ଜି-୨୦ ରାଷ୍ଟ୍ରମୁଖ୍ୟଙ୍କ କରୋନା ମୁକାବିଲା ଚିନ୍ତା : ଗଠନ ହେବ ୫ଟ୍ରିଲିୟନ୍‌ ଡଲାର ପାଣ୍ଠି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ କରୋନା ମୁକାବିଲା ପାଇଁ ଗୁରୁବାର ଜି-୨୦ ରାଷ୍ଟ୍ରମୁଖ୍ୟମାନଙ୍କର ସ୍ବତନ୍ତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଭିଡିଓ କନ୍‌ଫରେନ୍ସରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୫ ଟ୍ରିଲିୟନ୍‌ ଡଲାର ବିଶିଷ୍ଟ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ହୋଇଛି। କରୋନା ଯୋଗୁଁ ବିଶ୍ବ ଅର୍ଥନୀତି ଘୋର ପ୍ରଭାବିତ ହୋଇଥିବାରୁ ଏହାର ମୁକାବିଲା ପାଇଁ ଉକ୍ତ ପାଣ୍ଠି ଗଠନ ହେବ ଓ ସଦସ୍ୟ ରାଷ୍ଟ୍ରସମୂହ ଏଥିପାଇଁ ଅବଦାନ ରଖିବେ ବୋଲି ନିଷ୍ପତ୍ତି ହୋଇଛି। ଅ​ାନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଆଞ୍ଚଳିକ ବ୍ୟାଙ୍କଗୁଡ଼ିକ ସହାୟତାରେ ଏହି ପାଣ୍ଠିର ଉପଯୋଗ କରାଯିବ। ଏଥିପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା ଉପରେ ଆଲୋଚନା ହୋଇଥିଲା। ସମ୍ଭାବ୍ୟ ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ସ୍ବତନ୍ତ୍ର ଆର୍ଥିକ ନୀତି ପ୍ରଣୟନ, ଆର୍ଥିକ ପଦକ୍ଷେପ, ସାମାଜିକ ପ୍ରଭାବ ଦୂର ପାଇଁ ଯୋଜନା ଘୋଷଣା ଉପରେ ରାଷ୍ଟ୍ରନେତାମାନେ ଗୁରୁତ୍ବାରୋପ କରିଥିଲେ। ଏଥିସହିତ ସଦସ୍ୟ ରାଷ୍ଟ୍ରଗୁଡ଼ିକ କରୋନା ବିରୋଧରେ ସମ୍ମିଳିତ ଲଢ଼େଇ ପାଇଁ ସମ୍ମତି ପ୍ରକାଶ କରିବା ସହ ଏଥିପାଇଁ ଏକ ମିଳିତ ମଞ୍ଚ ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। କାଳବିଳମ୍ବ ନ କରି ଏହା ଉପରେ କାର୍ଯ୍ୟ କରିବାକୁ ସମସ୍ତେ ଏକମତ ହୋଇଥିଲେ।
ସାଉଦିଆରବ ରାଜକୁମାର ମହମ୍ମଦ ବିନ୍‌ ସଲମାନଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ମଣିଷ ଓ ମାନବିକତା ହିଁ କରୋନା ମୁକାବିଲାର କେନ୍ଦ୍ରବିନ୍ଦୁ ହେବା ଉଚିତ ବୋଲି ଆହ୍ବାନ ଦେଇଥିଲେ। ଏଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୁଦୃଢ଼ୀକରଣ ସହ ଏହାର କାର୍ଯ୍ୟକାରିତାରେ ସଂସ୍କାର ଅଣାଯିବା ଉଚିତ ବୋଲି ମତ ଦେଇଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ଏଭଳି ସଂଗଠନକୁ ଅଧିକ ବଳିଷ୍ଠ କରାଯିବାର ସମୟ ଆସିଛି ବୋଲି ସେ କହିଥିଲେ। ଏଭଳି ନୂଆ ବିନାଶକାରୀ ଭୂତାଣୁକୁ ନିପାତ କରିବା ପାଇଁ ଅଧିକ ଗବେଷଣା ସହ ପୂର୍ବ ସୂଚନା ପ୍ରଦାନ ସହ ଫଳପ୍ରଦ ଔଷଧ ପ୍ରସ୍ତୁତ କରିବାକୁ ମୋଦୀ ଆହ୍ବାନ ଦେଇଥିଲେ। ଜି-୨୦ ରାଷ୍ଟ୍ରରେ ୯୦ପ୍ରତିଶତ କରୋନା ସଂକ୍ରମଣ ଓ ୮୮ପ୍ରତିଶତ ଜୀବନହାନି ହୋଇଥିବା ସେ ଦର୍ଶାଇଥିଲେ।
ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଏଥିରେ ଅଂଶଗ୍ରହଣ କରି କରୋନାକୁ ସମୂଳ ନିପାତ ପାଇଁ ସାରା ବିଶ୍ବ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ସେ ବାଣିଜ୍ୟିକ ଅବରୋଧ ହଟାଇବା ସହ ମୂଲ୍ୟ ହ୍ରାସ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାଦ୍ବାରା ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା ସମ୍ଭବ ବୋଲି ସେ କହିଥିଲେ। ରୁଷ୍‌ ରାଷ୍ଟ୍ରପତି ବ୍ଲାଦିମିର ପୁତିନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଜାପାନ ପ୍ରଧାନମନ୍ତ୍ରୀ ସାଞ୍ଜି ଆବେ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ପ୍ରମୁଖ ସାମିଲ ହୋଇଥିଲେ। ସମ୍ମିଳନୀରେ ସମସ୍ତ ରାଷ୍ଟ୍ରର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନଙ୍କୁ ଆର୍ଥିକ କାର୍ଯ୍ୟକ୍ରମର ପରିଚାଳନା ପ୍ରତି ଧ୍ୟାନ ଦେବାକୁ କୁହାଯାଇଥିଲା। ବିଶ୍ବବ୍ୟାଙ୍କ, ଆନ୍ତର୍ଜାତିକ ଶ୍ରମିକ ସଂଗଠନ (ଆଇଏଲ୍‌ଓ) ଭଳି ସଂସ୍ଥାକୁ ଏହି ଅଭିଯାନରେ ସାମିଲ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।

Comments are closed.