- ୩୫୯୯ରେ ଭତ୍ତା ମଞ୍ଜୁରୀ ନିମନ୍ତେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପତ୍ର ପ୍ରେରଣ କରିଥିବା ତଦନ୍ତ ରିପୋର୍ଟରେ ଉଲେଖ କରିଛନ୍ତି। ପତ୍ର ସଂଖ୍ୟ ୩୬୧୮ରେ ଗତ ୮ ତାରିଖ ଦିନ ତଦନ୍ତକାରୀ ଅଧିକାରୀ ଏହି ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଜିଲାପାଳ ଯଦି ସଦୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ଖୁବଶିଘ୍ର ମାମି ମଳିକ ବିଧବା ଭତ୍ତା ପାଇ ଦୁଃଖେକଷ୍ଟେ ଦୁଇ ପିଲାକୁ ଧରି ଚଲିଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତଦନ୍ତ ହୋଇଥିବାରୁ ଓ ଖୁବ ଶୀଘ୍ର ତାକୁ ଭତ୍ତା ମିଳିଯିବାର ଜାଣି ମାମି ମୁଖ୍ୟମନ୍ତ୍ରୀ ଓ ‘ସମାଜ’କୁ ନିଜର କୃତଜ୍ଞତା ଜଣାଇଛନ୍ତି।

Comments are closed.