ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିବି: ମନ୍ତ୍ରୀ 

ଜି.ଉଦୟଗିରି:ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ କନ୍ଧମାଳ ଜିଲା ଦାରିଙ୍ଗବାଡି କଲେଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିଲେ। ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଯଥା-ସାମ୍ବାଦିକ ସୂରକ୍ଷା ଆଇନ ପ୍ରଣୟନ, ସ୍ବାସ୍ଥ୍ୟବୀମା ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ହେଉ ଏବଂ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ୟ୍ୟ କରୁଥିବା ସାମ୍ବାଦିକ ବାର୍ଦ୍ଧକ୍ୟ, ବିଧବା କମ୍ବା ଭିନ୍ନକ୍ଷମ ଭତ୍ତା ପ୍ରଦାନ ନେଇ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବୈଠକରେ ଦାବି କରାଯାଇଥିଲା।  ସାମ୍ବାଦିକ ମାନଙ୍କ ଆଲୋଚିତ ବିଭିନ୍ନ ସମସ୍ୟା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୂଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୁଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଅନ୍ୟତମ ଅତିଥି ଭାବେ  ବାଲିଗୁଡା ପୂର୍ବତନ ବିଧାୟକ ରାଜୀବ ପାତ୍ର ,କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ ଦାଶ, ସୁର ଲାଇବ୍ରେସନ ଫାଉଣ୍ଡେସନର ଫାଉଣ୍ଡର ଜୟଶ୍ରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ, କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କରାଯିବା ସହ ପୂର୍ବରୁ ଦିବଙ୍ଗତ ସାମ୍ବାଦିକ ମାନଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଦୁଇ ଦିନିଆ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ଜି.ଉଦୟଗିରି ଠାରେ ଥିବା ହିଲଟପ୍, ରାଇକିଆ ଠାରେ ଥିବା ମଣ୍ଡାସରୁ ଇକୋଟୁରିଜିମ ଆଦି ବୁଲି ଦେଖିଥିଲେ। ସଂଘର କର୍ମକର୍ତ୍ତା ପ୍ରେମଚାନ୍ଦ ସିଂ, ମନୋରଞ୍ଜନ ରାୟ, ତରଣୀ ସାହୁ, ସୂବାଷ ଚନ୍ଦ୍ର ମହାରଣା, ଅଶ୍ବିନୀ ମନ୍ତ୍ରୀ, ଲକ୍ଷ୍ମୀକାନ୍ତ ରାଜଗୁରୁ, ଚନ୍ଦନ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.