ପଞ୍ଚାୟତ ସମିତି ଅଧିବେଶନ ଶେଷ, ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା

ଜି.ଉଦୟଗିରି: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ୫ ବର୍ଷୀୟା ଯୋଜନାର ଶେଷ ଅଧିବେଶନ ସ୍ଥାନୀୟ ପଞ୍ଚାୟତ ସମିତିର ନୂତନ ଅଡିଟୋରିଅମର ଅଧ୍ୟକ୍ଷ ହୃଦୟ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଅଧିବେଶନରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ବିଶିକେସନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। ଅନୁଷ୍ଟିତ ବୈଠକରେ ଜି.ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଅମର ସିଂ ନାୟକ, ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଡ.ଜନ୍ମେଜୟ ସାହୁ, ଥାନା ଅଧିକାରୀଣୀ ରେବତୀ ଶବର, ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା.ଶକ୍ତିକାନ୍ତ ମଲ୍ଲିକଙ୍କ ସହ ୮ ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ରହି କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଜଙ୍ଗଲ, ଉଦ୍ୟାନ ମହିଳା ଓ ଶିଶୁ ବିକାଶ, ଜୀବିକା ମିଶନ, ପ୍ରାଣୀ, ଜଳ ପରିମଳ, ଉଠା ଜଳସେଚନ, ମୃତ୍ତିକା ସଂରକ୍ଷଣ, ଖାଦ୍ୟ ଯୋଗାଣ, ବିଦ୍ୟୁତ ଓ ସମାଜ କଲ୍ୟାଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଉନ୍ନୟନ କାର୍ଯ୍ୟର ଆଲୋଚନା ବେଳେ ବାହାରୁ କ୍ରସର ଗୋଡି ଆଣି କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ବିରୋଧ କରିବା ସହ ଏହା ଗରୀବ ହିତାଧିକାରୀଙ୍କ ଜୀବିକା ପ୍ରତି କୁଠାର ଘାତ ହେଉଛି, ତେଣୁ ଏହାର ପୁନଃ ବିଚାର ମତ ରଖିଥିଲେ।ସେହିପରି ମାଲିକାପଡି ସରପଞ୍ଚ ସଚ୍ଚିଦାନନ୍ଦ ପ୍ରଧାନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଜାଗା ପ୍ରତିବନ୍ଧକ ହେତୁ ତହସିଲଦାର ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ସେହିପରି ରାଇକଲା ସରପଞ୍ଚ ସୁରେନ୍ଦ୍ର ପ୍ରଧାନ ପ୍ରତ୍ୟେକ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ଥିଲେ ସୁଧା ବିଭାଗୀୟ କନିଷ୍ଟ ଯନ୍ତ୍ରୀ ପବିତ୍ର କୁମାର ସାହୁ କିପରି ସଂଯୋଗ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଗ୍ରେସିଙ୍ଗିଆ ସରପଞ୍ଚ ସୁମନ୍ତ ପ୍ରଧାନ ରାଜିବଗାନ୍ଧୀ ସେବା କେନ୍ଦ୍ର ଅଧାପନ୍ତରିଆ ହୋଇଥିବାରୁ ଏହାର ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ହେଲେ ସ୍ବାସ୍ଥ୍ୟ ହିଁ ସମ୍ପଦ ଥିବାବେଳେ, ସ୍ବାସ୍ଥ୍ୟ ସମ୍ବନ୍ଧରେ ବୈଠକରେ ଆଲୋଚନା ହେବା ବେଳକୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆସିଥିବା ବିଭାଗୀୟ କର୍ମଚାରୀ ବୈଠକରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ପୂର୍ବ ବୈଠକର ରେଜ୍ୟୁଲେସନ ପତ୍ର ଜନ ପ୍ରତିନିଧିଙ୍କ ହସ୍ତଗତ ହୋଇନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ବିଭାଗୀୟ ସୁବିଧା ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ମାନ୍ୟବର ବିଧାୟକ ନୂତନ ଅଡିଟୋରିୟୋମ ଶୁଭ ଉଦଘାଟନ କରିବା ସହ ପଞ୍ଚାୟତ ସମିତିର ସୌନ୍ଦର୍ଯ୍ୟକରଣ ପାଇଁ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା। ଶେଷରେ ସମିତି ଅଧ୍ୟକ୍ଷ ଶ୍ରୀ କହଁର ଉପସ୍ଥିତ ଜନ ପ୍ରତିନିଧିଙ୍କ ସହ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Comments are closed.